ୱାସିଂଟନ: ଆମେରିକା, ଜାପାନ, ଭାରତ ଏବଂ ଅଷ୍ଟ୍ରେଲିଆକୁ ନେଇ ଗଠିତ ‘କ୍ୱାଡ୍’ର ଶିଖର ସମ୍ମିଳନୀ ସେପ୍ଟେମ୍ବର ୨୧ରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିଜ ସହର ଡେଲାୱେରର ୱିଲ୍ମିଙ୍ଗଟନରେ ଅନୁଷ୍ଠିତ ହେବ। ୱିଲ୍ମିଙ୍ଗଟନରେ ହେବାକୁ ଥିବା ଏହି ଶିଖର ସମ୍ମିଳନୀ ଉଭୟ ବାଇଡେନ୍ ଏବଂ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିସିଦାଙ୍କ ପାଇଁ ଶେଷ ଶିଖର ସମ୍ମିଳନୀ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେସ୍ ମଧ୍ୟ ସେପ୍ଟେମ୍ବର ୨୧ ସମ୍ମିଳନୀରେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ସେମାନେ ଜାତିସଂଘ ସାଧାରଣ ଅଧିବେଶନ (ୟୁଏନ୍ଜିଏ) ପାଇଁ ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଚଳିତ ମାସ ଶେଷରେ ୟୁଏନ୍ଜିଏରେ ପ୍ରଧାନମନ୍ତ୍ରୀ ମୋଦୀ ଉଦ୍ବୋଧନ ଦେବେ। ନ୍ୟୁୟର୍କ ପରିବର୍ତ୍ତେ ୱିଲମିଙ୍ଗଟନରେ ଶିଖର ସମ୍ମିଳନୀ ଆୟୋଜନ କରିବାକୁ କ୍ୱାଡ୍ ସହଯୋଗୀଙ୍କ ମଧ୍ୟରେ ବିଚାର ବିମର୍ଶ ପରେ ନିଷ୍ପତ୍ତି ନିଆଯାଇଛି। ଏହି ପଦକ୍ଷେପ ଦ୍ୱାରା ବାଇଡେନ ରାଷ୍ଟ୍ରପତି ଭାବରେ ତାଙ୍କ ଶେଷ ବର୍ଷରେ ସମାବେଶ ଆୟୋଜନ କରିପାରିବେ ଏବଂ ଭାରତ ୨୦୨୫ରେ କ୍ୱାଡ୍ ଶିଖର ସମ୍ମିଳନୀ ଆୟୋଜନ କରିବାର ସୁଯୋଗ ପାଇବ।
୨୦୦୪ ମସିହାରେ ଆରମ୍ଭ ହୋଇଥିବା କ୍ୱାଡ୍କୁ ୨୦୧୭ରେ ଆମେରିକା ନେତୃତ୍ବରେ ପୁନରୁଦ୍ଧାର କରାଯାଇଥିଲା। ୱିଲମିଙ୍ଗଟନରେ ହେବାକୁ ଥିବା ଏହି ଶିଖର ସମ୍ମିଳନୀରେ କ୍ୱାଡ ଗଠନର ୨୦ ତମ ବାର୍ଷିକୀ ପାଳନ କରାଯିବ। କୋଭିଡ୍ -୧୯ ପରବର୍ତ୍ତୀ ସ୍ଥିତି, ଗୁରୁତ୍ୱପୂର୍ଣ୍ଣ ଏବଂ ନୂତନ ପ୍ରଯୁକ୍ତି ବିଦ୍ୟା ଏବଂ ଯୋଗାଣ ଶୃଙ୍ଖଳା ସହଯୋଗକୁ ଏବେ କ୍ବାଡ୍ ଗୁରୁତ୍ବ ଦେଉଛି। ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ କ୍ୱାଡର ଗୁରୁତ୍ୱ ବଢ଼ୁଥିବା ବେଳେ ଆଗାମୀ ଶିଖର ସମ୍ମିଳନୀ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଅଭିଯାନ ମଧ୍ୟରେ ଅନୁଷ୍ଠିତ ହେଉଥିବାରୁ ଏହା ଉପରେ ସମସ୍ତଙ୍କ ନଜର ରହିବ