ୟୁକ୍ରେନ୍‌ ସେନାକୁ ପୁଟିନଙ୍କ ଆହ୍ବାନ: ନିଜ ହାତକୁ କ୍ଷମତା ନିଅ

ମସ୍କୋ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର ଦିନ ୟୁକ୍ରେନ ସେନାକୁ କ୍ଷମତା ଦଖଲ ପାଇଁ ଆହ୍ବାନ ଦେଇଛନ୍ତି। ୟୁକ୍ରେନ ସେନା ତୁରନ୍ତ ସରକାରଠାରୁ କ୍ଷମତା ନିଜ ହାତକୁ ନେବାପାଇଁ ପୁଟିନ ପରାମର୍ଶ ଦେଇଛନ୍ତି। ସୁରକ୍ଷା ପରିଷଦରେ ଉଦ୍‌ବୋଧନ ଦେଇ ପୁଟିନ କହିଛନ୍ତି, ୟୁକ୍ରେନର ସେନାବାହିନୀକୁ ମୁଁ ପୁଣିଥରେ ଏହା ଅନୁରୋଧ କରି କହୁଛି ଯେ ନୂଆ ନାଜିବାଦ ଏବଂ ୟୁକ୍ରେନର ଉଗ୍ର ଜାତୀୟତାବାଦକୁ ସବୁ ଦିଗରୁ ବିରୋଧ କରିବାକୁ ହେବ। ଆପଣଙ୍କ ସନ୍ତାନ, ପତ୍ନୀ ଏବଂ ବୟସ୍କମାନଙ୍କୁ ମଣିଷ ଢାଲ ଭାବେ ବ୍ୟବହାର କରିବାକୁ ଦିଅନାହିଁ। ନିଜ ହାତକୁ କ୍ଷମତା ନେଇଯାଅ। ଏହାଦ୍ବାରା କଥାବାର୍ତ୍ତା ସହଜ ହୋଇପାରିବ ବୋଲି ସେ କହିଛନ୍ତି। ୟୁକ୍ରେନ୍‌ର ନେତୃତ୍ବକୁ ପୁଟିନ ଆତଙ୍କବାଦ ସହ ତୁଳନା କରିଛନ୍ତି। ୟୁକ୍ରେନରେ ଏବେ ରୁଷ୍‌ ନୂଆ ନାଜିବାଦ ସହ ଲଢ଼ୁଥିବା‌ ସେ କହିଛନ୍ତି। ଏହି ଅନର୍ଥକାରୀ ନେତୃତ୍ବକୁ ହଟାଇ ୟୁ‌କ୍ରେନ୍‌ ସେନା ନିଜ ହାତକୁ କ୍ଷମତା ନେବାପାଇଁ ପୁଟିନ୍‌ଙ୍କ ଆହ୍ବାନ ୟୁକ୍ରେନ୍‌ରେ ଝଡ଼ ସୃଷ୍ଟି କରିଛି। ୟୁକ୍ରେନ୍‌ ସେନାର କେତେକ ପ୍ରମୁଖ ଗୋଷ୍ଠୀ ଯୁଦ୍ଧ ଜାରି ରଖିବାକୁ ପଛଘୁଞ୍ଚା ଦେଇଥିବା ମଧ୍ୟ କୁହାଯାଉଛି।

ରୁଷ୍‌ ୩୩ଟି ଜନବସତି ଅଂଚଳରେ ଆକ୍ରମଣ କରିଛି, ୧୩୭ ଜଣଙ୍କ ମୃତ୍ୟୁ
କିବ୍‌ : ଦ୍ବିତୀୟ ଦିନରେ ରୁଷ୍‌ ୟୁକ୍ରେନ୍‌ ରାଜଧାନୀ କିବ୍‌ ସମେତ ପ୍ରମୁଖ ସହରଗୁଡ଼ିକରେ ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି । ୩୩ଟି ସାଧାରଣ ଜନବସତି ସ୍ଥାନରେ ରୁଷ୍‌ ସେନା ରକେଟ୍‌ ଓ ବୋମା ମାଡ଼ କରି ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ୟୁକ୍ରେନ୍‌ କହିଛି। ୟୁକ୍ରେନ୍‌ ରାଜଧାନୀ କିବ୍‌ରେ ରୁଷ୍‌ ‌ସେନାବାହିନୀ ପ୍ରବଳ ଆକ୍ରମଣ କରିଛନ୍ତି। ପ୍ରମୁଖ ଅଞ୍ଚଳମାନଙ୍କରେ ଘନଘନ ବିସ୍ଫୋରଣ ହେଉଛି। ରୁଷ୍‌ ଆକ୍ରମଣର ପ୍ରଥମ ଦିନରେ ୟୁକ୍ରେନ୍‌ର ୧୩୭ ନାଗରିକଙ୍କ ମୃତ୍ୟୁ ହୋଇଛି। ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି କହିଛନ୍ତି, ରୁଷ୍‌ ଆକ୍ରମଣରେ ୧୩୭ ସାଧାରଣ ନାଗରିକ ଏବଂ ସୈନିକ ପ୍ରାଣ ହାରିଛନ୍ତି। ଆଜି ସକାଳେ ଜେଲେନସ୍କି ଏକ ଭିଡିଓ ବାର୍ତ୍ତା ଦେଇ ଯୁଦ୍ଧରେ ପ୍ରାଣ ହରାଇଥିବା ଲେକଙ୍କୁ ‘ହିରୋ’ ବୋଲି ଘୋଷଣା କରିଛନ୍ତି। ଜେଲେନସ୍କି କହିଛନ୍ତି, ରୁଷ୍‌ ଆଜି ସାଧାରଣ ଜନବସତି ଅଞ୍ଚଳଗୁଡ଼ିକୁ ବି ଟ‌ାର୍ଗେଟ୍‌ କରିଛି। ଅନ୍ୟପକ୍ଷେ ରୁଷ୍‌ କହୁଛି ଏହା କେବଳ ସାମରିକ ପ୍ରତିଷ୍ଠାନ ଗୁଡ଼ିକୁ ଟାର୍ଗେଟ୍‌ କରୁଛି ଏବଂ ୟୁକ୍ରେନ୍‌ ବିଭ୍ରାନ୍ତି ସୃଷ୍ଟି ପାଇଁ ଏଥିରେ ଜନବସତିକୁ ଯୋଡ଼ୁଛି।

ସମ୍ବନ୍ଧିତ ଖବର