ଅଷ୍ଟ୍ରେଲିଆରେ ସାଇତା ହୋଇଛି ରାଣୀଙ୍କ ଚିଠି: ୧୯୮୬ରେ ଲେଖିଥିଲେ,୨୦୮୫ରେ ଖୋଲିବେ ସିଡ୍‌ନି ମେୟର

ରାଣୀଙ୍କ ମୃତ୍ୟୁ ପରେ ଅଷ୍ଟ୍ରେଲିଆକୁ ସାଧାରଣତନ୍ତ୍ର କରିବାର ବିତର୍କ ଜାଗିଲା

ଲଣ୍ଡନ: ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଦ୍ବାରା ଲିଖିତ ଏକ ଚିଠି ଅଷ୍ଟ୍ରେଲିଆର ସିଡ୍‌ନୀଠାରେ ଥିବା ରାଣୀ ଭିକ୍ଟୋରିଆ ଭବନରେ ଲକରରେ ସାଇତି ରଖାଯାଇଛି। ୧୯୮୬ ନଭେମ୍ବର ମାସରେ ରାଣୀ ସିଡ୍‌ନୀର ଜନସାଧାରଣଙ୍କୁ ସମ୍ବୋଧିତ କରି ଏହି ଚିଠି ଲେଖିଥିଲେ ଯାହାକୁ ୨୦୮୫ ମସିହାରେ ହିଁ ଖୋଲାଯାଇପାରିବ। ଅଷ୍ଟ୍ରେଲିଆର ଏକ ଗଣମାଧ୍ୟମରେ ପ୍ରକାଶିତ ସୂଚନା ଅନୁସାରେ ଏକ ନିଷିଦ୍ଧାଞ୍ଚଳରେ କାଚ ଫରୁଆ ଭିତରେ ସାଇତି ରଖାଯାଇଥିବା ଚିଠିରେ କ’ଣ ଲେଖା ଅଛି ତାହା ରାଣୀଙ୍କ ବ୍ୟକ୍ତିଗତ କର୍ମଚାରୀମାନେ ବି ଜାଣି ନାହାନ୍ତି। ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ପ୍ରମାତାମହୀ ରାଣୀ ଭିକ୍ଟୋରିଆଙ୍କ ହୀରକ ଜୟନ୍ତୀ ପାଳନ ଉଦ୍ଦେଶ୍ୟରେ ୧୮୯୮ ମସିହାରେ ନିର୍ମିତ ରାଣୀ ଭିକ୍ଟୋରିଆ ଭବନର ନବୀକରଣ ଉତ୍ସବ ପାଳନ ଅବସରରେ ରାଣୀ ଏହି ଚିଠି ଲେଖିଥିଲେ।

ଏ ଚିଠି କେବେ ଖୋଲାଯିବ ସେ ନେଇ ରାଣୀ ଏଲିଜାବେଥ ଦ୍ବିତୀୟ ସିଡ୍‌ନୀର ମେୟରଙ୍କୁ ଏକ ନୋଟ୍ ଦ୍ବାରା ସୂଚିତ କରିଥିଲେ। ଏଥିରେ ସେ ଲେଖିଥିଲେ ଯେ, ଚିଠିଟି ଖୋଲା ହେବାର ବର୍ଷ ହେଉଛି ୨୦୮୫, ତା’ ପୂର୍ବରୁ ନୁହେଁ। ତେବେ ୨୦୮୫ ମସିହାରେ କେଉଁ ମାସରେ ଓ କେଉଁ ତାରିଖରେ ଚିଠିଟି ଖୋଲି ସେଥିରେ ଲେଖାଥିବା ବିଷୟବସ୍ତୁ ସିଡ୍‌ନୀର ନାଗରିକମାନଙ୍କୁ ଅବଗତ କରାଯିବ, ତାହା ମେୟର ହିଁ ନିର୍ଦ୍ଧାରଣ କରିବେ। ଚିଠିର କଭର ଉପରେ କେବଳ ଏତିକି ସ୍ବାକ୍ଷର ଅଛି- ‘ଏଲିଜାବେଥ୍ ଆର୍’।

ରାଜା ଭାବେ ସଂସଦରେ ଚାର୍ଲସଙ୍କ ଉଦ୍‌ବୋଧନ
ଲଣ୍ଡନ: ଚାର୍ଲ୍‌ସ ତୃତୀୟ ବ୍ରିଟେନର ରାଜା ଭାବେ ଆଜି ପ୍ରଥମ ଥର ପାଇଁ ସଂସଦକୁ ଉଦ୍‌ବୋଧନ ଦେଇଛନ୍ତି। ୱେଷ୍ଟମିନଷ୍ଟର ହଲ୍‌ରେ ଉଭୟ ହାଉସ ଅଫ୍‌ କମନ୍‌ସ ଏବଂ ହାଉସ ଅଫ୍‌ ଲର୍ଡ‌୍‌ସର ସଦସ୍ୟଙ୍କ ଦ୍ବାରା ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ବି‌ୟୋଗରେ ଶୋକ ବ୍ୟକ୍ତ କରାଯାଇଛି। ସଂସଦକୁ ଭାଷଣ ଦେବା ସମୟରେ ରାଜା ଚାର୍ଲ୍‌ସ ତାଙ୍କ ‘ସ୍ବର୍ଗତ ପ୍ରିୟ ମା’ଙ୍କ କଥା କହିଥିଲେ। ସାମ୍ବିଧାନିକ ଶାସନର ଗୁରୁତ୍ବପୂର୍ଣ୍ଣ ନୀତିକୁ ପାଳନ କରିବାରେ ମା’ଙ୍କୁ ଅନୁସରଣ କରିବେ ବୋଲି ରାଜା ଚାର୍ଲ୍‌ସ ତୃତୀୟ ପ୍ରତିଶ୍ରୁତି ଦେଇଛନ୍ତି। ରାଜା କହିଛନ୍ତି, ସଂସଦ ଆମ ଗଣତନ୍ତ୍ରର ଶ୍ବାସଯନ୍ତ୍ର। ରାଜା ସଂସଦରେ ଉଦ୍‌ବୋଧନ ଦେବାପରେ ରାଣୀ କାମିଲ୍ଲାଙ୍କ ସହ ଏଡ଼ିନବର୍ଗ ଯାଇଛନ୍ତି।

ରାଣୀଙ୍କ ମୃତ୍ୟୁ ପରେ ଅଷ୍ଟ୍ରେଲିଆକୁ ସାଧାରଣତନ୍ତ୍ର କରିବାର ବିତର୍କ ଜାଗିଲା

କାନବେରା: ଅଷ୍ଟ୍ରଲିଆ ୧୯୦୧ ମସିହ‌ାରେ ଇଂଲଣ୍ଡଠାରୁ ସ୍ବାଧୀନତା ଲାଭ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ନିଜସ୍ବ ରାଷ୍ଟ୍ରମୁଖ୍ୟଙ୍କ ସହ ଏକ ସାଧାରଣତନ୍ତ୍ର (ରିପବ୍ଲିକ୍) ରାଷ୍ଟ୍ରରେ ପରିଣତ ହୋଇପାରି ନାହିଁ। ଅନେକେ ମନେକରନ୍ତି ରାଣୀ ଏଲିଜାବେଥ୍ ଦ୍ବିତୀୟଙ୍କ ପ୍ରତି ଅଧିକାଂଶ ଲୋକଙ୍କ ସମ୍ମାନ ହିଁ ଏହି ପଥରେ ବାଧକ ହୋଇଛି। ବର୍ତ୍ତମାନ ରାଣୀଙ୍କ ପରଲୋକ ହୋଇଯାଇଛି ଏବଂ ସାଧାରଣତନ୍ତ୍ର-ସପକ୍ଷବାଦୀ ଲେବର ପାର୍ଟି ସରକାର କ୍ଷମତାରେ ଅଛି। ତେଣୁ ବ୍ରିଟିସ ରାଜତନ୍ତ୍ର ସହ ସାମ୍ବିଧାନିକ ବନ୍ଧନର ଅନ୍ତ ଘଟାଇବା ଲାଗି ପୁଣିଥରେ ବିତର୍କ ଆରମ୍ଭ ହେବାର ସମ୍ଭାବନା ଦେଖାଦେଇଛି। ୧୯୯୯ରେ ଏପରି ବିତର୍କ ଆରମ୍ଭ ହୋଇ ଜନମତ ନିଆଯାଇଥିଲା। କିନ୍ତୁ ଜନମତ ଏହା ବିପକ୍ଷରେ ଯାଇଥିଲା। ଅଧିକାଂଶ ଲୋକ ରାଣୀଙ୍କ ପ୍ରତି ନିଜର ଆନୁଗତ୍ୟ ପ୍ରକାଶ କରିଥିଲେ। ରାଣୀ ଏଲିଜାବେଥ ଦ୍ବିତୀୟ ତାଙ୍କର ଦୀର୍ଘ ଶାସନକାଳ ଭିତରେ ଅଷ୍ଟ୍ରେଲିଆ ସହ ଯେପରି ନିବିଡ଼ ବନ୍ଧନରେ ବାନ୍ଧି ହୋଇଥିଲେ, ଅନ୍ୟ କୌଣସି ରାଜା ବା ରାଣୀଙ୍କର ଏହି ଦେଶ ସହ ଏପରି ସମ୍ପର୍କ ନ ଥିଲା।

୧୯୫୪ରେ ପ୍ରଥମ ବ୍ରିଟିଶ ଶାସକ ଭାବେ ରାଣୀ ଏଲିଜାବେଥ ଦ୍ବିତୀୟ ଅଷ୍ଟ୍ରେଲିଆ ଗସ୍ତ କରିଥିଲେ। ସେତେବେଳେ ରାଣୀ ଓ ରାଜା ଫିଲିପଙ୍କ ଦର୍ଶନ ପାଇଁ ଲୋକଙ୍କ ଭିତରେ ଏପରି ଉତ୍ସାହ ଦେଖାଦେଇଥିଲା ଯେ ଉଭୟ ରାଜା ଓ ରାଣୀଙ୍କୁ ଦୁଇମାସ ଧରି ୫୭ଟା ସହର ବୁଲିବାକୁ ପଡ଼ିଥିଲା। ରାଣୀ ତାଙ୍କ ଜୀବନକାଳ ଭିତରେ ୧୬ ଥର ଅଷ୍ଟ୍ରେଲିଆ ଗସ୍ତ କରିଛନ୍ତି ଏବଂ ଶେଷଥର ପାଇଁ ୨୦୧୧ ମସିହାରେ ୮୫ ବର୍ଷ ବୟସରେ ସେ ଅଷ୍ଟ୍ରେଲିଆ ଯାଇଥିଲେ।

ସମ୍ବନ୍ଧିତ ଖବର