ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଏକ ସିରିଜ୍‌ ପ୍ରସ୍ତୁତ କରି ହଇଚଇ ସୃଷ୍ଟି କରିଥିବା ବିବିସି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ବିବିସିକୁ ଭାରତରେ ତୁରନ୍ତ ନିଷିଦ୍ଧ କରିବା ପାଇଁ ହିନ୍ଦୁ ସେନା ପକ୍ଷରୁ ଦାବି କରାଯିବା ସହ ବିବିସିର ନୂଆଦିଲ୍ଲୀ କାର୍ଯ୍ୟାଳୟ ବାହାରେ ବୋର୍ଡ, ପୋଷ୍ଟର ଲଗାଯାଇଛି। ‌ଦେଶର ଏକତା ଓ ଅଖଣ୍ଡତା ପାଇଁ ବିବିସି ବିପଦ ଏବଂ ସାଂପ୍ରଦାୟିକ ସଦ୍‌ଭାବକୁ ଏହି ସଂସ୍ଥା ନଷ୍ଟ କରୁଛି ବୋଲି ହିନ୍ଦୁ ସେନାର ପୋଷ୍ଟରରେ କୁହାଯାଇଛି। ଏହା ସହିତ ‘ବିବିସି ଭାରତ ଛାଡ଼’ ବୋର୍ଡ ମଧ୍ୟ ଲଗାଯାଇଛି।

Advertisment

୨୦୦୨ ଗୁଜରାଟ ଦଙ୍ଗାକୁ ନେଇ ବିକୃତ ଉପସ୍ଥାପନା ମାଧ୍ୟମରେ ଲୋକଙ୍କ ମଧ୍ୟରେ ବିବିସି ତିକ୍ତତା ଭରିଦେବା ପାଇଁ ଚାହିଛି ଏବଂ ପ୍ରଧାନମନ୍ତ୍ରୀଙ୍କୁ ବଦନାମ କରିବା ପାଇଁ ଅନ୍ତର୍ଜାତୀୟସ୍ତରରେ ଷଡ଼ଯନ୍ତ୍ର ହୋଇଛି ବୋଲି ହିନ୍ଦୁ ସେନା ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ବିବିସିର ବିବାଦୀୟ ସିରିଜ୍‌କୁ ସୋସିଆଲ ମିଡିଆ ମଞ୍ଚରେ ବ୍ଲକ୍‌ କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ତେବେ ବାମପନ୍ଥୀ ଏବଂ କଂଗ୍ରେସ ସମର୍ଥିତ ଛାତ୍ର ସଂଗଠନଗୁଡ଼ିକ ପକ୍ଷରୁ ବିଭିନ୍ନ ବିଶ୍ବବିଦ୍ୟାଳୟରେ ଏହି ସିରିଜ୍‌ର ସ୍କ୍ରିନିଂ କରାଯାଉଥିବାରୁ ଏହାକୁ ନେଇ ତୀବ୍ର ଉତ୍ତେଜନା ଲାଗିରହିଛି। ହିନ୍ଦୁ ସେନା ମୁଖ୍ୟ ବିଷ୍ଣୁ ଗୁପ୍ତା କହିଛନ୍ତି ଯେ ସରକାର ବିବିସିକୁ ତୁରନ୍ତ ନିଷିଦ୍ଧ କରିବା ଦିଗରେ ପଦକ୍ଷେପ ନନେଲେ ଆଗକୁ ଏହି ସଂସ୍ଥା ଭାରତର ଛବିକୁ ଖରାପ କରିଦେବ। ୧୯୭୫ରେ ଜରୁରୀ ପରିସ୍ଥିତି ସମୟରେ ଇନ୍ଦିରା ଗାନ୍ଧି ବିବିସିକୁ ନିଷିଦ୍ଧ କରିଥିଲେ ଏବଂ ପରେ ଏହା ଉପରୁ କଟକଣା ହଟିଥିଲା। ବର୍ତ୍ତମାନର ସ୍ଥିତିରେ ମଧ୍ୟ ବିବିସି ବିରୋଧରେ ଅତି କଠୋର ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଗୁପ୍ତା ଦାବି କରିଛନ୍ତି।