ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବରିଷ୍ଠତମ ବିଚାରପତି ୟୁୟୁ ଲଳିତ ଆଜି ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ଜଷ୍ଟିସ୍ ଲଳିତ ଆଗକୁ ଦେଶର ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି। ସେ କହିଛନ୍ତି, ଯଦି ଆମ ପିଲାମାନେ ସକାଳ ୭ଟାରେ ସ୍କୁଲ୍ ଯାଇପାରୁଛନ୍ତି ତେବେ ବିଚାରପତି ଏବଂ ଆଇନଜୀବୀମାନେ କାହିଁକି ସେମାନଙ୍କ କାର୍ଯ୍ୟ ସକାଳ ୯ଟାରେ ଆରମ୍ଭ କରିପାରିବେନି। ସୁପ୍ରିମକୋର୍ଟର ସାଧାରଣ କାର୍ଯ୍ୟ ସମୟର ପ୍ରାୟ ଘଣ୍ଟାଏ ପୂର୍ବରୁ ଆଜି ଜଷ୍ଟିସ ଲଳିତ, ଏସ ରବିନ୍ଦ୍ର ଭଟ୍ଟ ଏବଂ ସୁଧାଂଶୁ ଧୁଲିଆଙ୍କ ଖଣ୍ଡପୀଠ ସକାଳ ୯.୩୦ରେ କାର୍ଯ୍ୟ ଆରମ୍ଭ କରିଥିଲେ। ଖଣ୍ଡପୀଠ ଘଣ୍ଟାଏ ଆଗରୁ ବସିଥିବାରୁ ବରିଷ୍ଠ ଓକିଲ ମୁକୁଲ ରୋହତଗି ଏହାକୁ ପ୍ରଶଂସା କରିଥିଲେ। ସେ କହିଥିଲେ ସକାଳ ୯.୩୦ କୋର୍ଟ କାର୍ଯ୍ୟ ଆରମ୍ଭ କରିବା ପାଇଁ ସଠିକ୍ ସମୟ। ରୋହତଗିଙ୍କ ବୟାନକୁ ନେଇ ଜଷ୍ଟିସ୍ ଲଳିତ କହିଥିଲେ, ମୋ ମତରେ ଆମେମାନେ ସକାଳ ୯ଟାରୁ କାର୍ଯ୍ୟ ଆରମ୍ଭ କରିବା ଉଚିତ। ମୁଁ ସବୁବେଳେ କହିଛି ଯେ ଯଦି ଆମ ପିଲାମାନେ ସକାଳ ୭ଟାରେ ସ୍କୁଲ୍ ଯାଉଛନ୍ତି ତେବେ ଆମେ କାହିଁକି ୯ଟାରେ କାମ ଆରମ୍ଭ କରିବାନି। ଜଷ୍ଟିସ ଲଳିତ କହିଛନ୍ତି , ଯଦି କୋର୍ଟ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ ତେବେ କାର୍ଯ୍ୟ ଆଗୁ୍ଆ ଶେଷ ହେବ। ଏହାଦ୍ବାରା ବିଚାରପତିମାନେ ପରବର୍ତ୍ତୀ ଦିନର କେସ୍ ଫାଇଲ୍ ପଢ଼ିବାପାଇଁ ସନ୍ଧ୍ୟାରେ ଅଧିକ ସମୟ ପାଇପାରିବେ। ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟ ବିଚାରପତି ପୂର୍ବାହ୍ନ ୧୦.୩୦ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମାମଲାର ଶୁଣାଣି କରନ୍ତି।
ସୁପ୍ରିମ୍କୋର୍ଟ ବିଚାରପତିଙ୍କ ପ୍ରଶ୍ନ: ସ୍କୁଲ ସକାଳ ୭ରେ ଖୋଲିପାରୁଛି ଅଦାଲତ ୯ଟାରେ କାହିଁକି ଖୋଲିବନି?
/sambad/media/post_attachments/wp-content/uploads/2022/07/5fs4h65f4sh65fh465fhfhfh.jpg)