ରାଜା ଚାର୍ଲସ୍‌ଙ୍କ ରାଣୀ କାମିଲାଙ୍କ ମସ୍ତକରେ ଶୋଭା ପାଇବ କୋହିନୂର ହୀରା ମୁକୁଟ: ରିପୋର୍ଟ

ନୂଆଦିଲ୍ଲୀ: ଯୁବରାଜ ଚାର୍ଲସ୍‌ ସିଂହାସନ ଆରୋହଣ କଲେ ତାଙ୍କ ପତ୍ନୀ ତଥା ଡଚେସ୍‌ ଅଫ୍‌ କର୍ଣ୍ଣୱାଲ୍‌ କାମିଲା ରାଣୀ ହେବେ ବୋଲି ଚଳିତ ବର୍ଷ ପ୍ରାରମ୍ଭରେ ରାଣୀ ଦ୍ବିତୀୟ ଏଲିଜାବେଥ୍‌ ଘୋଷଣା କରିଥିଲେ।

ଗୁରୁବାର ଅପରାହ୍ଣରେ ୯୬ ବର୍ଷ ବୟସରେ ରାଣୀ ଦ୍ବିତୀୟ ଏଲିଜାବେଥ୍‌ଙ୍କର ମୃତ୍ୟୁ ଘଟିଛି। ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ରାଜପରିବାର ଉଲ୍ଲେଖ କରିଛନ୍ତି: ଆଜି ଅପରାହ୍ଣରେ ବାଲ୍‌ମୋରାଲ୍‌ରେ ଶାନ୍ତିରେ ମୃତ୍ୟୁବରଣ କରିଛନ୍ତି। ରାଜା ଓ ରାଣୀ ଆଜି ସନ୍ଧ୍ୟାରେ ବାଲ୍‌ମୋରାଲ୍‌ରେ ରହିବେ ଓ ଆଗାମୀକାଲି ଲଣ୍ଡନ୍‌କୁ ଫେରିଯିବେ।

ଚାର୍ଲସ୍‌ ସିଂହାସନ ଆରୋହଣ କରିବା ପରେ ରାଣୀ ମାଆଙ୍କର ପ୍ରସିଦ୍ଧ କୋହିନୂର ମୁକୁଟ କାମିଲା ଗ୍ରହଣ କରିବେ ବୋଲି ଇଂଲଣ୍ଡ୍‌ର ସମ୍ବାଦପତ୍ର ‘ଡେଲି ମେଲ୍‌’ ରିପୋର୍ଟ କରିଛି। ରିପୋର୍ଟରେ ଉଲ୍ଲେଖ ଅଛି ଯୁବରାଜ ଚାର୍ଲସ୍‌ ରାଜା ହେଲେ ଉକ୍ତ ଅମୂଲ୍ୟ ପ୍ଲାଟିନ୍‌ ଓ ହୀରା ମୁକୁଟ କାମିଲାଙ୍କ ମସ୍ତକରେ ଶୋଭା ପାଇବ।

Image Courtesy of Republic World

ସ୍ମରଣଯୋଗ୍ୟ, କୋହିନୂର ୧୦୫.୬ କାରେଟ୍‌ ହୀରା। ଏହି ହୀରା ୧୪ଶ ଶତାବ୍ଦୀରେ ଭାରତରୁ ମିଳିଥିଲା। ଶତାବ୍ଦୀ ଶତାବ୍ଦୀ ଧରି ଏହି ହୀରା ଅନେକ ବ୍ୟକ୍ତିଙ୍କ ହାତକୁ ଯାଇଥିଲା। ଶେଷରେ ୧୮୪୯ ମସିହାରେ ବ୍ରିଟିସ୍‌ ପଞ୍ଜାବ ବିଜୟ କରିବା ପରେ କୋହିନୂର ହୀରା ରାଣୀ ଭିକ୍ଟୋରିଆଙ୍କୁ ପ୍ରଦାନ କରାଯାଇଥିଲା। ସେବେଠାରୁ ତାହା ବିଟ୍ରିସ୍‌ ମୁକୁଟ-ରତ୍ନ ହୋଇ ରହିଆସିଛି। କିନ୍ତୁ, ଏହାର ଐତିହାସିକ ମାଲିକାନା ନେଇ ଭାରତ ସମେତ ଅନ୍ୟୂନ ୪ଟି ଦେଶ ବିବାଦ କରୁଛନ୍ତି।

Image Courtesy of NDTV

୧୯୩୭ ମସିହାରେ ରାଜା ୬ଷ୍ଠ ଜର୍ଜଙ୍କ ଅଭିଷେକ ସମୟରେ ରାଣୀ ଏଲିଜାବେଥ୍‌ଙ୍କ ନିମନ୍ତେ ନିର୍ମିତ ପ୍ଲାଟିନମ୍‌ ମୁକୁଟରେ କୋହିନୂର ହୀରାକୁ ଖଞ୍ଜା ଯାଇଥିଲା। ଏହାକୁ ସର୍ବସାଧାଣଙ୍କ ଦର୍ଶନ ନିମନ୍ତେ ‘ଟାୱାର୍‌ ଅଫ୍‌ ଲଣ୍ଡନ୍‌’ରେ ରଖାଯାଇଛି।

ସୂଚନାଯୋଗ୍ୟ, ରାଜା ୬ଷ୍ଠ ଜର୍ଜଙ୍କ ମୃତ୍ୟୁ ପରେ ଝିଅ ଦ୍ବିତୀୟ ଏଲିଜାବେଥ୍‌ ୧୯୫୨ ମସିହା ଫେବ୍ରୁଆରି ୬ ତାରିଖ ଦିନ ୨୫ ବର୍ଷ ବୟସରେ ରାଣୀ ‌ହୋଇଥିଲେ।  ୧୯୪୭ ମସିହା ନଭେମ୍ବର ୨୦ ତାରିଖ ଦିନ ସେ ଯୁବରାଜ ଫିଲିପ୍‌ଙ୍କୁ ବିବାହ କରିଥିଲେ ଏବଂ ଗତବର୍ଷ ଫିଲିପ୍‌ଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର