ଚୀନ ବିମାନ ଦୁର୍ଘଟଣା ପରେ ବୋଇଙ୍ଗ୍-୭୩୭ ବିମାନର ସୁରକ୍ଷାକୁ ନେଇ ଚିନ୍ତା, ସୁରକ୍ଷା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ଡିଜିସିଏ

ନୂଆଦିଲ୍ଲୀ : ଚୀନରେ ଆଜି ହୋଇଥିବା ଭୟଙ୍କର ବିମାନ ଦୁର୍ଘଟଣାକୁ ନେଇ ସମଗ୍ର ବିଶ୍ବରେ ଦୁଃଖ ପ୍ରକାଶ ପାଇଛି । ବିମାନଟି ଚୀନର ଇଷ୍ଟର୍ଣ୍ଣ ଏୟାରଲାଇନ୍ସର ଏକ ବୋଇଙ୍ଗ୍ ୭୩୭ ବିମାନ ଥିଲା । ଏହି କାରଣରୁ ଏହି ବିମାନର ସୁରକ୍ଷା ନେଇ ଭାରତ ସମେତ ବିଶ୍ବବ୍ୟାପୀ ଚିନ୍ତା ପ୍ରକାଶ ପାଇଛି । ଭାରତର କେତେକ ଏୟାରଲାଇନ୍ସ ଏହି ବୋଇଙ୍ଗ୍ ୭୩୭ ବିମାନ ବ୍ୟବହାର କରୁଥିବାରୁ ସେଗୁଡ଼ିକୁ ସୁରକ୍ଷାନେଇ ସତର୍କ କରାଇଦେଇଛି ଭାରତର ବେସାମରିକ ବିମାନ ଚଳାଚଳ ନିୟାମକ ଡିଜିସିଏ । ଏସବୁ ବିମାନକୁ ଏନହାନ୍ସଡ୍ ସର୍ଭେଲାନ୍ସ ବା ବର୍ଦ୍ଧିତ ସୁରକ୍ଷାଯାଞ୍ଚ୍ ମଧ୍ୟରେ ରଖାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଭାରତର ୩ଟି ଏୟାରଲାଇନ୍ସ- ଭିସ୍ତାରା, ଗୋଏୟାର ଓ ଏୟାର ଇଣ୍ଡିଆ ଏକ୍ସପ୍ରେସର ବିମାନଗୁଡ଼ିକ ମଧ୍ୟରେ କେତେକ ବୋଇଙ୍ଗ୍ ୭୩୭ ବିମାନ ରହିଛି ।

ଡିଜିସିଏ ମୁଖ୍ୟ ଅରୁନ କୁମାର କହିଛନ୍ତି ଯେ ବିମାନ ନିରାପତ୍ତା ଏକ ଗୁରୁତର ବିଷୟ । ଏଣୁ ଆମେ ଏହି ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିଛୁ । ବର୍ତ୍ତମାନ ସମୟ ପାଇଁ ବିମାନଗୁଡ଼ିକୁ ଏନହାନ୍ସଡ୍ ସର୍ଭେଲାନ୍ସ ବା ବର୍ଦ୍ଧିତ ସୁରକ୍ଷାଯାଞ୍ଚ୍ ମଧ୍ୟରେ ରଖାଯାଇଛି ।

ସୂଚନାଯୋଗ୍ୟ ଯେ, ଚୀନର ଇଷ୍ଟର୍ଣ୍ଣ ଏୟାରଲାଇନ୍ସର ଏକ ବିମାନ ଆଜି ଗୁଆଙ୍ଗସି ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ସମୟରେ ବୋଇଙ୍ଗ ୭୩୭ରେ ସମୁଦାୟ ୧୩୩ଯାତ୍ରୀ ଥିଲେ । ଏହି ଦୁର୍ଘଟଣାରେ କେତେ ଲୋକ ପ୍ରାଣ ହରାଇଛନ୍ତି ସେ ସମ୍ବନ୍ଧରେ ଏପର୍ଯ୍ୟନ୍ତ ସୂଚନା ମିଳିପାରିନାହିଁ ।

 

ସମ୍ବନ୍ଧିତ ଖବର