ନୂଆଦିଲ୍ଲୀ : ବ୍ରିଟେନର ରାଣୀ ଏଲିଜାବେଥ ଦ୍ବିତୀୟଙ୍କର ଦୀର୍ଘ ୭୦ ବର୍ଷ ଶାସନର ଅନ୍ତ ଗୁରୁବାର ଦିନ ଘଟିଛି। ୯୬ ବର୍ଷରେ ସ୍କଟଲାଣ୍ଡରେ ତାଙ୍କର ପରଲୋକ ହୋଇଯାଇଛି। ଏଲିଜାବେଥ ଦ୍ବିତୀୟ ତାଙ୍କର ଶାସନ କାଳ ମଧ୍ୟରେ ଭାରତକୁ ୩ ଥର ଆସିଛନ୍ତି। ସେହି ମସିହାଗୁଡ଼ିକ ହେଉଛି ୧୯୬୧, ୧୯୮୩ ଏବଂ ୧୯୯୭। ୧୯୬୧ ମସିହାରେ ସେ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଥିବା ସମୟରେ ନୂଆଦିଲ୍ଲୀରେ ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳ ରାଜଘାଟକୁ ଯାଇଥିଲେ। ତାଙ୍କ ସହିତ ସ୍ବାମୀ ପ୍ରିନ୍ସ ଫିଲିପ ମଧ୍ୟ ସମାଧି ସ୍ଥଳକୁ ଯାଇଥିଲେ।

Advertisment

ଭାରତର ଶେଷ ସମ୍ରାଟ କ୍ରିଙ୍ଗ ଜର୍ଜ ଷଷ୍ଠ ଥିଲେ ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ବାପା। ଭାରତ ସ୍ବାଧୀନ ହେବା ପରେ ୧୯୫୨ରେ କିଙ୍ଗ ଜର୍ଜ ଷଷ୍ଠଙ୍କର ପରଲୋକ ହୋଇଥିଲା। ଏହାପରେ ଏଲିଜାବେଥ ଦ୍ବିତୀୟ ବ୍ରିଟେନର ରାଣୀ ଆସନରେ ବସି ସାରିଥିଲେ। ଦେଶ ସ୍ବାଧୀନ ହେବା ପରେ ବ୍ରିଟେନର ରାଣୀ ଭାବେ ୧୯୬୧ ମସିହାରେ ଏଲିଜାବେଥ ଦ୍ବିତୀୟ ପ୍ରଥମ ଥର ପାଇଁ ଭାରତ ଆସିଥିଲେ। ଦିଲ୍ଲୀ ଗସ୍ତ ସମୟରେ ରାଣୀ ଏବଂ ତାଙ୍କ ସ୍ବାମୀ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ରାଜଘାଟ ଯାଇଥିଲେ। ସେଠାରେ ସେମାନେ ସ୍ମାରକୀ ସ୍ଥଳକୁ ପ୍ରବେଶ କରିବା ପୂର୍ବରୁ ପାଦରୁ ଚପଲ କାଢ଼ି ଦେଇଥିଲେ। ତାହା ବଦଳରେ ସେମାନେ ଭେଲଭେଟ ସ୍ଲିପର ପିନ୍ଧି ସ୍ମାରକୀ ଅଞ୍ଚଳକୁ ପ୍ରବେଶ କରିଥିଲେ। ଏଥିସହିତ ସେହିବର୍ଷ ଜାନୁଆରି ୨୭ ତାରିଖରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନର ଉଦ୍‌ଘାଟନ କରିଥିଲେ। ପ୍ରଥମ ଗସ୍ତ ସମୟରେ ସେମାନେ ଆଗ୍ରା, ବମ୍ବେ, ବାରଣାସୀ, ଉଦୟପୁର, ଜୟପୁର, ବାଙ୍ଗାଲୋର, ମାଡ୍ରାସ ଏବଂ କଲିକତା ଆଦି ସହର ଗସ୍ତ କରିଥିଲେ। ଆଗ୍ରାରେ ଖୋଲା କାରରେ ବସି ତାଜମହଲ ବୁଲିଥିଲେ।

୧୯୬୧ ପରେ ୧୯୮୩ ମସିହାରେ ରାଣୀ ଦ୍ବିତୀୟ ଥର ପାଇଁ ଭାରତ ଆସିଥିଲେ। ତୃତୀୟ ଥର ପାଇଁ ଭାରତ ସ୍ବାଧୀନତା ପ୍ରାପ୍ତ ହେବାର ସୁବର୍ଣ୍ଣ ଜୟନ୍ତୀ ବର୍ଷ ୧୯୯୭ରେ ରାଣୀ ତୃତୀୟ ବା ଶେଷ ଥର ପାଇଁ ଭାରତ ଆସିଥିଲେ। ୧୯୮୭ରେ ତତ୍କାଳୀନ ରାଷ୍ଟ୍ରପତି ଜ୍ଞାନୀ ଜୈଲ ସିଂହଙ୍କ ଆମନ୍ତ୍ରଣ କ୍ରମେ ରାଣୀ ଭାରତକୁ ଆସିଥିଲେ। ରାଣୀ ଏବଂ ତାଙ୍କ ସ୍ବାମୀ ଫିଲିପ ସେହି ସମୟରେ ରାଷ୍ଟ୍ରପତି ଭବନରେ ରହିଥିଲେ। ମଦର ଟେରେସାଙ୍କୁ ରାଣୀ ସେହି ବର୍ଷ ସମ୍ମାନିତ ମଧ୍ୟ କରିଥିଲେ। ସ୍ବାଧୀନତାର ସୁବର୍ଣ୍ଣ ଜୟନ୍ତୀ ଅବସରରେ ରାଣୀ ଭାରତକୁ ଆସିଥିବା ସମୟରେ ଅମୃତସରର ଜାଲିୱାନାୱାଲା ବାଗ ସ୍ମାରକୀ ସ୍ଥଳକୁ ଯାଇଥିଲେ। ସେଠାରୁ ଫେରିବା ପରେ ରାଣୀ ସ୍ବୀକାର କରିଥିଲେ ଯେ ଅତୀତରେ କେତୋଟି ଜଟିଳ ଅଧ୍ୟାୟ ରହିଥିବା ବିଷୟ କିଛି ଗୋପନ ହୋଇ ରହିନାହିଁ। ଜାଲିୱାନାୱାଲ ବାଗ ଏକ ହତାଶାଜନକ ଉଦାହରଣ। ରାଣୀ ସ୍ମାରକୀସ୍ଥଳରେ ମୁଣ୍ଡ ନୁଆଁଇବା ସହିତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।