ଗାଜା: ଉତ୍ତର ଗାଜାର ଜାବାଲିଆ ରିଲିଫ୍ ଶିବିରରେ ଆଜି ଇସ୍ରାଏଲ ବାୟୁସେନା ବୋମାମାଡ଼ କରିଛି ଏବଂ ଏଥିରେ ଅତିକମ୍ରେ ୫୦ ଜଣ ନିହତ ହୋଇଥିବା ଜଣାପଡ଼ିଛି। ଶତାଧିକ ଗୁରୁତର ଆହତଙ୍କୁ ‘ଇଣ୍ଡୋନେସିଆନ୍ ହସ୍ପିଟାଲ’ରେ ଭର୍ତ୍ତି କରାଯାଇଛି। ରିଲିଫ୍ ଶିବିର ଉପରେ ବିମାନ ଆକ୍ରମଣ ନେଇ ବିଶ୍ବବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଗାଜାରେ ଇସ୍ରାଏଲ ସେନା ସ୍ଥଳ ଅଭିଯାନକୁ ଆଜି ବ୍ୟାପକ କରିଛି। ଉଭୟ ସ୍ଥଳ ଓ ଆକାଶରୁ ପ୍ରଚଣ୍ଡ ଆକ୍ରମଣ ଗାଜାରେ ହମାସ୍ ଆଡ଼ାସ୍ଥଳଗୁଡ଼ିକୁ ଛାରଖାର ହୋଇଥିବା ବେଳେ ଏଥିରେ ନିରୀହ ନାଗରିକମାନେ ମଧ୍ୟ ଶିକାର ହୋଇଛନ୍ତି। ଗାଜାରେ ୧ ହଜାରରୁ ଅଧିକ ହମାସ୍ କେନ୍ଦ୍ରକୁ ଆକ୍ରମଣ କରି ଇସ୍ରାଏଲ ମାଟିରେ ମିଶାଇ ଦେଇଛି। ଗାଜାରେ ପ୍ରମୁଖ ରାସ୍ତାମାନଙ୍କରେ ଇସ୍ରାଏଲୀ ଟ୍ୟାଙ୍କରୁ ଗୁଳିଗୋଳା ମାଡ଼ ହେଉଛି।
ଏଭଳି ସ୍ଥିତିରେ ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ବଢ଼ିଯାଇଥିବାରୁ ଗାଜାରେ ଯୁଦ୍ଧବିରତି ପାଇଁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଉପରେ ଅନ୍ତର୍ଜାତୀୟ ଚାପ ବଢ଼ିଛି। କିନ୍ତୁ ନେତାନ୍ୟାହୁ କହିଛନ୍ତି, ଗାଜାରେ ଯୁଦ୍ଧବିରତିର ପ୍ରଶ୍ନ ଉଠୁନାହିଁ। ଯୁଦ୍ଧବିରତିର ଅର୍ଥ ଆତଙ୍କବାଦୀଙ୍କ ନିକଟରେ ଆତ୍ମସମର୍ପଣ ସଦୃଶ ହେବ। ତେଣୁ ଗାଜାରେ ଅସ୍ତ୍ରବିରତି ହେବନାହିଁ। ଯୁଦ୍ଧ ଜିତିବା ପର୍ଯ୍ୟନ୍ତ ଇସ୍ରାଏଲ ଲଢ଼େଇ ଜାରି ରଖିବ ବୋଲି ନେତାନ୍ୟାହୁ ପ୍ରତିଜ୍ଞା କରିଛନ୍ତି। ନେତାନ୍ୟାହୁ କହିଛନ୍ତି, ଗାଜାରେ ପଣବନ୍ଦୀ ରହିଥିବା ନାଗରିକଙ୍କୁ ନିଃସର୍ତ୍ତ ଭାବେ ତୁରନ୍ତ ମୁକ୍ତ କରିବାପାଇଁ ଅନ୍ତର୍ଜାତୀୟ ସମ୍ପ୍ରଦାୟ ଦାବି କରିବା ଉଚିତ। ଗାଜାରେ ୮,୩୦୦ ଲୋକଙ୍କର ମୃତ୍ୟୁ ହେଲାଣି ଏବଂ ଅନେକ ଅନେକ ହସ୍ପିଟାଲ ପ୍ରଭାବିତ ହୋଇଛି।