ସେପ୍ଟେମ୍ବରରେ ଭାରତ ଗସ୍ତରେ ଆସିବେ ପୁଟିନ୍ ! ଜି-୨୦ ସମ୍ମିଳନୀରେ ଯୋଗ ଦେବେ

ନୂଆଦିଲ୍ଲୀ: ଦିଲ୍ଲୀରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ସେପଟେ ରୁଷରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଭାରତ ଗସ୍ତରେ ଆସିବାର ସମ୍ଭାବନା ରହିଛି । ସେପ୍ଟେମ୍ବରରେ ଭାରତର ରାଜଧାନୀ ନୂଆଦିଲ୍ଲୀରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଯୋଗଦେବେ ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମ ସୁତ୍ରରୁ ଖବର ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ପୁଟିନଙ୍କ ଗସ୍ତ ପାଇଁ ରୁଷ ସରକାର ମଂଜୁରୀ ଦେଇପାରନ୍ତି ।

ଋଷ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ସମ୍ପର୍କରେ କୌଣସି ଆନୁଷ୍ଠାନିକ ସୂଚନା ଜାରି କରାଯାଇ ନାହିଁ, ଯଦିଓ ଭାରତ ଆନୁଷ୍ଠାନିକ ଭାବେ ପୁଟିନଙ୍କୁ ନିମନ୍ତ୍ରଣ କରିଛି ଏବଂ ରୁଷ ସରକାର ଏହାକୁ ଗ୍ରହଣ କରିଛନ୍ତି।  ଭାରତରେ ହେବାକୁ ଥିବା ଜି-୨୦ ଶିଖର ବୈଠକ ସମୟରେ ରୁଷର ଭ୍ଲାଦିଭୋସ୍ତକରେ ଏକ ଆର୍ଥିକ ସମ୍ମିଳନୀ ଆୟୋଜନ କରାଯାଇଥିଲା । କିନ୍ତୁ ଭାରତ ଆସିବା ପାଇଁ ପୁଟିନଙ୍କୁ ମୁକ୍ତ ରଖିବାକୁ ଏହି ବୈଠକକୁ ଆଉ କିଛି ଦିନ ଘୁଞ୍ଚାଇଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଗତବର୍ଷ ଇଣ୍ଡୋନେସିଆର ବାଲିରେ ଆୟୋଜିତ ଜି-୨୦ କାର୍ଯ୍ୟକ୍ରମରେ ପୁଟିନ୍ ଯୋଗ ଦେଇନଥିଲେ ଏବଂ ତାଙ୍କ ସ୍ଥାନରେ ବୈଦେଶିକ ମନ୍ତ୍ରୀ ସେର୍ଗେଇ ଲାଭରୋଭଙ୍କୁ ପଠାଇଥିଲେ । କିନ୍ତୁ ଭାରତ ଗସ୍ତରେ ଆସିବାକୁ ପୁଟିନ ରାଜି ହେବା ଦୁଇ ଦେଶ ମଧ୍ୟରେ ଥିବା ବନ୍ଧୁତାକୁ ଦର୍ଶାଉଛି ।

ସମ୍ବନ୍ଧିତ ଖବର