ନୂଆଦିଲ୍ଲୀ:ଅନଲାଇନ୍ ଫ୍ୟାଶନ୍ ଜଗତର ଏକ ଜଣାଶୁଣା ନାମ ଏଏସ୍ଓଏସ୍ ର ସହ-ପ୍ରତିଷ୍ଠାତା ତଥା ଜଣେ ଫ୍ୟାସନ୍ ଡିଜାଇନର୍ କ୍ୱେଣ୍ଟିନ୍ ଗ୍ରିଫିଥସ୍ ଥାଇଲ୍ୟାଣ୍ଡର ଏକ ଉଚ୍ଚ କୋଠାର ବାଲକୋନିରୁ ପଡ଼ି ମୃତ୍ୟୁବରଣ କରିଛନ୍ତି। ତାଙ୍କର ବୟସ ୫୮ ବର୍ଷ ଥିଲା। ସ୍ଥାନୀୟ ପୁଲିସ ଶୁକ୍ରବାର ଏହି ଦୁଃଖଦ ଘଟଣାର ବାବଦରେ ପ୍ରକାଶ କରିବା ସହ ଏହି ମାମଲାର ତଦନ୍ତ କରୁଛି, ଏହା ଆତ୍ମହତ୍ୟା ବୋଲି ପୁଲିସ ସନ୍ଦେହ କରୁଛି। ଏହି ଘଟଣା ଫେବୃଆରୀ ୯ ତାରିଖରେ ଘଟିଥିଲା, ଯେତେବେଳେ ଗ୍ରିଫିଥସ୍ ଙ୍କ ମୃତଦେହ ତାଙ୍କ ବାଲକୋନି ତଳେ ମାଟିରେ ମିଳିଥିଲା। ପ୍ରାରମ୍ଭିକ ପୁଲିସ ତଦନ୍ତ ଓ ସିସିଟିଭି ଫୁଟେଜରେ ବାହାର ଲୋକ କୋଠରୀରେ ପ୍ରବେଶ କରିବାର କୌଣସି ପ୍ରମାଣ ମିଳିନାହିଁ। ଘଟଣା ସମୟରେ ସେ କୋଠରୀରେ ଏକା ଥିଲେ ଓ ଆପାର୍ଟମେଣ୍ଟଟି ଭିତରୁ ବନ୍ଦ ଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ଅନ୍ୟାନ୍ୟ ପ୍ରମାଣ ଆଧାରରେ, ପୁଲିସ ଏହାକୁ ଆତ୍ମହତ୍ୟା ମାମଲା ଭାବରେ ବିଚାର କରୁଛି।
ତାଙ୍କ ଘରୁ ମିଳିଛି ଆଇଗତ ମାମଲା ସହ ଜଡ଼ିତ ଦସ୍ତାବିଜ
ତଦନ୍ତ ସମୟରେ ତାଙ୍କ ଘରୁ ପୁଲିସକୁ କିଛି ଆଇଗତ ମାମଲା ସହିତ ଜଡ଼ିତ ଦସ୍ତାବିଜ ମିଳିଥିଲା। ଗ୍ରିଫଥସ୍ ତାଙ୍କର ପୂର୍ବତନ ପତ୍ନୀ, ଯିଏ ଥାଇ ବଂଶୋଦ୍ଭବ ଥିଲେ, ତାଙ୍କ ସହିତ ଜମିଗତ ବିବାଦରେ ଜଡ଼ିତ ଥିଲେ । ସେ ତାଙ୍କ ଉପରେ ୬ଲକ୍ଷ ୭୩ ହଜାର ଆମେରିକୀୟ ଡଲାରରୁ ଅଧିକ ଚୋରି କରିବା ଏବଂ ଜାଲ କାଗଜପତ୍ର ମାଧ୍ୟମରେ ତାଙ୍କୁ ନ ଜଣାଇ ଜମି ବିକ୍ରି କରିବାର ଅଭିଯୋଗ ଆଣିଥିଲେ। ଏହି ମାମଲାରେ ଗତ ବର୍ଷ ଗ୍ରିଫିଥସ୍ ଙ୍କୁ ଗିରଫ କରାଯାଇଥିଲା ଓ ତାଙ୍କ ମୃତ୍ୟୁ ସମୟରେ ତଦନ୍ତ ଜାରି ରହିଥିଲା। ଜଣେ ବନ୍ଧୁ ପୁଲିସକୁ କହିଥିଲେ ଯେ ତାଙ୍କ ପୂର୍ବତନ ପତ୍ନୀଙ୍କ ସହିତ ଏହି ମାମଲା ଯୋଗୁଁ ଗ୍ରିଫିଥସ୍ ବହୁତ ଚାପରେ ଥିଲେ।
ଆହୁରି ପଢନ୍ତୁ - Toll Plaza Cashless : ଏପ୍ରିଲ୍ ୧ରୁ ଏନ୍ଏଚ୍ ଟୋଲ୍ ପ୍ଲାଜାରେ ନଗଦ କାରବାର ବନ୍ଦ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/21/quentin-griffiths-2026-02-21-15-04-49.jpeg)