କୋଟିଆ ସୀମା ବିବାଦ ମାମଲା: ଓଡ଼ିଶା ଦାଖଲ କରିବ ଅତିରିକ୍ତ ନଥି

ନୂଆଦିଲ୍ଲୀ: କୋଟିଆ ଗ୍ରାମପୁଞ୍ଜ ସୀମା ବିବାଦ ମାମଲାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଅତିରିକ୍ତ ନଥି ସୁପ୍ରିମକୋର୍ଟରେ ଦାଖଲ କରାଯିବ। ସୀମା ବିବାଦକୁ ନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ଆନ୍ଧ୍ର ବିରୋଧରେ ଦୁଇଟି ମାମଲା ରୁଜୁ ହୋଇଛି। ପ୍ରଥମଟି ହେଲା, ସୁପ୍ରିମକୋର୍ଟଙ୍କ ସ୍ଥିତାବସ୍ଥା ଆଦେଶକୁ ଉଲ୍ଲଂଘନ କରିଥିବାରୁ ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ମାମଲା ଓ ଦ୍ବିତୀୟଟି ହେଲା ୧୩୧ ଧାରା ଆଧାରରେ ଆନ୍ଧ୍ର ବିରୋଧରେ ସମ୍ବିଧାନର ମୂଳ ଆବେଦନ (ଅରିଜିନାଲ୍‌ ସୁଟ୍‌) ଦାଖଲ। ଉଭୟ ମାମଲା ଏବେ ବିଚାରାଧୀନ ରହିଛି।

ଦ୍ବିତୀୟ ମାମଲା ତଥା ମୂଳ ଆବେଦନରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଅତିରିକ୍ତ ନଥି ଦାଖଲ କରାଯିବ। ଖୁବ୍‌ ଶୀଘ୍ର ଏ ସଂକ୍ରାନ୍ତ ନଥିଗୁଡ଼ିକର ତର୍ଜମା ହେବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି । କୋଟିଆ ଗ୍ରାମପୁଞ୍ଜ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ କେବେ ହେବ ସେ ନେଇ ବର୍ତ୍ତମାନ ସୁଦ୍ଧା ତାରିଖ ଧାର୍ଯ୍ୟ ହୋଇନାହିଁ। ପୂର୍ବରୁ ଏହି ମାମଲାର ଶୁଣାଣି କରୁଥିବା ବିଚାରପତି ଏଏମ୍‌ ଖାନୱିଲକର ଅବସର ନେଇସାରିଥିବାରୁ ପୁଣି ଥରେ ନୂଆ ପୀଠରେ ଏହି ମାମଲାର ଶୁଣାଣି ହେବା ସମ୍ଭାବନା ରହିଛି। ଚଳିତ ବର୍ଷ ମାର୍ଚ ୧୬ ପରଠାରୁ କୋଟିଆ ମାମଲାକୁ ଶୁଣାଣି ପାଇଁ ତାଲିକାଭୁକ୍ତ କରାଯାଇନାହିଁ କି ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲାର ତ୍ବରିତ ଶୁଣାଣି ପାଇଁ ଆବେଦନ କରାଯାଇନାହିଁ। କୋଟିଆ ମାମଲାରେ ଓଡ଼ିଶା ପକ୍ଷରୁ ଦାଖଲ ଦୁଇ ମାମଲା ମଧ୍ୟରୁ ମୂଳ ଆବେଦନର ଶୁଣାଣି ପ୍ରଥମେ ହେବ ବୋଲି ସୁପ୍ରିମକୋର୍ଟ ଶେଷ ଶୁଣାଣିରେ କହିଥିଲେ।

ସମ୍ବନ୍ଧିତ ଖବର