ରେଳ ସୁରକ୍ଷା ଓ ସଂପ୍ରସାରଣ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ: ରେଳ ନେଟୱର୍କର ଆଧୁନିକୀକରଣ ସହିତ ହାଇସ୍ପିଡ ଟ୍ରେନ ଚଳାଚଳ ଉପରେ ମୋଦୀ ସରକାର ଏବେ କାର୍ଯ୍ୟ କରୁଛନ୍ତି। କିନ୍ତୁ ସରକାର ଭାରତର ବହୁ ପୁରାତନ ରେଳ ଭିତ୍ତିଭୂମିକୁ ସଜାଡ଼ିବା ଏବଂ ସୁରକ୍ଷାରେ ଉନ୍ନତି ଆଣିବା ଲାଗି ଯେତିକି ପଦକ୍ଷେପ ନେବା କଥା ତାହା ନେଉନାହାନ୍ତି ବୋଲି ସମାଲୋଚକମାନେ ମତ ଦେଉଛନ୍ତି। ବାହାନଗାଠାରେ ରେଳ ଦୁର୍ଘଟଣାରେ ୨୮୮ ଜଣ ଲୋକଙ୍କର ମୃତ୍ୟୁ ହେବା ପରେ ଆଧୁନିକ ଟ୍ରେନ ଏବଂ ଚକାଚକ ଷ୍ଟେସନ ନିର୍ମାଣ ପାଇଁ ରେଳବାଇର କାର୍ଯ୍ୟକୁ ନେଇ ଅନେକ ପ୍ରଶ୍ନ କଲେଣି। ବିଶେଷଜ୍ଞଙ୍କ କହିବାନୁଯାୟୀ ଗତ ଶୁକ୍ରବାରର ରେଳ ଦୁର୍ଘଟଣା ରେଳବାଇର ଆଧୁନିକୀକରଣ କାର୍ଯ୍ୟକୁ ବଡ଼ ଧକ୍କା ସଦୃଶ ହୋଇଛି। ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆସିଥିଲେ ମଧ୍ୟ ଏ କ୍ଷେତ୍ରରେ ଆହୁରି କାର୍ଯ୍ୟ କରିବାକୁ ହେବ ବୋଲି ଛତିଶଗଡ଼ସ୍ଥିତ କିରୋଡ଼ିମଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର ମେକାନିକାଲ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରକାଶ କୁମାର ସେନ କହିଛନ୍ତି।

ରେଳ ଦୁର୍ଘଟଣା ହୋଇଥିବା ରେଳମାର୍ଗ ଦେଶର ଅତ୍ୟନ୍ତ ପୂରାତନ ଏବଂ ବ୍ୟସ୍ତବହୁଳ ରେଳମାର୍ଗ। ବିପୁଳ ପରିମାଣର କୋଇଲା ଏବଂ ତେଲ ଏହି ରେଳପଥ ଦେଇ ଯାତାୟାତ କରିଥାଏ। ଏହି ରେଳପଥ ଉପରେ ଅଧିକ ଚାପ ଥିଲେ ମଧ୍ୟ ରକ୍ଷଣାବେକ୍ଷଣ ସେହି ଅନୁଯାୟୀ ହୋଇ ନଥାଏ ସେ କହିଛନ୍ତି। ସେହିଭଳି ଅନ୍ୟ ଜଣେ ବିଶେଷଜ୍ଞ ଶ୍ରୀନନ୍ଦ ଝା କହିଛନ୍ତି, ସୁରକ୍ଷା ବ୍ୟବସ୍ଥା ଯଥା ଆଣ୍ଟି କଲିଜନ ଡିଭାଇସ ଓ ଏମର୍ଜେନ୍ସି ୱାର୍ଣ୍ଣିଂ ବ୍ୟବସ୍ଥା ସ୍ଥାପନ କରିବା କ୍ଷେତ୍ରରେ ରେଳବାଇର କାର୍ଯ୍ୟ ଅତ୍ୟନ୍ତ ମନ୍ଥର।

ଅନ୍ୟପକ୍ଷରେ ସୁରକ୍ଷା ମାପକାଠି ଭାବେ ବିଚାର କରାଯାଉଥିବା ମିଲିୟନ ଟ୍ରେନ କିଲୋମିଟର ପିଛା ଦୁର୍ଘଟଣା ସଂଖ୍ୟାକୁ ଦେଖିଲେ ୨୦୧୩-୧୪ରେ ଏହା ୦.୧୦ ଥିବାବେଳେ ୨୦୨୧-୨୨ରେ ଏହା ୦.୦୩କୁ ହ୍ରାସ ପାଇଛି ବୋଲି ରେଳବାଇ କହିଛି। ଭାରତୀୟ ରେଳ ବିଶ୍ବର ଚତୁର୍ଥ ବୃହତ୍ ନେଟୱର୍କ। ଦିନକୁ ୧୩ ନିୟୁତ ଲୋକ ରେଳଯାତ୍ରା କରିଥାନ୍ତି। ୨୦୨୨ରେ ୧.୫ ବିଲିଅନ ଟନ ମାଲ ରେଳରେ ପରିବହନ ହୋଇଛି। ଚଳିତବର୍ଷ ରେଳବାଇ ପାଇଁ ସରକାର ୨.୪ ବିଲିଅନ ଟଙ୍କାର ପୁଞ୍ଜିବ୍ୟୟ ବ୍ୟବସ୍ଥା କରିଛନ୍ତି। ପୂର୍ବ ଆର୍ଥିକ ବର୍ଷ ତୁଳନାରେ ଏହା ୫୦ ପ୍ରତିଶତ ଅଧିକ। ରେଳ ଧାରଣାର ଉନ୍ନତୀକରଣ, ଭିଡ଼ ହ୍ରାସ ଏବଂ ନୂଆ ଟ୍ରେନ ଚଳାଚଳ ଆଦି ବାବଦରେ ଏହି ଅର୍ଥ ଖର୍ଚ୍ଚ ହେବ।

ସମ୍ବନ୍ଧିତ ଖବର