ଜାକିର ନାଏକକୁ ଆମେ ଡାକିନୁ : କତାର

ନୂଆଦିଲ୍ଲୀ : ବିଶ୍ବକପ ଫୁଟବଲକୁ ବିବାଦୀୟ ଇସ୍ଲାମିକ ପ୍ରବଚକ ଜାକିର ନାଏକକୁ ନିମନ୍ତ୍ରଣ କରାଯିବାକୁ ନେଇ ଭାରତ ପକ୍ଷରୁ ତୀବ୍ର ପ୍ରତିବାଦ କରାଯିବା ପରେ କତାର ପକ୍ଷରୁ ଏକ ସ୍ପଷ୍ଟୀକରଣ ଜାରି କରାଯାଇଛି । କତାର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଜାକିର ନାଏକକୁ ବିଶ୍ବକପ ପାଇଁ କୌଣସି ନିମନ୍ତ୍ରଣ ପଠାଯାଇନାହିଁ, ସେ ବ୍ୟକ୍ତିଗତ ଭାବେ ଆସିଛି । କତାର ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ଭାରତ-କତାର ସଂପର୍କକୁ ଖରାପ କରିବାକୁ ଏକ ୩ୟ ଦେଶ ମିଥ୍ୟା ପ୍ରଚାର ଚଳାଇଛି ।

ଏହା ପୂର୍ବରୁ ଜାକିର ନାଏକ ପ୍ରସଙ୍ଗରେ ଭାରତ ପକ୍ଷରୁ କତାର ସରକାରଙ୍କ ନିକଟରେ ତୀବ୍ର ପ୍ରତିବାଦ କରାଯାଇଥିଲା । ଜାକିର ନାଏକ ଯଦି ଉଦଘାଟନୀ ସମାରୋହରେ ଜଣେ ଅତିଥି (ଭିଭିଆଇପି)ଭାବେ ଉପସ୍ଥିତ ରହେ, ତେବେ ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ କତାର ଗସ୍ତକୁ ବାତିଲ କରିଦିଆଯିବ ବୋଲି ଭାରତ ପକ୍ଷରୁ ସ୍ପଷ୍ଟଭାବେ ଜଣାଇଦିଆଯାଇଥିଲା । ଉପରାଷ୍ଟ୍ରପତି ଧନଖର ଉଦଘାଟନୀ ସମାରୋହରେ ଯୋଗ ଦେବାର ପରଦିନ ଭାରତ ଫେରିଆସିଥିଲେ ।

ବିବାଦୀୟ ଓ ଘୃଣାସୃଷ୍ଚିକାରୀ ଭାଷଣ ମାମଲାରେ ଜାକିର ନାଏକ ବିରୋଧରେ ମାମଲା ରୁଜ୍ଜୁ ହୋଇଥିବାବେଳେ ସେ ୨୦୧୬ରେ ଭାରତରୁ ଫେରାର ହୋଇଯାଇଥିଲା । ପରେ ସେ ମାଲେସିଆର ନାଗରିକତା ଗ୍ରହଣ କରିଥିଲା । ଜାକିର ନାଏକ ଦ୍ବାରା ପ୍ରତିଷ୍ଠିତ ଇସ୍ଲାମିକ ରିସର୍ଚ୍ଚ ଫାଉଣ୍ଟେସନକୁ ବି ସରକାର ୫ ବର୍ଷ ପାଇଁ ନିଷିଦ୍ଧ ଘୋଷଣା କରିଛନ୍ତି ।

 

ସମ୍ବନ୍ଧିତ ଖବର