ନୂଆଦିଲ୍ଲୀ: ଇଣ୍ଡିଆ ମେଣ୍ଟ ସହ ତାଙ୍କ ଦଳର ସମ୍ପର୍କକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିବା କଂଗ୍ରେସକୁ ତିନି ଦିନ ଧରି କଟାକ୍ଷ କରିବା ପରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ସୋସିଆଲ ମିଡିଆରେ ଏକ ପୋଷ୍ଟ ଛାଡ଼ିଛନ୍ତି, ଯେଉଁଥିରେ ସେ ନିଜେ କଏନ କରିଥିବା ଶବ୍ଦ ‘ପିଡିଏ’ର ଉଲ୍ଲେଖ କରିଥିବା ବେଳେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ନାଁ ନେଇ ନ ଥିଲେ। ଏହାକୁ ନେଇ ବିରୋଧୀ ମେଣ୍ଟରେ ସେ ରହିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ସମ୍ପର୍କ ତିକ୍ତ ହେବାର କାରଣ ମଧ୍ୟପ୍ରଦେଶରେ ନିଜର ସହଯୋଗୀ ଦଳ ପାଇଁ କଂଗ୍ରେସ ୬ଟି ନିର୍ବାଚନ ମଣ୍ଡଳୀ ଛାଡ଼ିବ ବୋଲି ପ୍ରତିଶ୍ରୁତି ଦେଇଥିବା ବେଳେ ସପା ପାଇଁ ଗୋଟିଏ ବି ଆସନ ଛାଡ଼ି ନାହିଁ। ଏହା ପରଠାରୁ କ୍ଷୁବ୍ଧ ଅଖିଳେଶ ଯାଦବ କଂଗ୍ରେସକୁ ଟାର୍ଗେଟ କରି ଆସୁଛନ୍ତି ଏବଂ ନଭେମ୍ବର ୧୭ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ରାଜ୍ୟର ୧୮ଟି ନିର୍ବାଚନ ମଣ୍ଡଳୀରେ ଉଭୟ ଦଳ ପରସ୍ପର ବିରୋଧରେ ପ୍ରାର୍ଥୀ ଦେଇଛନ୍ତି।

Advertisment

ରବିବାର ଏକ୍ସରେ ଏକ ପୋଷ୍ଟ କରି ଯାଦବ ଜଣେ ସପା କର୍ମୀଙ୍କ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ପିଠିରେ ନାଲି ଓ ସବୁଜ ରଙ୍ଗ ଲଗାଯାଇଛି ଏବଂ ଏହା ଉପରେ ହିନ୍ଦୀରେ ଏକ ବାର୍ତ୍ତା ଲେଖାଯାଇଛି। ବାର୍ତ୍ତାରେ ଲେଖାଯାଇଛି- ମିସନ ୨୦୨୪। ନେତାଜୀ (ସ୍ୱର୍ଗତ ମୁଲାୟମ ସିଂହ ଯାଦବ) ଅମର ହୋଇ ରୁହନ୍ତୁ। ‘ପିଡିଏ’ ଏଥର ଅଖିଳେଶ ଯାଦବଙ୍କୁ ନିର୍ବାଚନ ଜିତାଇବ। ଅଖିଳେଶ ଯାଦବ ଗରିବଙ୍କୁ ନ୍ୟାୟ ଦେବେ। ‘ପିଡିଏ’ର ଅର୍ଥ ହେଉଛି ପିଛଡେ (ପଛୁଆ), ଦଳିତ ଏବଂ ଅଳ୍ପସଂଖ୍ୟକ (ସଂଖ୍ୟାଲଘୁ) ଏବଂ ଯାଦବ ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)କୁ ପରାସ୍ତ କରିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏହି ପୋଷ୍ଟ ସହ ତାଙ୍କ ବାର୍ତ୍ତାରେ ଯାଦବ ହିନ୍ଦୀରେ ଲେଖିଛନ୍ତି, ୨୦୨୪ ନିର୍ବାଚନ ପିଡିଏର ବିପ୍ଳବ ହେବ।