ମାର୍ଚ ୧୨ରେ ‘କ୍ୱାଡ୍‌’ ନେତାଙ୍କ ଭର୍ଚ୍ୟୁଆଲ୍‌ ବୈଠକ; ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ‘କ୍ୱାଡ୍‌ ନେତାଙ୍କ ଭର୍ଚ୍ୟୁଆଲ୍‌ ଶିଖର ବୈଠକଭାବେ ଜଣାଶୁଣା ‘କ୍ୱାଡ୍ରିଲେଟେରାଲ୍‌ ସିକ୍ୟୁରିଟି ଡାଏଲଗ୍‌’ର (ଚତୁର୍ପାକ୍ଷିକ ନିରାପତ୍ତା ବୈଠକ) ପ୍ରଥମ ଅଧିବେଶନ ମାର୍ଚ ୧୨ରେ ଆରମ୍ଭ ହେବ।

‘କ୍ୱାଡ୍ରିଲେଟେରାଲ୍‌ ଫ୍ରେମ୍‌ଓ୍ଵାର୍କ’ର ଏହି ପ୍ରଥମ ଶିଖର ବୈଠକରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌, ଜାପାନର ପ୍ରଧାନମନ୍ତ୍ରୀ ୟୋସିହିଡେ ସୁଗା ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋସେଫ୍‌ ଆର୍‌. ବାଇଡେନ୍‌ଙ୍କ ସମେତ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଯୋଗ ଦେବେ ବୋଲି ମଙ୍ଗଳବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏକ ବିବୃତିରେ କହିଛି।

ଏହି ବୈଠକରେ ନେତାମାନେ ଦ୍ୱିପାକ୍ଷିକ ଏବଂ ସମସ୍ତଙ୍କ ସ୍ୱାର୍ଥ ବିଜଡ଼ିତ ‘ବୈଶ୍ୱିକ’ ସମସ୍ୟା ଉପରେ ଆଲୋଚନା କରିବେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି।

Image Courtesy of Free Press Journal

ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନ୍‌ର ଆଧିପତ୍ୟକୁ ମୁକାବିଲା କରିବା ପ୍ରସଙ୍ଗରେ ମଧ୍ୟ ଏହି ସମ୍ମିଳନୀ ନିଶ୍ଚୟ ଧ୍ୟାନ ଦିଆଯିବ।

ଆକସ୍ମିକ ବିପଦର ମୁକାବିଲା, ଉଦୀୟମାନ ଓ ଜଟିଳ ବୈଷୟିକ ବିଦ୍ୟା, ସାମୁଦ୍ରିକ ନିରାପତ୍ତା ଏବଂ ଜଳବାୟୁ ପରିବର୍ତ୍ତନ ଭଳି ସମସାମୟିକ ଚାଲେଞ୍ଜ୍‌ ବା ଆହ୍ଵାନ ସମ୍ବନ୍ଧରେ ମତ ବିନିମୟ ଲାଗି ମଧ୍ୟ ଏହି ଶିଖର ବୈଠକ ସୁଯୋଗ ପ୍ରଦାନ କରିବ।

ସୂଚନାଯୋଗ୍ୟ, ‘କ୍ୱାଡ୍‌’ ବୈଠକ ଘୋଷିତ ହେବା ପୂର୍ବରୁ ସଦିଚ୍ଛା ହାସଲ କରିବା ଉଦ୍ଦେଶ୍ୟରେ ଚୀନ୍‌ର ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ୍‌ ୟି ରବିବାର ଦିନ କହିଥିଲେ, ସୀମା ବିବାଦ ସମାଧାନ ନିମନ୍ତେ ଭାରତ ଓ ଚୀନ୍‌ ପରସ୍ପରର କ୍ଷତି ହେଉଥିବା କାର୍ଯ୍ୟ ବନ୍ଦ କରିବା ସହ ପରସ୍ପର ପ୍ରତି ଥିବା ସନ୍ଦେହ ପରିହାର କରି ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି କରିବା ଭଳି ପରିସ୍ଥିତି ସୃଷ୍ଟି କରିବା ଉଚିତ।

ସମ୍ବନ୍ଧିତ ଖବର