ପଶ୍ଚିମବଙ୍ଗ ଦଶମ ବୋର୍ଡ ପରୀକ୍ଷାରେ ଏହି ପ୍ରଶ୍ନ ଦେଖି ପିଲାମାନେ ଖୁସି ହୋଇଯାଇଛନ୍ତି

କୋଲକତା : ପଡ଼େଶୀ ରାଜ୍ୟ ପଶ୍ଚିମ ବଙ୍ଗରେ ଏବେ ଦଶମ ବୋର୍ଡ ପରୀକ୍ଷା ଚାଲିଛି । ଏଥର ଇଂରାଜୀ ପ୍ରଶ୍ନପତ୍ରରେ ଏପରି ଏକ ପ୍ରଶ୍ନ ପଚରା ଯାଇଛି ଯାହାକୁ ଦେଖି ପିଲାମାନେ ଖୁସି ହୋଇଯାଇଛନ୍ତି । ପ୍ରଶ୍ନଟି ହେଉଛି ଭାରତୀୟ କ୍ରିକେଟ ଦଳର ଅଧିନାୟକ ଓ ବିରାଟ କୋହଲିଙ୍କ ଜୀବନୀ ବିଷୟରେ ୧୦୦ ଶବ୍ଦରେ ଲେଖ । ଏହା ବିକଳ୍ପ ପ୍ରଶ୍ନଥିଲେ ମଧ୍ୟ ଅଧିକାଂଶ ପରୀକ୍ଷାର୍ଥୀ ବିରାଟ କୋହଲିଙ୍କ ବିଷୟରେ ଲେଖିବାକୁ ପସନ୍ଦ କରିଥିଲେ । ଏ ସଂପର୍କରେ ଜଣେ ପରୀକ୍ଷାର୍ଥୀ ସ୍ୱର୍ଣ୍ଣଭୋ ବାନାର୍ଜୀ କହିଛନ୍ତି ଯେ ଅନସିନ ସେକସନରେ ବିରାଟ କୋହଲୀଙ୍କ ଜୀବନଗାଥା ଲେଖିବାକୁ କୁହାଯାଇଥିଲା । ଏଥିପାଇଁ ୧୦ ନମ୍ବର ଥିଲା । ମୋର ସବୁ ସାଙ୍ଗମାନେ ଏହାକୁ ହିଁ ବାଛିଥିଲେ । ସ୍ୱର୍ଣ୍ଣଭୋଙ୍କ ସାଥୀ ସୁଦୀପ ମଲକର କହିଛନ୍ତି ଯେ ଏହି ପ୍ରଶ୍ନର ରେଫରେନ୍ସ ପଏଣ୍ଟ ଗୁଡିକ ଦିଆଯାଇନଥିଲେ ମଧ୍ୟ ସମସ୍ତେ ବିରାଟ କୋହଲୀଙ୍କ ବିଷୟରେ ଲେଖିଛନ୍ତି । ବିରାଟ କୋହଲୀଙ୍କ ବିଷୟରେ ବା କିଏ ଜାଣିନି ? ଏ ସଂପର୍କରେ ପଶ୍ଚିମବଙ୍ଗ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ କୁହାଯାଇଛି ଯେ ପିଲାମାନଙ୍କୁ ସାଂପ୍ରତିକ ଘଟଣାବଳୀ ସମ୍ପର୍କରେ ଅବଗତ କରାଯିବା ଲକ୍ଷ୍ୟରେ ଏପରି ପ୍ରଶ୍ନ ରଖାଯାଇଥିଲା । ବିଶିଷ୍ଟ କ୍ରୀଡାବିତମାନଙ୍କ ସଂପର୍କରେ ପୂର୍ବରୁ ମଧ୍ୟ ପ୍ରଶ୍ନ ପଚରାଯାଇଆସିଛି । ବୋର୍ଡର ଏହି ନିଷ୍ପତ୍ତିକୁ ଶିକ୍ଷକମାନେ ମଧ୍ୟ ତାରିଫ କରିଛନ୍ତି ।

ସମ୍ବନ୍ଧିତ ଖବର