ମସ୍କୋ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗୁରୁବାର ଘୋଷଣା କରିଛନ୍ତି ଯେ ମସ୍କୋ, ୟୁକ୍ରେନ ସହ ଶାନ୍ତି କଥାବାର୍ତ୍ତା କରିବାପାଇଁ ପ୍ରସ୍ତୁତ ଅଛି। ଏଥିପାଇଁ ୟୁକ୍ରେନ ପ୍ରତିନିଧି ଦଳଙ୍କୁ ପୂର୍ଣ୍ଣ ସୁରକ୍ଷା ଗ୍ୟାରେଣ୍ଟି ପ୍ରଦାନ କରାଯିବ ବୋଲି ରୁଷ୍‌ ସୁନିଶ୍ଚିତ କରିଛି। ଏକ ବିରଳ ସ୍ବୀକାରୋକ୍ତିରେ ରୁଷ୍‌ ନେତା‌ ଏହା ମଧ୍ୟ କହିଛନ୍ତି ଯେ ୟୁକ୍ରେନର ୟୁରୋପୀୟ ସଂଘ ସଦସ୍ୟତା ହାସଲ କରିବାର ଆଇନଗତ ଅଧିକାର ଅଛି।  ପୂର୍ବ ରୁଷ୍‌ରେ ଏକ ଅର୍ଥନୈତିକ ମଞ୍ଚରେ ପୁଟିନ କହିଛନ୍ତି,  ଜେଲେନସ୍କି ମସ୍କୋ ପହଞ୍ଚିଲେ ତାଙ୍କୁ କଡ଼ା ସୁରକ୍ଷା ପ୍ରଦାନ କରାଯିବ।  ଉଲ୍ଲେଖଯୋଗ୍ୟ,  ୟୁକ୍ରେନ ଯୁଦ୍ଧ ସଙ୍କଟର ସମାଧାନ ନେଇ ଆଲାସ୍କାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ବୈଠକର ୩ ସପ୍ତାହ ପରେ ପୁଟିନ ଆଜି ଜେଲେନସ୍କିଙ୍କୁ ବିରଳ ନିମନ୍ତ୍ରଣ କରିଛନ୍ତି।  

Advertisment

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ୟୁକ୍ରେନକୁ ସ୍ଥଳ, ସମୁଦ୍ର ଏବଂ ଆକାଶରେ ଅନ୍ତର୍ଜାତୀୟ ବାହିନୀ ସମେତ ଏକ ଯୁଦ୍ଧ ପରବର୍ତ୍ତୀ ସୁରକ୍ଷା ଗ୍ୟାରେଣ୍ଟି ଦେବାକୁ ୨୬ ଦେଶ ପ୍ରତିଶ୍ରୁତି ଦେଇଥିବା କହିବାର ଦିନକ ପରେ ପୁଟିନ ଏହା କହିଛନ୍ତି।  ଉଲ୍ଲେଖଯୋଗ୍ୟ,  ଶାନ୍ତି ଚୁକ୍ତି ହେଲେ କିବ୍‌ର ପଶ୍ଚିମ ସହଯୋଗୀମାନେ ସେନା ଉପସ୍ଥିତି ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିବାର ଗୋଟିଏ ଦିନ ପରେ ପୁଟିନ ଏକ ଚେତାବନୀରେ କହିଛନ୍ତି, ୟୁକ୍ରେନ୍‌ରେ ନିୟୋଜିତ ଯେକୌଣସି ପଶ୍ଚିମ ସୈନିକ ମସ୍କୋ ସେନା ପାଇଁ ‘ବୈଧ’ ଟାର୍ଗେଟ୍‌ ହେବେ।