ରାଣୀଙ୍କ ମହୁମାଛିଙ୍କୁ କୁହାଗଲା ରାଣୀ ଆଉ ନାହାନ୍ତି, ଏବେ ରାଜା ଚାର୍ଲସ୍‌ ତୁମର ନୂଆ ମାଲିକ

ଲଣ୍ଡନ୍‌: ରାଣୀ ଦ୍ବିତୀୟ ଏଲିଜାବେଥ୍‌ଙ୍କର ଦେହାନ୍ତ ଘଟିଥିବା କଥା ରାଜାଘର ମହୁମାଛି ପାଳକ ବକିଙ୍ଗ୍‌ହାମ୍‌ ପ୍ରାସାଦ ଏବଂ କ୍ଲାରେନ୍‌ସ୍‌ ହାଉସ୍‌ ପରିସରରେ ଥିବା ମହୁମାଛିମାନଙ୍କୁ ଅବଗତ କରାଇ ଦେଇଛନ୍ତି।

ଶହ ଶହ ବର୍ଷ ପୁରାତନ ଏହି ବିଚିତ୍ର ପ୍ରଥା ଅନୁସାରେ, ମହୁମାଛିମାନଙ୍କୁ ଚୁପ୍‌ ଚୁପ୍‌ କରି ଜଣାଇ ଦିଆଯାଇଛି ଯେ, ଏବେ ସେମାନଙ୍କର ନୂଆ ଖାଉନ୍ଦ (ମାଲିକ) ହେଉଛନ୍ତି ରାଜା ତୃତୀୟ ଚାର୍ଲସ୍‌।

ଗଣମାଧ୍ୟମ ‘ମେଲ୍‌ଅନ୍‌ଲାଇନ୍‌’କୁ ରାଜାଘର ମହୁମାଛି ପାଳକ ୭୯ ବର୍ଷିୟ ଜନ୍‌ ଚାପେଲ୍‌ କହିଛନ୍ତି ଯେ, ରାଣୀଙ୍କ ମୃତ୍ୟୁ ଖବର ପାଇବା ପରେ ଏହି ପ୍ରାଚୀନ ପ୍ରଥା ପାଳନ ନିମନ୍ତେ ଶୁକ୍ରବାର ଦିନ ସେ ବକିଙ୍ଗ୍‌ହାମ୍‌ ପ୍ରାସାଦ ଓ କ୍ଲାରେନ୍‌ସ୍‌ ହାଉସ୍‌ ଯାଇଥିଲେ।

ମାଲିକାଣୀଙ୍କର ଦେହାନ୍ତ ଘଟିଛି ଓ ଏବେ ନୂଆ ମାଲିକ ଦାୟିତ୍ବ ନେବେ ବୋଲି କହିବା ପୂର୍ବରୁ ସେ ଅସଂଖ୍ୟ ମହୁମାଛି ବସବାସ କରୁଥିବା ମହୁଫେଣାଗୁଡ଼ିକରେ କାଉଫାଶ (ବାଓ) ପକାଇ କଳା ରିବନ୍‌ ବା ଫିତା ବାନ୍ଧି ଦେଇଥିଲେ। ନୂଆ ମାଲିକଙ୍କ ନିକଟରେ ଉତ୍ତର ଆଚରଣ ପ୍ରଦର୍ଶନ କରିବା ମଧ୍ୟ ସେ ମହୁମାଛିମାନଙ୍କୁ କହିଛନ୍ତି।

Image Courtesy of Mailonline

ପ୍ରାଚୀନ କାଳରୁ ଚଳି ଆସୁଥିବା ଅନ୍ଧବିଶ୍ବାସ ଅନୁସାରେ, ମାଲିକ ବଦଳିଛନ୍ତି ବୋଲି ମହୁମାଛିଙ୍କୁ କହିଲେ, ସେମାନେ ମହୁ ସଂଗ୍ରହ କରିବେ ନାହିଁ, ମହୁଫେଣା ଛାଡ଼ି ଚାଲିଯିବେ ନତୁବା ମରିଯିବେ।

ବକିଙ୍ଗ୍‌ହାମ୍‌ ପ୍ରାସାଦ ଉଦ୍ୟାନରେ ଥାଇ ଚାପେଲ୍‌ କହିଛନ୍ତି, ଏବେ ମୁଁ ମହୁମାଛିମାନଙ୍କ ଫେଣା ପାଖରେ ଅଛି। ଜଣେ ମରିଗଲେ ମହୁଫେଣା ନିକଟକୁ ଯାଇ ଅଳ୍ପ ସମୟ ପ୍ରାର୍ଥନା କରିବା ସହ ଫେଣାରେ କଳାଫିତା ବାନ୍ଧିବା ବିଧି ରହିଛି।

ତେଣୁ, ରାଣୀଙ୍କ ମୃତ୍ୟୁ ପରେ ପ୍ରତିଟି ମହୁଫେଣା ପାଖକୁ ଯାଇ କହିବାକୁ ପଡୁଛି, ମାଲିକାଣୀଙ୍କ ଦେହାନ୍ତ ଘଟିଛି, କିନ୍ତୁ ତୁମେ ସବୁ ଚାଲିଯାଆ ନାହିଁ। ତୁମ ମାଲିକ ଜଣେ ଭଲ ଲୋକ।

ଚାପେଲ୍‌ କହିଛନ୍ତି, କ୍ଲାରେନ୍‌ସ୍‌ ହାଉସ୍‌ରେ ୨ଟି ଓ ବକିଙ୍ଗ୍‌ହାମ୍‌ ପ୍ରାସାଦରେ ୫ଟି ମହୁଫେଣା ଅଛି। ଏବେ ପ୍ରତିଫେଣାରେ ପ୍ରାୟ ୨୦,୦୦୦ ପାଖାପାଖି ମହୁମାଛି ଅଛନ୍ତି। କିନ୍ତୁ, ଖରାଦିନେ ଏଥିରେ କୋଟି କୋଟି ସଂଖ୍ୟାରେ ମହୁମାଛି ଥାଆନ୍ତି।

ସମ୍ବନ୍ଧିତ ଖବର