ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍କୋର୍ଟଙ୍କୁ କହିଛନ୍ତି ଯେ ସରକାରୀ ଚାକିରିରେ ଏସସି/ଏସଟି କର୍ମଚାରୀମାନଙ୍କ ପଦୋନ୍ନତିରେ ସଂରକ୍ଷଣ ରଦ୍ଦ କରିବା ଦ୍ୱାରା କର୍ମଚାରୀ ଅଶାନ୍ତି ଏବଂ ଏକାଧିକ ମକଦ୍ଦମା ହୋଇପାରେ।
ସୁପ୍ରିମ୍କୋର୍ଟର ବିଚାରପତି ଜଷ୍ଟିସ ଏଲ ନାଗେଶ୍ୱର ରାଓ ଏବଂ ଜଷ୍ଟିସ୍ ବି ଆର ଗାଭାଇଙ୍କ ଖଣ୍ଡପୀଠରେ ଦାଖଲ ହୋଇଥିବା ଏକ ସତ୍ୟପାଠରେ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି ଯେ ସଂରକ୍ଷଣ ନୀତି ସମ୍ବିଧାନ ଏବଂ ଏହି ଅଦାଲତ ଦ୍ୱାରା ନିର୍ଦ୍ଧାରିତ ଆଇନ ଅନୁଯାୟୀ ରହିଛି। ଯଦି ଏହି ମାମଲାକୁ ଅନୁମତି ନଦିଆଯାଏ, ତେବେ ଏହା ଏସସି/ଏସଟି କର୍ମଚାରୀଙ୍କୁ ଦିଆଯାଇଥିବା ପଦୋନ୍ନତିରେ ସଂରକ୍ଷଣର ଲାଭ ପ୍ରତ୍ୟାହାର କରିବାକୁ ପଡ଼ିବ। ଏହା ଦ୍ୱାରା ଏସସି ଏବଂ ଏସଟି କର୍ମଚାରୀଙ୍କ ପ୍ରତ୍ୟାଖ୍ୟାନ ହୋଇପାରେ, ସେମାନଙ୍କ ଦରମା ଓ ପେନସନ ପୁନଃ ନିର୍ଦ୍ଧାରଣ ହୋଇପାରେ। ଏହାକୁ କେନ୍ଦ୍ର କରି ଏକାଧିକ ମକଦ୍ଦମା ଏବଂ କର୍ମଚାରୀ ଅଶାନ୍ତି ସୃଷ୍ଟି କରିବ ବୋଲି କେନ୍ଦ୍ର ସରକାର କହଛନ୍ତି।
ଏଥିସହ କେନ୍ଦ୍ର ସରକାର କହିଛନ୍ତି ଯେ ସରକାରୀ ଚାକିରିରେ ଏସସି/ଏସଟିର ପ୍ରତିନିଧିତ୍ୱ ପର୍ଯ୍ୟାପ୍ତ ନୁହେଁ ଏବଂ ଯୁକ୍ତି କରଛନ୍ତି ଯେ ସଂରକ୍ଷଣ ପ୍ରଦାନ କୌଣସି ପ୍ରକାରେ ପ୍ରଶାସନକୁ ବାଧା ଦିଏ ନାହିଁ। ବାର୍ଷିକ କାର୍ଯ୍ୟ ଦକ୍ଷତା ମୂଲ୍ୟାଙ୍କନ ରିପୋର୍ଟର ବ୍ୟବସ୍ଥା ମାଧ୍ୟମରେ ପ୍ରଶାସନିକ ଦକ୍ଷତା ସୁନିଶ୍ଚିତ କରାଯାଏ ଯାହା ପ୍ରତ୍ୟେକ ଅଧିକାରୀଙ୍କ କାର୍ଯ୍ୟ ସଂପାଦନ, ବ୍ୟକ୍ତିଗତ ଗୁଣ ଏବଂ କାର୍ଯ୍ୟ ଦକ୍ଷତାର ମୂଲ୍ୟାଙ୍କନକୁ ନେଇ ହୋଇଥାଏ।
କେନ୍ଦ୍ର ଏହା ଅଧୀନରେ ଥିବା ୭୫ଟି ମନ୍ତ୍ରାଳୟ ଏବଂ ବିଭାଗର ତଥ୍ୟ ଦାଖଲ କରି କହିଛି ଯେ ମୋଟ ୨୭,୫୫,୪୩୦ କର୍ମଚାରୀଙ୍କ ମଧ୍ୟରୁ ୪,୭୯,୩୦୧ ଜଣ ଏସସି, ୨,୧୪,୭୩୮ ଜଣ ଏସଟି ଏବଂ ଓବିସି କର୍ମଚାରୀଙ୍କ ସଂଖ୍ୟା ୪,୫୭,୧୪୮।
ସର୍ବୋଚ୍ଚ ନ୍ୟାୟାଳୟ ପୂର୍ବରୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ ଯେ ସରକାରୀ ଚାକିରିରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିମାନଙ୍କୁ ପଦୋନ୍ନତିରେ ସଂରକ୍ଷଣ ପ୍ରଦାନ ପାଇଁ ଉପଲବ୍ଧ ସମକାଳୀନ ତଥ୍ୟ ଉପରେ ଏକ ସତ୍ୟପାଠ ଦାଖଲ କରନ୍ତୁ।