କ୍ବାଡ୍ ବୈଠକରେ ଚୀନ, ପାକିସ୍ତାନକୁ କଡା ବାର୍ତ୍ତା

ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆର ମେଲବୋର୍ଣ୍ଣଠାରେ ଅନୁଷ୍ଠିତ କ୍ବାଡ୍ ସମ୍ମିଳନୀରେ ଚୀନ ଓ ପାକିସ୍ତାନକୁ କଡା ବାର୍ତ୍ତା ଦିଆଯାଇଛି । ଏକ ମୁକ୍ତ  ଇଣ୍ଡୋ-ପାସିଫିକ (ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର) ସପକ୍ଷରେ କ୍ବାଡ୍ ସଦସ୍ୟ ଦେଶମାନେ ଏକମତ ହୋଇଛନ୍ତି । ଏ ଦିଗରେ ବିଭିନ୍ନ ରାଷ୍ଟ୍ର କରୁଥିବା ଉଦ୍ୟମକୁ ସମର୍ଥନ କରାଯିବ ବୋଲି କ୍ବାଡ୍ ପକ୍ଷରୁ କୁହାଯାଇଛି । ଅନ୍ତର୍ଜାତୀୟ ଜଳକ୍ଷେତ୍ରରେ ଦେଖାଯାଉଥିବା ଆହ୍ବାନଗୁଡ଼ିକର ମୁକାବିଲା ପାଇଁ ଏକ ଅନ୍ତର୍ଜାତୀୟ ଆଇନ ସପକ୍ଷରେ ଏହି ସଂଗଠନ ମତ ଦେଇଛି । ଉତ୍ତରକୋରିଆର ବାଲିଷ୍ଟିକ ମିସାଇଲ ପରୀକ୍ଷଣକୁ କ୍ବାଡ୍ ପକ୍ଷରୁ ନିନ୍ଦା କରାଯାଇଛି ।

ସେହିପରି ପାକିସ୍ତାନର ନାଁ ନନେଇ କୁହାଯାଇଛି ଯେ, ଯେଉଁ ଦେଶମାନେ ନିଜ ମାଟିକୁ ଆତଙ୍କବାଦୀଙ୍କ ଲଞ୍ଚ୍ ପ୍ୟାଡ ଭାବେ ବ୍ୟବହାର କରୁଛନ୍ତି ସେମାନେ ସେଥିରୁ ବିରତ ହେବା ଉଚିତ । ପାକିସ୍ତାନ ତୁରନ୍ତ ୨୬/୧୧ ଆକ୍ରମଣରେ ସଂପୃକ୍ତ ଆତଙ୍କବାଦୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଉ ବୋଲି କ୍ବାଡ ଘୋଷଣା ପତ୍ରରେ ଦାବି କରାଯାଇଛି ।

ସୂଚନାଯୋଗ୍ୟ ଯେ, କ୍ବାଡ୍ ହେଉଛି ୪ଟି ଦେଶ ଭାରତ, ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନର ଏକ ମେଣ୍ଟ । ଏସିଆରେ ଚୀନର ପ୍ରଭାବକୁ କ୍ଷୁର୍ଣ୍ଣ କରିବାକୁ ଏହି ମେଣ୍ଟ ଗଠନ କରାଯାଇଛି । ଅଷ୍ଟ୍ରେଲିଆରେ ଅନୁଷ୍ଠିତ ବୈଠକରେ ଭାରତର ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର, ଆମେରିକାର ପରରାଷ୍ଟ୍ର ସଚିବ ଆନ୍ଥୋନି ବ୍ଲିକେନ, ଜାପାନର ବିଦେଶ ମନ୍ତ୍ରୀ ଓସିମାସା ହେୟାସି, ଅଷ୍ଟ୍ରେଲିଆର ବିଦେଶ ମନ୍ତ୍ରୀ ହନ ମାରିସ ପାଇନ ଯୋଗ ଦେଇଥିଲେ ।

 

ସମ୍ବନ୍ଧିତ ଖବର