ପୁଟିନ୍‌ଙ୍କ ଧମକ: ଯିଏ ହସ୍ତକ୍ଷେପ କରିବ ତାକୁ ଏମିତି ଦଣ୍ଡ ଦିଆଯିବ ଯେ ଇତିହାସ ବି କେବେ ଦେଖିନଥିବ

ପୁଟିନଙ୍କ ସହ କଥାହେଲେ ମୋଦୀ

ମସ୍କୋ : ଗୁରୁବାର ସ୍ଥାନୀୟ ସମୟ ସକାଳ ୬ଟା ପୂର୍ବରୁ ଟେଲିଭିଜନ୍‌ରେ ଉଦ୍‌ବୋଧନ ଦେଇ ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ । ସେ କହିଥିଲେ ଯେ ୟୁକ୍ରେନ୍‌ର ପୂର୍ବାଞ୍ଚଳରେ ‘ସ୍ବତନ୍ତ୍ର ସାମରିକ କାର୍ଯ୍ୟାନୁଷ୍ଠାନ’ ପାଇଁ ସେ ଅନୁମତି ଦେଇଛନ୍ତି। ରୁଷ୍‌ ରାଷ୍ଟ୍ରପତି ସାମରିକ କାର୍ଯ୍ୟାନୁଷ୍ଠାନ ଘୋଷଣା କରିବା ସହ ଅନ୍ୟ ରାଷ୍ଟ୍ରମାନଙ୍କୁ ଏବଂ ବିଶେଷ କରି ନାଟୋ ସଭ୍ୟ ରାଷ୍ଟ୍ରମାନଙ୍କୁ ଏଥିରେ ହସ୍ତକ୍ଷେପ ନ କରିବାକୁ ଧମକ ଦେଇଥିଲେ। କହିଥିଲେ ଯେ ଯିଏ ବି ରୁଷ-ୟୁକ୍ରେନ୍‌ ମାମଲାରେ ହସ୍ତକ୍ଷେପ କରିବ ତାକୁ ଏମିତି ଦଣ୍ଡ ଭୋଗିବାକୁ ପଡ଼ିବ ‌ଯେ ଇତିହାସ ବି କେବେ ଦେଖିନଥିବ। ସେ କହିଥିଲେ ଯେ ରୁଷର ସୁରକ୍ଷା ଲାଗି ୟୁକ୍ରେନ ଆକ୍ରମଣ ଛଡ଼‌ା ଅନ୍ୟ କୌଣସି ବିକଳ୍ପ ନଥିଲା।

ତାଙ୍କର ଯୁଦ୍ଧ ଘୋଷଣା ଏବଂ ସାମରିକ କାର୍ଯ୍ୟାନୁଷ୍ଠାନକୁ ଆମେରିକା, ବ୍ରିଟେନ ସମେତ ଅନେକ ଦେଶ ନିନ୍ଦା କରିଛନ୍ତି। ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଏହା ୟୁରୋପ୍‌ ପାଇଁ ସବୁଠୁ ବଡ଼ କଳା ସମୟ ବୋଲି ୟୁରୋପୀୟ ସଂଘ କହିଛି। ବ୍ରିଟେନ୍‌ ବିଦେଶ ମନ୍ତ୍ରୀ ରୁଷ୍‌ ରାଷ୍ଟ୍ରଦୂତଙ୍କୁ ସମନ୍‌ କରିଛନ୍ତି। ବ୍ରି‌ଟେନ୍‌ ୟୁକ୍ରେନ୍‌ ବିରୋଧରେ ଅତି ସାଂଘାତିକ କଟକଣା ଲାଗୁ କରିବ ବୋଲି ଧମକ ଦେଇଛି। ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ କହିଛନ୍ତି ଯେ ରୁଷ୍‌ର ୟୁକ୍ରେନ୍‌ ଆକ୍ରମଣ ଆମ ମହାଦେଶ ପାଇଁ ଏକ ବିପର୍ଯ୍ୟୟ।

ତେବେ ରୁଷ୍‌ ଆରମ୍ଭ କରିଥିବା ଆକ୍ରମଣକୁ ରୋକିବାପାଇଁ ଜାତିସଂଘ ଯଥାସାଧ୍ୟ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ୟୁକ୍ରେନ୍‌ ଅନୁରୋଧ କରିଛି। ପରିସ୍ଥିତି ଉପରେ ଅ‌ାଲୋଚନା ପାଇଁ ଏବେ ଜାତିସଂଘ ନିରାପତ୍ତା ପରିଷଦ ବୈଠକ ଚାଲିଛି।

ଅନ୍ୟପକ୍ଷରେ ରୁଷର କାର୍ଯ୍ୟାନୁଷ୍ଠାନକୁ ଚୀନ ସମର୍ଥନ କରିଛି। ଏହାର ବୈଦେଶିକ ମୁଖପାତ୍ର କହିଛନ୍ତି ଯେ ଏହାକୁ ଯୁଦ୍ଧ ବୋଲି କୁହାଯିବା ଠିକ୍ ‌ହେବ ନାହିଁ। ଏହା ହେଉଛି ସୀମିତ ସାମରିକ କାର୍ଯ୍ୟାନୁଷ୍ଠାନ। ଏହାକୁ ତାଇୱାନ ଯୁଦ୍ଧ ସହିତ ତୁଳନା ନକରିବା ଲାଗି ସେ କହିଛନ୍ତି।

Republic World

ଇତିମଧ୍ୟରେ ପରିସ୍ଥିତି ଉପରେ ଆଲୋଚନା ପାଇଁ ଗୁରୁବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ନିରାପତ୍ତା ସଂକ୍ରାନ୍ତ କ୍ୟାବି‌େନଟ ବୈଠକ ହୋଇଥିଲା। ଗୁରୁବାର ରାତିରେ ସେ ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହିତ ଫୋନ୍‌ଯୋଗେ ଆଲୋଚନା କରିଛନ୍ତି। ୟୁକ୍ରେନ୍‌ରେ ଆକ୍ରମଣ ସମାପ୍ତ କରି କୂଟନୈତିକ ଆଲୋଚନା ଦ୍ବାରା ସଙ୍କଟର ସମାଧାନ ପାଇଁ ସେ ପୁଟିନ୍‌ଙ୍କୁ ଅନୁରୋଧ କରିଛନ୍ତି। ପୁଟିନ୍‌ ଆଜିର ପରିସ୍ଥିତି ସମ୍ପର୍କରେ ମୋଦୀଙ୍କୁ ଅବଗତ କରାଇଥିବା ପ୍ରଧାନମନ୍ତ୍ରୀଙ୍କ ଅଫିସ୍‌ ପକ୍ଷରୁ ପ୍ରକାଶିତ ବିବୃତ୍ତିରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର