କଂଗ୍ରେସର ନେତୃତ୍ବ ଉପରେ ପ୍ରଶ୍ନ ଉଠାଇଲେ ବିଦ୍ରୋହୀ ନେତା, ଦଳ ଦୁର୍ବଳ ହୋଇଯାଉଛି ବୋଲି ସ୍ବୀକାର କଲେ

ନୂଆଦିଲ୍ଲୀ: କଂଗ୍ରେସ ଦଳର ନେତୃତ୍ବକୁ ପୁଣି ଥରେ ଖୋଲାଖୋଲି ଚାଲେଞ୍ଜ୍‌ ଦେବାକୁ ‘ଜି-୨୩’ ବିଦ୍ରୋହୀ ଗୋଷ୍ଠୀର କିଛି ନେତା ଶନିବାର ଜମ୍ମୁଠାରେ ଏକତ୍ରିତ ହୋଇ ଦଳୀୟ ନେତୃତ୍ବ ଉପରେ ପ୍ରଶ୍ନ ଉଠାଇଛନ୍ତି। ନିକଟରେ ରାଜ୍ୟସଭାରୁ ଅବସର ନେଇଥିବା ବରିଷ୍ଠ ନେତା ଗୁଲାମ ନବୀ ଆଜାଦ୍‌ଙ୍କୁ କେନ୍ଦ୍ରୀୟ ନେତୃତ୍ବ ଅନ୍ୟ କୌଣସି ପଦପଦବିରେ ଥଇଥାନ ନ କରିବା ଘଟଣାରେ କ୍ଷୁବ୍‌ଧ ଥିବା ଏହି ନେତାମାନେ ଆଜାଦ୍‌ଙ୍କ ସହ ରହିଛନ୍ତି ବୋଲି ଜଣାଇବା ଉଦ୍ଦେଶ୍ୟରେ ଜମ୍ମୁଠାରେ ଆୟୋଜିତ ଶାନ୍ତି ସମ୍ମେଳନ ନାମକ କାର୍ଯ୍ୟକ୍ରମରେ ସମବେତ ହୋଇଥିଲେ। ଏହି ସମ୍ମିଳନୀ ମାଧ୍ୟମରେ ସେମାନେ ଦଳର କେନ୍ଦ୍ରୀୟ ନେତୃତ୍ବ ପାଇଁ ଏକ ଶକ୍ତ ବାର୍ତ୍ତା ପଠାଇବା ସହ ନୂଆପିଢ଼ିର ଯୁବନେତା ମାନଙ୍କ ପାଇଁ ମଧ୍ୟ ଉପଦେଶ ରଖିଛନ୍ତି। ଏହି ଅବସରରେ ଗତ ଦଶନ୍ଧି ହେଲା ଦଳ ଭୀଷଣ ଭାବେ ଦୁର୍ବଳ ହୋଇଯାଇଛି ଏବଂ ଏଥିରେ ସୁଧାର ଆଣିବା ଲାଗି ଯୁବପିଢ଼ି ଆଗେଇ ଆସିବାକୁ ଅନ୍ୟତମ ବିଦ୍ରୋହୀ ନେତା ଆନନ୍ଦ ଶର୍ମା ଆହ୍ବାନ କରିଛନ୍ତି।

ସେମାନଙ୍କ ପ୍ରତି ଦଳରେ ହେଉଥିବା ସମାଲୋଚନାକୁ ଆକ୍ଷେପ କରି ସେ ଆହୁରି କହିଥିଲେ ଯେ ଆମେ କୌଣସି ଗଳାବାଟ ବାଟେ ନ ଆସି ଛାତ୍ର ଆନ୍ଦୋଳନ ଓ ଯୁବ ଆନ୍ଦୋଳନ ମାଧ୍ୟମରେ ହିଁ ଦଳରେ ନିଜ ପାଇଁ ଏପରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛୁ। ଅପରପକ୍ଷେ, ଦଳ କାହିଁକି ଆଜାଦଙ୍କୁ ଆଉ ଥରେ ରାଜ୍ୟସଭାକୁ ପଠାଉ ନାହିଁ ବୋଲି ଅନ୍ୟତମ ନେତା କପିଲ ସିବଲ ପ୍ରଶ୍ନ କରିଛନ୍ତି। ସେହିପରି ଏହି ବିଦ୍ରୋହୀ ଗୋଷ୍ଠୀ ପଛରେ ଲାଗିଥିବା ଜି-୨୩ ଛାପ ସମ୍ପର୍କରେ ସେ ଆହୁରି କହିଥିଲେ, ଏହି ଦଳର ଲକ୍ଷ୍ୟ କଂଗ୍ରେସକୁ ଦୃଢ଼ ଓ ଏକଜୁଟ କରିବା। ସେଥିପାଇଁ ଆମେ ଆଗରୁ ଏକାଠି ହୋଇଥିଲୁ ଏବେ ବି ହୋଇଛୁ। ରାଜ ବବ୍ବର ମଧ୍ୟ ଅନୁରୂପ ବକ୍ତବ୍ୟ ରଖି ଜି-୨୩ କୁ ଗାନ୍ଧି(ମହାତ୍ମା) ଗାନ୍ଧି-୨୩ ଭାବେ ବର୍ଣ୍ଣନା କରିଥିଲେ। ଅପରପକ୍ଷେ, ଗୁଜରାଟରେ ପୌର ନିର୍ବାଚନରେ ମୂଳପୋଛ ହେବା ଓ ପୁଡୁଚେରି ଶାସନ ହରାଇବା ଦ୍ବାରା କଂଗ୍ରେସ ଦଳ ବିଜେପିର ମୁକାବିଲା ପାଇଁ ଆବଶ୍ୟକ ଶକ୍ତିସଂଗ୍ରହ କରିପାରୁନାହିଁ ବୋଲି ଜଣେ ନେତା କହିଛନ୍ତି। ଯେ ପର୍ଯ୍ୟନ୍ତ ଅପରିପକ୍ବମାନଙ୍କ ଦ୍ବାରା ବେପରୁଆ ଟିପ୍ପଣୀ ବନ୍ଦ ନହୋଇଛି ଏହି ସର୍ବପୁରାତନ ଦଳ କେବେ ଉଠି ପାରିବନି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର