ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡର ବ୍ୟାଙ୍କକରେ ବସବାସ କରୁଥିବା ବୃଦ୍ଧ ମହିଳା ଅଳ୍ପକେ ଏକ ବିଶାଳ ଅଜଗର କବଳରୁ ମୁକୁଳି ଯାଇଛନ୍ତି। ଉକ୍ତ ବଦ୍ଧ ମହିଳାଙ୍କ ନାମ ଅରୁନରୋଜ ବୟସ ୬୪ବର୍ଷ ବୋଲି ଜଣାପଡ଼ିଛି।
ନିଜ ସହିତ ଘଟିଥିବା ଏହି ଭୟାବହ ଘଟଣାକୁ ନେଇ ଅରୁନରୋଜ କହିଥିଲେ, “ମୁଁ ରୋଷେଇ ଘରକୁ ଯାଇଥିବା ବେଳେ ହଠାତ ମୋ ଜଙ୍ଘରେ କ’ଣ ଗୋଟେ ଗୁଡ଼ାଇ ହେଲାଭଳି ଲାଗିଥିଲା। ମୁଁ ତଳକୁ ନଇଁ ଦେଖିଲା ବେଳକୁ ଏକ ବିଶାଳ ଅଜଗର ମୋତେ ତାର ଶିକାର କରିଥିଲା। ମୁଁ ଏହି ଅଜଗର କବଳରୁ ମୁକୁଳିବା ପାଇଁ ତାର ମୁହଁକୁ ଧରିବାକୁ ଚେଷ୍ଟା କରିଥିଲି। କିନ୍ତୁ ସେ ଖସି ଯାଇ ମୋ ଶରୀରରେ ଆହୁରି ଜୋରରେ ଗୁଡ଼ାଇ ହୋଇଯାଇଥିଲା।
ମୁଁ ଉଦ୍ଧାର ପାଇଁ କ୍ରମାଗତ ଭାବେ ଚିତ୍କାର କରି ଚାଲିଥିଲି। ପ୍ରାୟ ଦୁଇଘଣ୍ଟାପରେ ଜଣେ ପଡ଼ୋଶୀ ମୋ ପାଟି ଶୁଣି ଘରକୁ ଆସିଥିଲେ। ସେ ମୋ ଅବସ୍ଥା ଦେଖି ଉଦ୍ଧାର ପାଇଁ କୌଣସି ବାଟ ନପାଇ ସଙ୍ଗେସଙ୍ଗେ ପୁଲିସ ଏବଂ ବନ୍ୟଜନ୍ତୁ ନିୟନ୍ତ୍ରଣ ଅଧିକାରୀଙ୍କୁ ଖବର ଦେଇଥିଲେ।’
ପୁଲିସ ଓ ବନ୍ୟପ୍ରାଣୀ ଅଧିକାରୀ କହିଛନ୍ତି ଯେ,‘ ଆମେ ବୃଦ୍ଧ ଅରୁନରୋଜଙ୍କ ଘରେ ପହଞ୍ଚିବା ପର୍ଯ୍ୟନ୍ତ ଅଜଗର ତାଙ୍କ ଶରୀରରେ ଗୁଡ଼ାଇ ହୋଇ ରହିଥିଲା। ବନବିଭାଗ କର୍ମଚାରୀମାନେ ଅଜଗର ମୁଣ୍ଡକୁ ଲୁହା ରଡରେ ପିଟିଥିଲେ। ଏହା ପରେ ସେ ବୃଦ୍ଧଙ୍କୁ ତାର କବଳରୁ ମୁକ୍ତ କରିଥିଲା। ହେଲେ ଅଜଗର ତାଙ୍କ ଶରୀରର ଅନେକ ସ୍ଥାନରେ ଆଘାତ ପହଞ୍ଚାଇଥିଲା। ତେଣୁ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଏବେ ସେ ସୁସ୍ଥ ଅଛନ୍ତି। ଅଜଗର ବିଷଧର ନୁହେଁ। କିନ୍ତୁ ସେ ମଣିଷ ଶରୀରରେ ଗୁଡ଼ାଇ ହୋଇ ନିଶ୍ବାସ ଓ ପ୍ରଶ୍ବାସକୁ ଅଟକାଇ ଦେଇ ମାରି ଦେଇଥାଏ।’