ରେଳ ଧାରଣାରେ ଫାଟ ଥିବା ଦେଖି ଦୁର୍ଘଟଣାକୁ ରୋକିବା ପାଇଁ ନାଲି ରଙ୍ଗର କପଡ଼ା ଧରି ଦ୍ରୁତଗତିରେ ଆସୁଥିବା ଟ୍ରେନ ଆଡ଼କୁ ଦୌଡ଼ିଲେ ମାଛଧରାଳି, ତା’ ପରେ…
ଜଲପାଇଗୁଡ଼ି : ମଙ୍ଗଳବାର ପଶ୍ଚମବଙ୍ଗର ଜଲପାଇଗୁଡ଼ିରେ ଥିବା ନନ୍ଦନପୁର କେରାରପୁରା ହଲଟ୍ ଷ୍ଟେସନରେ ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛି ହଲ୍ଦିବାରି-ଏନ୍ଜେପି ଯାତ୍ରୀବାହୀ ଟ୍ରେନ୍ । ସ୍ଥାନୀୟ ମାଛଧରାଳିଙ୍କ ସାହାସ ପାଇଁ ଏହା ସମ୍ଭବ ହୋଇ ପାରିଥିବା ଜଣାପଡ଼ିଛି ।
ସୂଚନା ମୁତାବକ,ନନ୍ଦନପୁର କେରାରପୁରାରେ ରହୁଥିବା ଅନୁପମ ବରୁଇ ନାମକ ଜଣେ ମାଛଧରାଳି ମଙ୍ଗଳବାର ସକାଳ ୭.୩୦ ସମୟରେ ମାଛ ଧରିବାକୁ ଯାଉଥିବା ବେଳେ ରେଳ ଧାରଣାରେ ପାନଡ଼୍ରୋଲ କ୍ଲିପ(ଧାରଣାକୁ ସଂଯୋଗ କରୁଥିବା କ୍ଲିପ୍) ନଥିବା ଦେଖିଥିଲେ । ଗୋଟେ କି ଦୁଇଟି ଦୁହେଁ ଏକା ସାଙ୍ଗରେ ୨୭ଟି ପାନଡ଼୍ରୋଲ କ୍ଲିପ୍ ନଥିବା ସେ ଦେଖିବାକୁ ପାଇଥିଲେ । କିଛି ସମୟ ମଧ୍ୟରେ ସେଇ ବାଟ ଦେଇ ହଲ୍ଦିବାରି-ଏନ୍ଜେପି ଯାତ୍ରୀବାହୀ ଟ୍ରେନ୍ ଯିବାକୁ ଥିବା ଜାଣି ସେ ସବୁ ଛାଡ଼ି ନିଜ ଘରକୁ ଧାଇଁ ଥିଲେ । ଘରୁ ଏକ ଲାଲ ରଙ୍ଗର କପଡ଼ା ଆଣି ସେ ରେଳ ଧାରଣାରେ ପହଞ୍ଚିବା ବେଳେକୁ ଦୂରରୁ ହଲ୍ଦିବାରି-ଏନ୍ଜେପି ଟ୍ରେନ୍ ଆସୁଥିବାର ଦେଖିଥିଲେ । ଏହା ଦେଖି ସେ ନିଜ ଜୀବନ କଥା ନ ଭାବି ଲାଲ କପଡ଼ା ଦେଖାଇ ଦ୍ରୁତଗାମୀ ଟ୍ରେନ୍ ଆଡ଼କୁ ଦୌଡ଼ିବାକୁ ଲାଗିଥିଲେ। ୨୦୦ମିଟର ଯିବା ପରେ ଟ୍ରେନ୍ ଚାଳକ ତାଙ୍କୁ ଦେଖିବା ସହ ତୁରନ୍ତ ଗାଡ଼ିକ ଅଟକାଇଥିଲେ ।

ଏହା ପରେ ଅନୁପମ ବରୁଇ ଟ୍ରେନ୍ ଚାଳକଙ୍କୁ ସବୁ କହିବା ପରେ ଧାରଣାକୁ ଠିକ୍ କରିବା ପାଇଁ ରେଳ ଅଧିକାରୀଙ୍କୁ ପ୍ରାୟ ଏକ ଘଣ୍ଟା ସମୟ ଲାଗିଥିଲା । ଏକ ଘଣ୍ଟା ପର୍ଯ୍ୟନ୍ତ ହଲ୍ଦିବାରି-ଏନ୍ଜେପି ଟ୍ରେନ୍ ସେଠାରେ ଅଟକି ରହିଥିଲା । ଯାହା ଫଳରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଅନୁପମଙ୍କ ସାହାସ ପାଇଁ ଆଜି ଶହ ଶହ ଜୀବନ ବଞ୍ଚିଥିବା ବେଳେ ଏହି କାମ ପାଇଁ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସା କରାଯାଉଥିବା ଜଣାପଡ଼ିଛି ।