ରୁଷ-ୟୁକ୍ରେନ୍‌ ଯୁଦ୍ଧର ସତ୍ୟତା ସମ୍ପର୍କରେ ପୁଟିନ୍‌ଙ୍କୁ ଜଣାଇବାକୁ ଡରୁଛନ୍ତି ପରାମର୍ଶଦାତା: ଆମେରିକା

ୱାସିଂଟନ୍‌: ଚାଲିଥିବା ରୁଷ୍-ୟୁକ୍ରେନ୍‌ ଯୁଦ୍ଧ ସଂକ୍ରାନ୍ତ ପ୍ରକୃତ ସୂଚନା ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କୁ ଦିଆ ଯାଉନାହିଁ। କାରଣ, ପୁଟିନ୍‌ଙ୍କୁ ସତ କଥା କହିବା ପରି କୌଣସି କର୍ମଚାରୀ ରୁଷ୍‌ ପ୍ରତିରକ୍ଷା ବିଭାଗରେ ନାହାନ୍ତି ବୋଲି ହ୍ବାଇଟ୍‌ ହାଉସ୍‌ର ମନେହୁଏ।

ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି, ଚାଲିଥିବା ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧର ବାସ୍ତବ ପରିସ୍ଥିତି ବିଷୟରେ, ବି‌ଶେଷ କରି ଯୁଦ୍ଧରେ ରୁଷୀୟ ସେନାର ପ୍ରଦର୍ଶନ ସମ୍ପର୍କରେ ପୁଟିନ୍‌ଙ୍କୁ ସତ କଥା କହିବା ଲାଗି ତାଙ୍କ କର୍ମଚାରୀମାନେ ଖୁବ୍‌ ଡରୁଛନ୍ତି। ସାର୍ବଜନୀନ କରାଯାଇଥିବା ଯୁକ୍ତରାଷ୍ଟ୍ର ଆମେରିକା ଗୁଇନ୍ଦା ବିଭାଗର କେତେକ ରିପୋର୍ଟରୁ ସେ ଉପରୋକ୍ତ ତଥ୍ୟ ପାଇଥିବା କଥା ସୂଚାଇଛନ୍ତି। ପୁଟିନ୍‌ ଏବଂ ତାଙ୍କ ପ୍ରତିରକ୍ଷା ମନ୍ତ୍ରାଳୟ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା କଥା ମଧ୍ୟ ଗୁଇନ୍ଦା ରିପୋର୍ଟରୁ ସୂଚନା ମିଳୁଛି।

Image Courtesy of Tylaz

ହ୍ବାଇଟ୍‌ ହାଉସ୍‌ ‘କମ୍ୟୁନିକେସନ୍‌ ଡାଇରେକ୍ଟର୍‌’ କେଟ୍‌ ବେଡିଙ୍ଗ୍‌ଫିଲଡ୍‌ କହିଛନ୍ତି, ଆମର ମନେହୁଏ ରୁଷୀୟ ସେନାର ମନ୍ଦ ପ୍ରଦର୍ଶନ ବିଷୟରେ ପୁଟିନ୍‌ଙ୍କ ପରାମର୍ଶଦାତାମାନେ ତାଙ୍କୁ ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି। ଏହାଛଡ଼ା, କଟକଣା ଯୋଗୁଁ ରୁଷ୍‌ର ଅର୍ଥନୀତି କିଭଳି ସ୍ଥାଣୁ ପାଲଟି ଆସୁଛି ସେ କଥା କହିବାକୁ ମଧ୍ୟ ପୁଟିନଙ୍କ ପରାମର୍ଶଦାତାମାନେ ଖୁବ୍‌ ଡରୁଛନ୍ତି।

ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ମଧ୍ୟ ଯୁକ୍ତରାଷ୍ଟ୍ର ଆମେରିକୀୟ ଗୁଇନ୍ଦା ରିପୋର୍ଟ ବିଷୟରେ ଆଲୋଚନା କରି କହିଛନ୍ତି ଯେ, ପରାମର୍ଶଦାତାମାନେ ପୁଟିନ୍‌ଙ୍କୁ ନିରାଟ ସତ କଥା କହୁନାହାନ୍ତି।

Image Courtesy of Newsweek

‘ନ୍ୟୁୟର୍କ ଟାଇମ୍ସ୍‌’କୁ ଆମେରିକୀୟ ସରକାରୀ କର୍ମଚାରୀମାନେ ମଧ୍ୟ କହିଛନ୍ତି ଯେ, ପୁଟିନ୍‌ କ୍ରେମ୍‌ଲିନ୍‌ରେ ନିଃସଙ୍ଗ ଅନୁଭବ କରୁଛନ୍ତି। ଅବଶ୍ୟ ଏଥିପାଇଁ ଅନେକ କାରଣ ରହିଛି। ମହାମାରୀ ସମୟରେ ପୁଟିନ୍‌ ତାଙ୍କ କର୍ମଚାରୀମାନଙ୍କ ଠାରୁ ଶାରୀରିକ ଦୂରତ୍ବ ବଜାୟ ରଖିବାରୁ ସେମାନେ ତାଙ୍କୁ ସୂଚନା ଦେବାରେ ଦ୍ବିଧାବୋଧ କରୁଛନ୍ତି। ପ୍ରକୃତ ସତ କହୁଥିବା କର୍ମଚାରୀମାନଙ୍କୁ ସମସ୍ତଙ୍କ ସମ୍ମୁଖରେ ପୁଟିନ୍ ଗାଳିଗୁଲଜ କରିବାରୁ କେବଳ ତାଙ୍କୁ ଖୁସି କରିବା ଭଳି ସୂଚନା କିଂବା ଅର୍ଦ୍ଧସତ୍ୟ ସୂଚନା ଦିଆଯାଉଛି।

ସମ୍ବନ୍ଧିତ ଖବର