ପୁଟିନ-ଜେଲେନସ୍କି ଆଲୋଚନା ପାଇଁ ବାଟ ଫିଟୁଛି

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଯୁଦ୍ଧ ସମାପ୍ତି ପାଇଁ ତୁର୍କୀରେ ଚାଲିଥିବା ଆଲୋଚନାରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଥିବା କୁହାଯାଉଛି । ଏହା ଫଳରେ ଆଗକୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କିଙ୍କ ମଧ୍ୟରେ ସିଧାସଳଖ ଆଲୋଚନା ଲାଗି ବାଟ ଫିଟିବାରେ ଲାଗିଛି । ଏପରି ହେଲେ ଆଗାମୀ କିଛି ଦିନରେ ଯୁଦ୍ଧ ସମାପ୍ତ ହେବା ନେଇ ଆଶା ସୃଷ୍ଟି ହୋଇଛି ।

ରୁଷ ସହ ଆଲୋଚନାରେ ଭାଗ ନେଇଥିବା ୟୁକ୍ରେନ ପ୍ରତିନିଧିମଣ୍ଡଳର ମୁଖ୍ୟ ଡେଭିଡ୍ ଆରାଖାମିଆ କହିଛନ୍ତି ଯେ, ଆଜି ଅନୁଷ୍ଠିତ ବୈଠକରେ ଦୁଇ ଦେଶର ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନା ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇଛି ।

ପୂର୍ବରୁ ପୁଟିନଙ୍କ ସହ ସିଧାସଳଖ କଥାବାର୍ତ୍ତା ପାଇଁ ବାରମ୍ବାର ୟୁକ୍ରେନ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିବା ସତ୍ତ୍ବେ ରୁଷ ପକ୍ଷରୁ ତାହାକୁ ଗ୍ରହଣ କରାଯାଉନଥିଲା । ତେବେ ଏବେ ଏଥିପାଇଁ ରୁଷ ପକ୍ଷରୁ ସକାରାତ୍ମକ ସଂକେତ ମିଳିଥିବା କୁହାଯାଉଛି ।

ଏହା ପୂର୍ବରୁ ରୁଷର ଉପ-ପ୍ରତିରକ୍ଷାମନ୍ତ୍ରୀ ଆଲେକ୍ସାଣ୍ଡାର ଫୋମିନ କହିଥିଲେ ଯେ ୟୁକ୍ରେନ ନିରପେକ୍ଷ ରହିବା ଓ ଅଣ-ଆଣବିକ ଶକ୍ତି ହେବାକୁ ରାଜି ହେବା ପରେ ସ୍ଥିତିରେ ଉନ୍ନତି ଆସିଛି । ଏ ସଂପର୍କରେ ଏକ ରାଜିନାମା ପାଇଁ ଆଲୋଚନା ଚାଲିଥିବାରୁ ଉତ୍ତର ୟୁକ୍ରେନ ବିଶେଷକରି ରାଜଧାନୀ କିବ ଓ ଚେର୍ନିହିବରେ ସାମରିକ ଅଭିଯାନକୁ ସାମୟିକଭାବେ ହ୍ରାସ କରିବାକୁ ଏକ ନିଷ୍ପତ୍ତି ନିଆଯାଇଛି ।

 

ସମ୍ବନ୍ଧିତ ଖବର