ପରଲୋକରେ ମହାରାଣୀ ଏଲିଜାବେଥ୍‌

ସର୍ବାଧିକ ସମୟ (୭୦ ବର୍ଷ)ଶାସନରେ ରହିଥିଲେ, ଚାର୍ଲସ ହେଲେ ବ୍ରିଟେନ ରାଜା

ଲଣ୍ଡନ : ବ୍ରିଟେନ ମହାରାଣୀ ଏଲିଜାବେଥ (ଦ୍ବିତୀୟ)ଙ୍କର ଗୁରୁବାର ଦିନ ୯୬ ବର୍ଷ ବୟସରେ ପରଲୋକ ଘଟିଛି। ବ୍ରିଟେନ ରାଜତନ୍ତ୍ରରେ ସର୍ବାଧିକ ସମୟ ଶାସନରେ ରହିଥିବା ରାଣୀ ଏଲିଜାବେଥଙ୍କର ସ୍କଟ୍‌ଲାଣ୍ଡ୍‌ର ବାଲମୋରାଲ ମହଲରେ ପରଲୋକ ଘଟିଥିବା ରାଜ ପରିବାର ପକ୍ଷରୁ ଘୋଷଣା କରାଯାଇଛି। ଗୁରୁବାର ତାଙ୍କ ସ୍ୱାସ୍ଥ୍ୟରେ ଦ୍ରୁତ ଅବନତି ଘଟିଥିଲା ଏବଂ ତାଙ୍କୁ ବଞ୍ଚାଇବା ପାଇଁ ଡାକ୍ତରୀ ଟିମ୍‌ର ସମସ୍ତ ପ୍ରଚେଷ୍ଟା ବିଫଳ ହୋଇଥିଲା। ୧୯୫୨ ମସିହାରେ ରାଣୀ କ୍ଷମତା ଗ୍ରହଣ କରିବା ପରଠାରୁ ବ୍ୟାପକ ସାମାଜିକ ପରିବର୍ତ୍ତନ ଆଣିଥିଲେ ଏବଂ ରାଷ୍ଟ୍ରର ସମୃଦ୍ଧି ଦିଗରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଥିଲେ। ମହାରାଣୀଙ୍କ ମୃତ୍ୟୁ ପରେ ତାଙ୍କ ବଡ଼ପୁଅ ଚାର୍ଲ୍ସ (ୱେଲ୍ସର ପୂର୍ବତନ ପ୍ରିନ୍ସ)ଙ୍କୁ ନୂତନ ରାଜା ଘୋଷଣା କରାଯାଇଛି। ୧୪ଟି ରାଜ୍ୟଗୋଷ୍ଠୀ ଅଞ୍ଚଳର ମୁଖ୍ୟ ଭାବେ ଶୋକ ପାଳନର ସେ ନେତୃତ୍ବ ନେବେ।

ଏକ ବିବୃତିରେ ବକିଙ୍ଗହମ୍ ପ୍ୟାଲେସ୍ ପକ୍ଷରୁ କୁହାଯାଇଛି ଯେ ଆଜି ଅପରାହ୍ନରେ ବାଲମୋରାଲ ପ୍ରାସାଦରେ ରାଣୀ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ଏବଂ କୃତଜ୍ଞ ରାଷ୍ଟ୍ର ଶୋକାଚ୍ଛନ୍ନ ହୋଇପଡ଼ିଛି। ଆଜି ସକାଳେ ରାଣୀଙ୍କ ଅବସ୍ଥା ଉଦ୍‌ବେଗଜନକ ହେବାପରେ ତାଙ୍କୁ ଡାକ୍ତରମାନେ ସଂପୂର୍ଣ୍ଣ ତତ୍ତ୍ବାବଧାନରେ ରଖିଥିଲେ ଏବଂ ସଂପର୍କୀୟମାନେ ବାଲମୋରାଲ ପ୍ୟାଲେସରେ ପହଞ୍ଚିବା ଆରମ୍ଭ କରିଥିଲେ।

ନାତି ପ୍ରିନ୍ସ ୱିଲିୟମ୍ ତାଙ୍କ ଭାଇ ପ୍ରିନ୍ସ ହ୍ୟାରିଙ୍କ ସହିତ ପ୍ୟାଲେସରେ ପହଞ୍ଚିବା ବେଳକୁ ରାଣୀ ଜୀବିତ ଥିଲେ ଏବଂ ଏହାର କିଛି ସମୟ ପରେ ତାଙ୍କର ପରଲୋକ ଘଟିଥିଲା। ରାଣୀ ଏଲିଜାବେଥ ଦ୍ୱିତୀୟ ରାଷ୍ଟ୍ର ମୁଖ୍ୟ ଭାବରେ ତାଙ୍କ କାର୍ଯ୍ୟକାଳରେ ବହୁତ ବଡ଼ ଘଟଣାର ସାମ୍ନା କରିଛନ୍ତି। ଯୁଦ୍ଧ ପରବର୍ତ୍ତୀ ଆର୍ଥିକ ସ୍ଥିତିର ମୁକାବିଲାଠାରୁ ଆରମ୍ଭ କରି ସାମ୍ରାଜ୍ୟରୁ ରାଜ୍ୟଗୋଷ୍ଠୀକୁ ପରିବର୍ତ୍ତନ, ଶୀତଳ ଯୁଦ୍ଧର ସମାପ୍ତି ଏବଂ ୟୁରୋପୀୟ ୟୁନିଅନରେ ବ୍ରିଟେନର ପ୍ରବେଶ ଏବଂ ପ୍ରତ୍ୟାହାର ପର୍ଯ୍ୟନ୍ତ ସବୁକିଛି ରାଣୀଙ୍କ ଶାସନ କାଳରେ ଘଟିଥିଲା।

ରାଣୀ ଏଲିଜାବେଥ (ଦ୍ବିତୀୟ) ତାଙ୍କର ଦୀର୍ଘ ଶାସନକାଳରେ ୧୫ ଜଣ ପ୍ରଧାନମନ୍ତ୍ରୀଙ୍କ ସହିତ କାମ କରିଛନ୍ତି। ୧୮୭୪ ମସିହାରେ ଜନ୍ମିତ ୱିନ୍‌ଷ୍ଟନ୍‌ ଚର୍ଚ୍ଚିଲଙ୍କ ଠାରୁ ଆରମ୍ଭ କରି ୧୯୭୫ ମସିହାରେ ଜନ୍ମ ହୋଇଥିବା ଲିଜ୍ ଟ୍ରସ୍‌ଙ୍କୁ ରାଣୀ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି।

ବ୍ରିଟେନ୍‌ ମହାରାଣୀ ୨୧ ଏପ୍ରିଲ ୧୯୨୬ରେ ଲଣ୍ଡନର ମେଫେୟାରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତା ହେଉଛନ୍ତି ଜର୍ଜ ଷଷ୍ଠ ଏବଂ ମାତା ଏଲିଜାବେଥ ଆଲେକ୍ସଜାଣ୍ଡାର ମେରୀ।

ସମ୍ବନ୍ଧିତ ଖବର