ମସ୍କୋ: ପଶ୍ଚିମ ରାଷ୍ଟ୍ରମାନେ ରୁଷ୍‌ ଧ୍ବଂସ ହୋଇଯିବା ଚାହୁଛନ୍ତି। ରୁଷ୍‌ ବିରୋଧରେ ସେମାନଙ୍କ ବିଷାଳ ଷଡ଼ଯନ୍ତ୍ରକୁ ପ୍ରତିହତ କରିବା ପାଇଁ ଲଢ଼େଇ ଚାଲିଛି। ତେବେ ଆମେରିକା ଓ ଏହାର ମିତ୍ର ରାଷ୍ଟ୍ରମାନଙ୍କର ରୁଷ୍‌ ବିରୋଧୀ ଅଭିଯାନରେ କେତେକ ରୁଷ୍‌ ନାଗରିକ ମଧ୍ୟ ହାତ ମିଳାଇଛନ୍ତି। ଦେଶ ସ୍ବାର୍ଥ ବିରୋଧରେ କାମ କରୁଥିବା ଏହି ଅବାଞ୍ଛିତ ଓ ଦେଶଦ୍ରୋହୀଙ୍କୁ ମୂଳପୋଛ କରିଦିଆଯିବ ବୋଲି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଟେଲିଭିଜନ୍‌ ଉଦ୍‌ବୋଧନରେ ସତର୍କ କରାଇ ଦେଇଛନ୍ତି। ରୁଷ୍‌ରେ ୟୁକ୍ରେନ୍‌ ବିରୋଧୀ ସାମରିକ ଅଭିଯାନକୁ ବିରୋଧ କରି ଅନେକ ସମାଲୋଚକ ମୁଣ୍ଡ ଟେକିଛନ୍ତି ଏବଂ ସେମାନେ ପଶ୍ଚିମର ଷଡ଼ଯନ୍ତ୍ରରେ ନିଜକୁ ସାମିଲ କରିନେଇଛନ୍ତି। ସେହିଭଳି ବ୍ୟକ୍ତିଙ୍କୁ ଖୋଜି ଖୋଜି ଦଣ୍ଡ ଦିଆଯିବ ଏବଂ ବିଶେଷ କରି ରୁଷ୍‌ର କୌଣସି ନାଗରିକ ଏଥିରେ ସାମିଲ ଥିଲେ ନିସ୍ତାର ମିଳିବ ନାହିଁ।

Advertisment

ଏହି ବିଶ୍ବାସଘାତକମାନଙ୍କୁ ଶେଷ କରିବା ଦିଗରେ ରାଷ୍ଟ୍ର ଆଦୌ ପଛଘୁଞ୍ଚା ଦେବନାହିଁ ବୋଲି ପୁଟିନ ଚେତାଇ ଦେଇଛନ୍ତି। ରୁଷ୍‌ର ନାଗରିକମାନେ ଦେଶଦ୍ରୋହୀମାନଙ୍କୁ ଚିହ୍ନଟ କରିବା ପାଇଁ ସକ୍ଷମ ଏବଂ ସେମାନେ ଏଥିରେ ସହଯୋଗ କରନ୍ତୁ ବୋଲି ପୁଟିନ କହିଛନ୍ତି । ରୁଷ୍‌ବାସୀ ଏକଜୁଟ ହୋଇ ଯେ କୌଣସି ସଙ୍କଟର ମୁକାବିଲା କରିପାରିବେ। ରୁଷ୍‌କୁ ଦୁର୍ବଳ କରିବା ପାଇଁ ପଶ୍ଚିମ ରାଷ୍ଟ୍ରମାନଙ୍କ ପ୍ରୟାସକୁ ଆମେ ମିଳିମିଶି ପଣ୍ଡ କରିଦେଇପାରିବା ବୋଲି ରାଷ୍ଟ୍ରପତି ପୁଟିନ କହିଛନ୍ତି। ପଶ୍ଚିମ ରାଷ୍ଟ୍ରମାନଙ୍କ କଠୋର ଆର୍ଥିକ କଟକଣା ଦ୍ବାରା ଦେଶରେ ବେକାରୀ ଓ ମୂଲ୍ୟବୃଦ୍ଧି ଘଟିବ। ଏହାର ମୁକାବିଲା ପାଇଁ ଅର୍ଥବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଜରୁରୀ ବୋଲି ପୁଟିନ ତାଙ୍କ ଉଦ୍‌ବୋଧନରେ କହିଛନ୍ତି।