ଜି-୨୦ ସମ୍ମିଳନୀରେ ଯୋଗ ଦେବେନି ପୁଟିନ୍‌

ବାଇଡେନ-ଜିନ୍‌ପିଙ୍ଗଙ୍କ ମଧ୍ୟରେ ପ୍ରଥମ ସାକ୍ଷାତ ହେବ

ଜାକର୍ତା  : ଆସନ୍ତା ସପ୍ତାହରେ ଇଣ୍ଡୋନେସିଆର ବାଲିରେ ହେବାକୁ ଯାଉଥିବା ଜି-୨୦ ବୈଠକରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୋଗ ଦେଇ ନପାରନ୍ତି। ଇଣ୍ଡୋନେସିଆ ସ୍ଥିତ ରୁଷ୍‌ ଦୂତାବାସ ପକ୍ଷରୁ ଏହା ଜଣାପଡ଼ିଛି। ଉକ୍ତ ବୈଠକରେ ରୁଷ୍‌ ବିଦେଶ ମନ୍ତ୍ରୀ ସେର୍ଗି ଲାଭରୋଭ ପୁଟିନଙ୍କୁ ପ୍ରତିନିଧିତ୍ବ କରିପାରନ୍ତି। ଅନ୍ୟପକ୍ଷେ ପୁଟିନ ଏହି ବୈଠକ‌ରେ ଭର୍ଚୁଆଲ ଭାବେ ଯୋଗ ଦେବେ କି ନା’ସେନେଇ ନିଷ୍ପତ୍ତି ନେଇନାହାନ୍ତି। ୟୁକ୍ରେନ୍‌ ଯୁଦ୍ଧ ପ୍ରସଙ୍ଗରେ ପଶ୍ଚିମ ରାଷ୍ଟ୍ରମାନେ ପୁଟିନଙ୍କ ଉପରେ ଚାପ ପକାଇ ଚାଲିଥିବା ବେଳେ ବୈଠକରେ ଯୋଗ ନଦେବା ଦ୍ବାରା ପୁଟିନ ଏକ ବଡ଼ ଲଜ୍ଜାଜନକ ପରିସ୍ଥିତିରୁ ବର୍ତ୍ତିଯିବେ ବୋଲି କୁହାଯାଉଛି।

ଜି -୨୦ ବୈଠକର ଅଧ୍ୟକ୍ଷତା କରୁଥିବା ‌ଇଣ୍ଡୋନେସିଆ ଏହି ବୈଠକକୁ ପୁଟିନଙ୍କୁ ଆମନ୍ତ୍ରିତ ନ କରିବାପାଇଁ ପଶ୍ଚିମ ରାଷ୍ଟ୍ରମାନେ ଚାପ ପକାଇଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ମଧ୍ୟ ଗତ ମାର୍ଚ୍ଚରେ କହିଥିଲେ ଯେ ରୁଷ୍‌କୁ ଜି-୨୦ରୁ ବାହାର କରାଯିବା ଉଚିତ। କିନ୍ତୁ ଇଣ୍ଡୋନେସିଆ ପଶ୍ଚିମ ରାଷ୍ଟ୍ରର ଚାପକୁ ଖାତିର କରିନାହିଁ ଏବଂ ଯଥୋଚିତ ନିଷ୍ପତ୍ତି ନେଇଛି। ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କିଙ୍କୁ ମଧ୍ୟ ଇଣ୍ଡୋନେସିଆ ‌ଏହି ବୈଠକକୁ ଅତିଥି ଭାବେ ଆମନ୍ତ୍ରଣ କରିଛି। କିନ୍ତୁ ଜେଲେନସ୍କି କହିଛନ୍ତି, ପୁଟିନ ଯଦି ଜି-୨୦ ସମ୍ମିଳନୀରେ ଯୋଗ ତେବେ ତେବେ ସେ ଏହି ସମ୍ମିଳନୀରେ ଯୋଗ ଦେବେନାହିଁ। ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ଜି-୨୦ ସମ୍ମିଳନୀରେ ଯୋଗ ଦେଇପାରନ୍ତି। ଜି-୨୦ ବୈଠକରେ ଜିନପିଙ୍ଗ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପ୍ରଥମ ଥର ପାଇଁ ଭେଟିବେ।

ସମ୍ବନ୍ଧିତ ଖବର