କେବିସିରେ ପୁଣି ଧର୍ମେନ୍ଦ୍ରଙ୍କ ଉପରେ ପ୍ରଶ୍ନ

ମୁମ୍ବାଇ  : ବଲିଉଡ୍‌ ସୁପର୍‌ଷ୍ଟାର୍‌ ଅମିତାଭ ବଚ୍ଚନଙ୍କ ଦ୍ବାରା ସଞ୍ଚାଳିତ ଏବଂ ସୋନି ଟିଭି ଚ୍ୟାନେଲ୍‌ରେ ପ୍ରସାରିତ ଲୋକପ୍ରିୟ କାର୍ଯ୍ୟକ୍ରମ ‘କେବିସି’ (କୌନ ବନେଗା କରୋଡ୍‌ପତି)ରେ ପୁଣିଥରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ପ୍ରଶ୍ନ ପଚରାଯାଇଛି।

ଗୁରୁବାର ଦିନ ଅର୍ଥାତ୍‌ ୧୮ ତାରିଖର କାର୍ଯ୍ୟକ୍ରମରେ ଅମିତାଭ ପ୍ରତିଯୋଗୀଙ୍କୁ ପ୍ରଶ୍ନ କରିଥି‌ଲେ, ଚଳିତ ଜୁଲାଇ ମାସରେ କ୍ୟାବିନେଟ ଅଦଳବଦଳ ହେବାପରେ କିଏ ଭାରତର ଶିକ୍ଷାମନ୍ତ୍ରୀ ହେଲେ ? ଏହାର ଚାରୋଟି ସମ୍ଭାବ୍ୟ ଉତ୍ତର ଥିଲା; ରମେଶ ପୋଖରିୟାଲ, ସ୍ମୃତି ଇରାନୀ, ପ୍ରହ୍ଲାଦ ଯୋଶୀ ଏବଂ ଧର୍ମେନ୍ଦ୍ର ପ୍ରଧାନ । ଏହାର ଉତ୍ତରରେ ହଟ୍‌ସିଟ୍‌ରେ ବସିଥିବା ଲକ୍ଷ୍ନୌର ଜନୈକ ଛାତ୍ର ମାନସ ଅନିଲ ଗାଏକ୍ୱାଡ଼୍ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷାମନ୍ତ୍ରୀ ଭାବରେ ଦାୟିତ୍ୱ ନେଇଥିବା ସଠିକ୍ ଉତ୍ତର ଦେଇଥିଲେ । ପରେ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଥିବା ମଧ୍ୟ ଅମିତାଭ କହିଥିଲେ। ଦୁଇଥର ଏହି ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେଇ ପ୍ରଶ୍ନ କରାଯିବା ଚର୍ଚ୍ଚାର ବିଷୟ ହୋଇଛି ।

ଉଲ୍ଲେଖଯୋଗ୍ୟ ଯେ ଗତ ‌ସେପ୍ଟେମ୍ବର ୩୦ରେ ଏହି କାର୍ଯ୍ୟକ୍ରମର ପୂର୍ବ ସଂସ୍କରଣରେ ଅମିତାଭ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋ ଦେଖାଇ ସେ କେଉଁ ନାମରେ ପରିଚିତ ବୋଲି ପ୍ରଶ୍ନ ପଚାରିଥିଲେ । ସମ୍ଭାବ୍ୟ ଉତ୍ତର ତାଲିକା ମଧ୍ୟରୁ ହଟ୍ ସିଟରେ ବସିଥିବା ବ୍ୟକ୍ତି ଅଶ୍ୱିନୀ କୁମାର ସିହ୍ନା ଧର୍ମେନ୍ଦ୍ର ପ୍ରଧାନଙ୍କୁ ‘ଉଜ୍ଜ୍ୱଳା ମ୍ୟାନ୍’ ବୋଲି କହି ସଠିକ୍ ଉତ୍ତର ଦେଇଥିଲେ ।

ସମ୍ବନ୍ଧିତ ଖବର