ୟୁକ୍ରେନ୍ ଶାନ୍ତି ନେଇ ପୁଟିନ-ଜିନପିଙ୍ଗ କଥାବାର୍ତ୍ତା

ମସ୍କୋ: ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମସ୍କୋ ଗସ୍ତ ଅବସରରେ ସୋମବାର ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ତାଙ୍କର ୟୁକ୍ରେନ୍‌ ଶାନ୍ତି ପ୍ରସ୍ତାବ ଉପରେ କଥାବାର୍ତ୍ତା ହୋଇଛି। ଏଥି ସହ ଦୁଇ ଦେଶ ଭିତରେ ବନ୍ଧୁତାକୁ ଆହୁରି ସୁଦୃଢ଼ କରିବା ପାଇଁ ମଧ୍ୟ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ଭିତରେ ସହମତି ପ୍ରକାଶ ପାଇଥିଲା।

ଜିନପିଙ୍ଗଙ୍କ ଗସ୍ତ ୟୁକ୍ରେନ୍‌ରେ ବର୍ଷାଧିକ କାଳ ଧରି ଯୁଦ୍ଧରତ ମସ୍କୋ ପାଇଁ ଏକ ସାହସ ଓ ଆଶ୍ବାସନା। କିନ୍ତୁ ତାଙ୍କର ଏହି ଗସ୍ତକୁ ଆମେରିକା ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି। ୟୁକ୍ରେନ୍‌ରେ ହଜାର ହଜାର ଲୋକଙ୍କୁ ହତ୍ୟା କରିଥିବା ଯୁଦ୍ଧ ଅପରାଧୀ ପୁଟିନଙ୍କୁ ଜିନପିଙ୍ଗ ‘କୂଟନୈତିକ ସୁରକ୍ଷା’ ଦେଉଛନ୍ତି ବୋଲି ୱାସିଂଟନ ଦାବି କରିଛି। ଚୀନ୍ ନିଜକୁ ଶାନ୍ତିକାମୀ ଭାବେ ଚିତ୍ରିତ କରିବାକୁ ଚେଷ୍ଟା କରୁଥିବା ବେଳେ ଜିନପିଙ୍ଗଙ୍କ ମସ୍କୋ ଗସ୍ତ ଦ୍ବାରା ଦୁଇଦେଶର ଘନିଷ୍ଠ ସମ୍ପର୍କ ଆହୁରି ବୃଦ୍ଧି ପାଇଛି।

ଏହାଦ୍ବାରା କ୍ରେମ୍‌ଲିନ ସାହସ ପାଇ ଅଧିକ ଆକ୍ରାମକ ହେବ ଏବଂ ଶାନ୍ତି କିପରି ପ୍ରତିଷ୍ଠା ହେବ ବୋଲି ୱାସିଂଟନ ପ୍ରଶ୍ନ କରିଛି। ଶାନ୍ତି ଶାନ୍ତି କହି ବେଜିଂ ଏକ ଆକ୍ରମଣକାରୀ ଦେଶକୁ ସାହସ ଦେଉଛି ବୋଲି ଆମେରିକା ଅଭିଯୋଗ କରିଛି। ଜିନପିଙ୍ଗ ବ୍ୟକ୍ତିଗତ ଭାବରେ ମସ୍କୋ ଗସ୍ତ କରି କ୍ରେମ୍‌ଲିନରେ ନୈଶଭୋଜନ କରିଥିବା ଓ ପୁଟିନଙ୍କୁ ‘ଡିୟର ଫ୍ରେଣ୍ଡ’ କହି ବନ୍ଧୁତାର ସମ୍ପର୍କକୁ ଅଧିକ ମଜଭୁତ କରିଥିବା ବେଳେ ସେ ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କିଙ୍କୁ କେବଳ ଫୋନ୍‌ରେ ଯାହା ଆଶ୍ବାସନା ଦେଇଛନ୍ତି। ଏଥିରୁ ବେଜିଂର ଛଳନା ସ୍ପଷ୍ଟ ହୋଇଯାଉଛି ବୋଲି ଆମେରିକା କହିଛି। ଅନ୍ୟପକ୍ଷରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଡ଼ା ମଙ୍ଗଳବାର କିବ୍ ଗସ୍ତ କରି ସେ ୟୁକ୍ରେନ୍‌ର ଭଲମନ୍ଦରେ ସାହା ହେବେ କହି ଆଶ୍ବାସନା ଦେଇଛନ୍ତି।

ସମ୍ବନ୍ଧିତ ଖବର