ବୈଷୟିକ ତ୍ରୁଟି ଯୋଗୁଁ କରାଚୀରେ ଅବତରଣ କଲା ୧୦୦ ଯାତ୍ରୀ ନେଇ ଦିଲ୍ଲୀରୁ ଦୋହା ଯାଉଥିବା କତାର୍‌ ଏୟାର୍‌ୱେଜ୍‌ର ବିମାନ

ନୂଆଦିଲ୍ଲୀ: ଦିଲ୍ଲୀରୁ ଦୋହା ଅଭିମୁଖେ ଯାଉଥିବା କତାର୍‌ ଏୟାର୍‌ୱେଜ୍‌ର ଗୋଟାଏ ବିମାନର ମାଲ୍‌ପତ୍ର ଥିବା ପ୍ରକୋଷ୍ଠରେ ଧୂଆଁ ଉଠିବାରୁ ଗତିପଥ ପରିବର୍ତ୍ତନ କରି ତାହାକୁ ପାକିସ୍ତାନର କରାଚୀରେ ଜରୁରୀ ଅବତରଣ କରାଯାଇଛି। ଉକ୍ତ ବିମାନ (କ୍ୟୁଆର୍‌୫୭୯)ରେ ୧୦୦ରୁ ଊର୍ଦ୍ଧ୍ବ ଯାତ୍ରୀ ଥିଲେ।

ଯାତ୍ରୀମାନଙ୍କୁ ଦୋହା ନେଇ ଯିବା ଲାଗି ଆଉ ଗୋଟାଏ ବିମାନ ବ୍ୟବସ୍ଥା କରାଯାଉଛି ବୋଲି କତାର୍‌ ଏୟାର୍‌ୱେଜ୍‌ କହିଛି।

ଘଟଣା ସଂକ୍ରାନ୍ତରେ ବ୍ୟାଖ୍ୟା ଦେଇ କତାର୍‌ ଏୟାର୍‌ୱେଜ୍‌ କହିଛି, ସମ୍ପ୍ରତି ଘଟଣା ବିଷୟରେ ତଦନ୍ତ ଚାଲିଛି ଏବଂ ଯାତ୍ରୀମାନଙ୍କୁ ଦୋହା ନେଇ ଯିବା ଲାଗି ଗୋଟାଏ ରିଲିଫ୍‌ ବିମାନର ବ୍ୟବସ୍ଥା କରାଯାଉଛି। ଅସୁବିଧା ନିମନ୍ତେ ଆମେ ଯାତ୍ରୀମାନଙ୍କ ନିକଟରେ କ୍ଷମାପ୍ରାର୍ଥୀ।

Image Courtesy of Mint

କିନ୍ତୁ, ପରିସ୍ଥିତି ସଂକ୍ରାନ୍ତରେ ଟୁଇଟ୍‌ କରି ଅନ୍ୟତମ ଯାତ୍ରୀ ତଥା ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ସମୀର ଗୁପ୍ତା ଅଭିଯୋଗ କରିଛନ୍ତି, ପଥ ପରିବର୍ତ୍ତନ କରାଯାଇ କରାଚୀକୁ ନିଆଯାଇଥିବା ‘କ୍ୟୁଆର୍‌୫୭୯’ ଦିଲ୍ଲୀ-ଦୋହା ବିମାନର ସ୍ଥିତି କ’ଣ? ସେ ସଂକ୍ରାନ୍ତରେ ସୂଚନା ଦିଆଯାଉ ନାହିଁ। ଯାତ୍ରୀମାନଙ୍କୁ ଖାଦ୍ୟ ପାନୀୟ ବି ଦିଆଯାଉ ନାହିଁ। ଯାତ୍ରୀମାନେ କିଛି ଜାଣି ପାରୁ ନାହାନ୍ତି। ଦୟାପୂର୍ବକ ସାହାଯ୍ୟ କରନ୍ତୁ।

ସୂଚନାଯୋଗ୍ୟ, ଦିଲ୍ଲୀରୁ ଆଜି ପାହାନ୍ତା ୩.୫୦ରେ ଉଡ଼ାଣ ଆରମ୍ଭ କରିଥିବା ବିମାନଟି ଭୋର୍‌ ୫.୩୦ରେ କରାଚୀରେ ଅବତରଣ କରିଥିବା କଥା ରମେଶ ରାଲିୟା ନାମକ ଜଣେ ଯାତ୍ରୀ ଭିଡିଓ ବାର୍ତ୍ତାରେ କହିଛନ୍ତି। କିନ୍ତୁ, ବିମାନଟି କେତେବେଳେ କରାଚୀରୁ ଉଡ଼ାଣ ଆରମ୍ଭ କରିବ ତାହା ଜାଣିପାରୁ ନାହାନ୍ତି। ବିମାନ ଅବତରଣ କରିବା ପରେ ସେମାନେ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦେଇ ବିମାନ ବନ୍ଦରରେ ଅପେକ୍ଷା କରିବାକୁ କହିଥିଲେ।

ସମ୍ବନ୍ଧିତ ଖବର