ବଢୁଛି ପରମାଣୁ ଯୁଦ୍ଧ ଭୟ ; ଜୁଲାଇରେ ବେଲାରୁଷରେ ପରମାଣୁ ଅସ୍ତ୍ର ମୁତୟନ କରିବେ ପୁଟିନ୍

ନୂଆଦିଲ୍ଲୀ : ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଶୁକ୍ରବାର କହିଛନ୍ତି ଯେ ତାଙ୍କ ଦେଶ ଆସନ୍ତା ମାସରେ ବେଲାରୁସରେ ନିଜର କିଛି ରଣନୈତିକ ପରମାଣୁ ଅସ୍ତ୍ର (ଟାକଟିକାଲ ନ୍ୟୁକ୍ଲିୟର ଓ୍ବିପନ) ମୁତୟନ କରିବ । ବେଲାରୁସରେ ବିରୋଧୀ ଏହାକୁ ପାଶ୍ଚାତ୍ୟକୁ ବ୍ଲାକମେଲ୍ କରିବାର ପ୍ରୟାସ ବୋଲି କହିଛନ୍ତି। ଜୁଲାଇ ୭ରୁ ୮ ତାରିଖ ମଧ୍ୟରେ ପରମାଣୁ ଅସ୍ତ୍ର କେନ୍ଦ୍ର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ପୁଟିନ୍ ବେଲାରୁସ୍ ରାଷ୍ଟ୍ରପତି ଆଲେକଜାଣ୍ଡାର ଲୁକାଶେଙ୍କୋଙ୍କୁ କହିଛନ୍ତି। ୟୁକ୍ରେନ୍ ସେନା ପକ୍ଷରୁ ରୁଷର କେତେକ ଅଞ୍ଚଳରେ ଆକ୍ରମଣକୁ ଜୋରଦାର କରିଥିବା ବେଳେ ତାହାର ଜବାବୀ ଆକ୍ରମଣ ପାଇଁ ରୁଷ ପ୍ରସ୍ତୁତ ହେଉଥିବା କିଛି ପର୍ଯ୍ୟବେକ୍ଷକ କହୁଛନ୍ତି ।

୨୦୨୨ ଫେବ୍ରୁଆରି ୨୪ରେ ୟୁକ୍ରେନକୁ ନିଜର ସୈନ୍ୟ ପଠାଇବା ପାଇଁ ରୁଷ୍ ବେଲାରୁସ୍ ଅଞ୍ଚଳକୁ ବ୍ୟବହାର କରିଥିଲା ଏବଂ ଏଠାରେ ନିଜର ଅସ୍ତ୍ରଶସ୍ତ୍ର ଏବଂ ସୈନ୍ୟ ମୁତୟନ କରିଥିଲା। ପୁଟିନ୍ ସୋଚିର କୃଷ୍ଣ ସାଗର ରିସୋର୍ଟସ୍ଥିତ ତାଙ୍କ ବାସଭବନରେ ଲୁକାଶେଙ୍କୋଙ୍କୁ ସାକ୍ଷାତ କରିଥିଲେ । ସେ ଏକ ଟେଲିଭିଜନ୍ ବାର୍ତ୍ତାରେ କହିଛନ୍ତି, ସବୁ କିଛି ଯୋଜନା ଅନୁଯାୟୀ ଚାଲିଛି। ଜୁଲାଇ ୭ ଓ ୮ ତାରିଖରେ ସମ୍ପୃକ୍ତ ପରମାଣୁ ଅସ୍ତ୍ର କେନ୍ଦ୍ରର ପ୍ରସ୍ତୁତି ଶେଷ ହେବ ଏବଂ ତାପରେ ସେଠାରେ ପରମାଣୁ  ଅସ୍ତ୍ରଶସ୍ତ୍ର ମୁତୟନ ଆରମ୍ଭ କରାଯିବ । ରୁଷର ଏହି ପଦକ୍ଷେପକୁ ନେଇ ପାଶ୍ଚାତ୍ୟ ଦେଶରେ ଆଶଙ୍କା ପ୍ରକାଶ ପାଇଛି ।

 

ସମ୍ବନ୍ଧିତ ଖବର