ରାଣୀ ଏଲିଜାବେଥ ଦ୍ବିତୀୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା ଭାରତ: ଦେଶବ୍ୟାପୀ ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳିତ

ଜାତୀୟ ପତାକା ଅର୍ଦ୍ଧନମିତ

ନୂଆଦିଲ୍ଲୀ: ବ୍ରିଟେନ ରାଣୀ ଏଲିଜାବେଥ୍‌ ଦ୍ବିତୀୟଙ୍କ ମୃତ୍ୟୁରେ ମ୍ରିୟମାଣ ଭାରତ ଆଜି ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ କରିଛି। ରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଲାଲକିଲ୍ଲା ଓ ରାଷ୍ଟ୍ରପତି ଭବନ ସମେତ ଦେଶବ୍ୟାପୀ ଜାତୀୟ ପତାକା ଅର୍ଦ୍ଧନମିତ ରହିଛି। ରାଣୀ ଏଲିଜାବେଥ ଦ୍ବିତୀୟ ବ୍ରିଟେନର ରାଣୀ ଭାବେ ସର୍ବାଧିକ ବର୍ଷ କାର୍ଯ୍ୟ କରିଛନ୍ତି। ଗତ ୮ ତାରିଖରେ ତାଙ୍କର ପରଲୋକ ହୋଇଛି। ଏଥିପାଇଁ ବ୍ରିଟେନରେ ୧୦ ଦିନିଆ ରାଷ୍ଟ୍ରୀୟ ଶୋକ ଏବେ ପାଳନ କରାଯାଉଛି। ରାଣୀଙ୍କ ସମ୍ମାନାର୍ଥେ ଭାରତରେ ଆଜି ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ ବୋଲି ଗୃହ ସଚିବ ଅଜୟ ଭଲ୍ଲା ପୂର୍ବରୁ ଘୋଷଣା କରିଥିଲେ। ତେଣୁ ଆଜି ସରକାରୀ ଭାବେ ସମସ୍ତ ଆମୋଦପ୍ରମୋଦ କାର୍ଯ୍ୟ ବନ୍ଦ ରହିଥିଲା। ପୂର୍ବରୁ ରାଣୀଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକବ୍ୟକ୍ତ କରିଥିଳେ। ୭୦ ବର୍ଷ ଧରି ରାଣୀ ଆସନରେ ବସିବା ପରେ ୯୬ ବର୍ଷ ବୟସରେ ତାଙ୍କର ନିଧନ ହୋଇଥିଲା। ରାଣୀଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଚାର୍ଲସ ରାଜା ହୋଇଛନ୍ତି।

ଦେଶଭ୍ରମଣ କରିବେ ରାଜା


ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଶେଷକୃତ୍ୟ ପୂର୍ବରୁ ବ୍ରିଟେନର ନୂଆ ରାଜା ଚାର୍ଲସ ତୃତୀୟ ଦେଶଭ୍ରମଣ କରିବେ। ସେ ସ୍କଟଲାଣ୍ଡ, ନଦର୍ଣ୍ଣ ଆୟର୍ଲାଣ୍ଡ ଓ ୱେଲ୍ସ ଗସ୍ତରେ ଯିବେ। ତାଙ୍କ ସହିତ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ ମଧ୍ୟ ଯାତ୍ରା କରିବେ। ରାଣୀଙ୍କ ଶେଷକୃତ୍ୟ ସଂପନ୍ନ ହେବା ପର୍ଯ୍ୟନ୍ତ ଦେଶରେ ରାଷ୍ଟ୍ରୀୟ ଶୋକ ପାଳିତ ହେବ। ତାହାପରେ ବ୍ରିଟିସ ରାଜ ପରିବାର ଆଉ ୭ ଦିନ ଶୋକ ପାଳନ କରିବେ। ୱେଷ୍ଟମିନିଷ୍ଟର ଆବେ ନାମକ ଐତିହାସିକ ଚର୍ଚ୍ଚରେ ସାଧାରଣତଃ ବ୍ରିଟେନ ରାଜା ଓ ରାଣୀମାନଙ୍କର ରାଜ୍ୟାଭିଷେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। କିନ୍ତୁ ମୃତ୍ୟୁପରେ ସେମାନଙ୍କ ଶରୀରକୁ ସବୁଦିନ ପାଇଁ ୱିଣ୍ଡସରର ସେଣ୍ଟ ଜର୍ଜ ଚାପେଲରେ ବିଶ୍ରାମ ଦିଆଯାଇଥାଏ। ରାଣୀଙ୍କ ଶେଷକୃତ୍ୟରେ ଯୋଗଦେବା ପାଇଁ ବିଶ୍ବର ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟମାନଙ୍କୁ ଆମନ୍ତ୍ରଣ କରାଯିବ। ଏହି କାର୍ଯ୍ୟକ୍ରମରେ ବ୍ରିଟେନର ପ୍ରଧାନମନ୍ତ୍ରୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଓ ରାଜନେତାମାନେ ଉପସ୍ଥିତ ରହିବେ। ଚାର୍ଲସ ତୃତୀୟ ଶନିବାର ଦିନ ଯେତେବେଳେ ଲଣ୍ଡନର ସେଣ୍ଟ ଜେମ୍ସ ପ୍ୟାଲେସରେ ନୂଆ ରାଜା ହେଲେ ସେତେବେଳେ ‌ଶେଷକୃତ୍ୟ ଦିନ ବ୍ୟାଙ୍କ ଛୁଟି ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର