ମସ୍କୋ: ଏକ ନୂତନ ‘ରୁଷୀୟ ବିଶ୍ବ’ ଚିନ୍ତାଧାରା ଉପରେ ପର୍ଯ୍ୟବସିତ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନୂଆ ବିଦେଶ ନୀତି। ପୁଟିନଙ୍କ ଦ୍ବାରା ସୋମବାର ଅନୁମୋଦିତ ଏହି ନୀତି ଅନୁଯାୟୀ ରୁଷ୍ ଚାହେ ଚୀନ୍ ଓ ଭାରତ ସହ ସହଯୋଗ ବୃଦ୍ଧି। ୟୁକ୍ରେନ୍ ସହ ଯୁଦ୍ଧ ହେବାର ଇତିମଧ୍ୟରେ ଛଅମାସ ବିତିଯାଇଥିବା ବେଳେ ରୁଷ୍‌ର ଏହି ୩୧ ପୃଷ୍ଠାର ‘ହ୍ୟୁମ୍ୟାନିଟାରିଆନ ପଲିସି’ ଅନୁସାରେ ‘ରୁଷୀୟ ବିଶ୍ବ’ର ପରମ୍ପରା ଓ ଚିନ୍ତାଧାରାକୁ ସୁରକ୍ଷା ଦେବା ଓ ଏହାକୁ ଆଗକୁ ବଢ଼ାଇବା ପାଇଁ ଦେଶ କାମ କରିବ।

Advertisment

ନୀତି ଅନୁଯାୟୀ, ରୁଷ୍ ଦେଶର ଯେଉଁ ଲୋକମାନେ ବିଦେଶରେ ବାସ କରୁଛନ୍ତି, ସେମାନଙ୍କ ସ୍ବାର୍ଥ ଓ ରୁଷୀୟ ସାଂସ୍କୃତିକ ଐକ୍ୟର ସୁରକ୍ଷା ପାଇଁ ଦେଶ କାମ କରିବ। ଏହାଦ୍ବାରା ସେମାନେ ଅନ୍ତର୍ଜାତୀୟ ମଞ୍ଚରେ ରୁଷ୍‌ର ଗଣତାନ୍ତ୍ରିକ ଭାବମୂର୍ତ୍ତିକୁ ଆହୁରି ବଳିଷ୍ଠ କରିବେ। ୧୯୯୧ ମସିହାରେ ସୋଭିଏତ ୟୁନିୟନ ଭାଗ ଭାଗ ହୋଇଯିବା ପରେ ପ୍ରାୟ ୨୫ ନିୟୁତ ରୁଷୀୟ ରୁଷ୍ ବାହାରେ ନବଗଠିତ ଦେଶଗୁଡ଼ିକରେ ବାସ କରିବାକୁ ବାଧ୍ୟ ହେଲେ। ଏହା ଏକ ଭୂରାଜନୈତିକ ବିପର୍ଯ୍ୟୟ ବୋଲି ପୁଟିନ ବର୍ଷ ବର୍ଷ ଧରି କହି ଆସୁଛନ୍ତି। ବଲ୍‌ଟିକ୍ ସାଗରରୁ କେନ୍ଦ୍ର ଏସିଆ ପର୍ଯ୍ୟନ୍ତ ପୂର୍ବର ସୋଭିଏତ ଦେଶକୁ ରୁଷ୍ ତା’ର ନ୍ୟାଯ୍ୟ ପ୍ରଭାବ-କ୍ଷେତ୍ର ଭାବେ ସମ୍ମାନ ଦେଇ ଆସୁଛି, ଯାହାକୁ ପାଶ୍ଚାତ୍ୟର ଅନେକ ଦେଶ ବିରୋଧ କରି ଆସୁଛନ୍ତି।

ନୂଆ ନୀତି ଅନୁସାରେ ସ୍ଲାଭିକ ଦେଶ, ଚୀନ୍ ଓ ଭାରତ ସହ ରୁଷ୍ ସହଯୋଗ ବୃଦ୍ଧି କରିବାକୁ ଚାହେ। ଏଥି ସହ ମଧ୍ୟପ୍ରାଚ୍ୟ, ଲାଟିନ ଆମେରିକା ଓ ଆଫ୍ରିକା ସହ ମଧ୍ୟ ସମ୍ପର୍କକୁ ଆହୁରି ନିବିଡ଼ କରିବାକୁ ଚାହେ। ମସ୍କୋ ମଧ୍ୟ ଜର୍ଜିଆର ଦୁଇଟି ଅଞ୍ଚଳ ଆବକାଜିଆ ଓ ଓସେଟିଆ ସହ ସମ୍ପର୍କ ବଢ଼ାଇବାକୁ ଚାହେ ଯାହାକୁ ପୂର୍ବେ ୨୦୦୮ ମସିହାରେ ଜର୍ଜିଆ ସହ ଯୁଦ୍ଧ ସମୟରେ ରୁଷ୍ ସ୍ବାଧୀନ ଦେଶର ସ୍ବୀକୃତି ଦେଇଥିଲା। ପୂର୍ବ ୟୁକ୍ରେନ୍‌ର ଦୁଇଟି ପ୍ରଦେଶ ଡୋନେସ୍କ ପିପୁଲ୍‌ସ ରିପବ୍ଲିକ୍ ଓ ଲୁହାଂସ୍କ ପିପୁଲ୍‌ସ ରିପବ୍ଲିକ୍‌କୁ ରୁଷ୍ ସ୍ବାଧୀନ ଦେଶର ସ୍ବୀକୃତି ଦେଇଥିବା ବେଳେ ଏହା ସହ ମଧ୍ୟ ସୁସମ୍ପର୍କ ରଖିବା ଉପରେ ନୂଆ ନୀତିରେ ଗୁରୁତ୍ବ ଦିଆଯାଇଛି।