ରୁଷ୍‌ର ଧନୀଙ୍କ ପାଇଁ ବୋମା ଆଶ୍ରୟସ୍ଥଳ ନିର୍ମାଣ କରିବାକୁ ପୁଟିନଙ୍କ ନିଷ୍ପତ୍ତି

ମସ୍କୋ: ରୁଷ୍‌ର ରାଜଧାନୀ ମସ୍କୋର ଏକ ସମ୍ଭ୍ରାନ୍ତ ହସ୍ପିଟାଲରେ ଏକ ନୂତନ ବୋମା ଆଶ୍ରୟସ୍ଥଳ ନିର୍ମାଣ କରିବାକୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଦେଶ ଦେଇଛନ୍ତି। ଏଥି ସହ ସମଗ୍ର ରୁଷ୍‌ରେ ଯେତେ ବୋମା ଆଶ୍ରୟସ୍ଥଳ ଅଛି ସେଗୁଡ଼ିକର ମରାମତି କରିବା ପାଇଁ ମଧ୍ୟ ପୁଟିନ ଆଦେଶ ଦେଇଥିବା ଜଣାପଡ଼ିଛି। ଏହି ହସ୍ପିଟାଲରେ ପ୍ରାୟତଃ ଦେଶର ବଡ଼ବଡ଼ ଧନୀ ତଥା ବରିଷ୍ଠ ଅଧିକାରୀମାନେ ଚିକିତ୍ସିତ ହୋଇଥାନ୍ତି। ନିଜେ ପୁଟିନ ବି ଏହି ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଥାନ୍ତି। ମସ୍କୋ ସେଣ୍ଟ୍ରାଲ କ୍ଳିନିକାଲ ହସ୍ପିଟାଲରେ ଏହି ନିର୍ମାଣ କାର୍ଯ୍ୟ ଚଳିତବର୍ଷ ଡିସେମ୍ବର ସୁଦ୍ଧା ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି।

ଏହି ବୋମା ଆଶ୍ରୟସ୍ଥଳ ନିର୍ମାଣରେ ୩୫ ନିୟୁତ ରୁବଲ (୪୩୧,୦୦୦ ଡଲାର) ଖର୍ଚ୍ଚ ହେବ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି। ମେଡିକାଲ କର୍ମଚାରୀମାନଙ୍କ ସହ ଏଥିରେ ପ୍ରାୟ ୮୦୦ ଲୋକ ରହିପାରିବେ। ୟୁକ୍ରେନ୍ ଯୁଦ୍ଧ ପରିପ୍ରେକ୍ଷୀରେ ରୁଷ୍ ଏହି ବୋମା ଆଶ୍ରୟସ୍ଥଳ ନିର୍ମାଣ କରୁଥିବା ଜଣାପଡ଼ିଛି। ନିକଟରେ ମସ୍କୋ ଆଖପାଖରେ ବ୍ୟାପକ ସଂଖ୍ୟାରେ ଡ୍ରୋନ୍ ଆକ୍ରମଣ ହୋଇଥିଲା।

ସମ୍ବନ୍ଧିତ ଖବର