ମସ୍କୋ: ୟୁକ୍ରେନ୍କୁ ଯୁଦ୍ଧାସ୍ତ୍ର ଯୋଗାଇ ପଶ୍ଚିମ ରାଷ୍ଟ୍ରମାନେ ରୁଷ୍ ପାଇଁ ବିପଦ ସୃଷ୍ଟି କରୁଛନ୍ତି ଏବଂ ଏଥିପାଇଁ ସେମାନଙ୍କୁ ପରିଣାମ ଭୋଗିବାକୁ ପଡ଼ିବ ବୋଲି ଆଜି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଧମକ ଦେଇଛନ୍ତି। ବ୍ରିଟେନ ଓ ହଲାଣ୍ଡ ଆଦି ରାଷ୍ଟ୍ର ଉପରେ ବାଲିଷ୍ଟିକ କ୍ଷେପଣାସ୍ତ୍ର ପ୍ରୟୋଗ ଧମକ ଦେଇ ପୁଟିନ୍ କହିଛନ୍ତି ଯେ ୟୁକ୍ରେନ୍ ଯୁଦ୍ଧ ଏବେ ବୈଶ୍ବିକ ରୂପ ନେବାକୁ ଯାଉଛି। ୟୁକ୍ରେନ୍ରେ ଗତକାଲି ଯେଉଁ ନୂଆ ବାଲିଷ୍ଟିକ କ୍ଷେପଣାସ୍ତ୍ର ବ୍ୟବହାର ହୋଇଥିଲା ତାହା ବ୍ରିଟେନ ଉପରେ ବି ପ୍ରୟୋଗ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ପଶ୍ଚିମ ରାଷ୍ଟ୍ରମାନେ ବିଧ୍ବଂସକାରୀ ହାଇପରସୋନିକ୍ କ୍ଷେପଣାସ୍ତ୍ରର ସମ୍ମୁଖୀନ ହେବେ ଏବଂ ଏଥିପାଇଁ ସେମାନଙ୍କୁ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ପୁଟିନ୍ କହିଛନ୍ତି।
ବିଧ୍ବଂସକାରୀ କ୍ଷେପଣାସ୍ତ୍ରର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରୁହ
ଉଲ୍ଲେଖଯୋଗ୍ୟ, ୟୁକ୍ରେନରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ବ୍ୟବହାର କରି ପୁଟିନ୍ ଯୁଦ୍ଧ ଉତ୍ତେଜନା ବଢ଼ାଉଛନ୍ତି ବୋଲି ବ୍ରିଟେନ ସରକାର ଏକ ବିବୃତି ଜାରି କରିବା ସହ ଏହି ଘଟଣାକୁ ନିନ୍ଦା କରିବା ପରେ ପୁଟିନ୍ ପଶ୍ଚିମ ରାଷ୍ଟ୍ରମାନଙ୍କୁ ଏଭଳି ଚେତାବନୀ ଦେଇଛନ୍ତି। ପୁଟିନ କହିଛନ୍ତି, ତାଙ୍କ ଦେଶକୁ ଟାର୍ଗେଟ୍ କରିବାପାଇଁ ଯିଏ ୟୁକ୍ରେନକୁ ଅସ୍ତ୍ର ଯୋଗାଇବ ସେମାନଙ୍କ ବିରୋଧରେ ରୁଷ୍ ନିଜର ଅସ୍ତ୍ର ବ୍ୟବହାର କରିବ। ଗତକାଲି ରୁଷ୍ ବିରୋଧରେ ଆମେରିକା ଏବଂ ବ୍ରିଟେନ ନିର୍ମିତ ଦୂରଗାମୀ ଅସ୍ତ୍ର ବ୍ୟବହାରର ଜବାବ ଦେଇ ୟୁକ୍ରେନ ପ୍ରତିରକ୍ଷା ଶିଳ୍ପର ଏକ କେନ୍ଦ୍ର ଉପରେ ରୁଷ୍ ଶକ୍ତିଶାଳୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରୟୋଗ ହୋଇଥିଲା।