ମୋହନ ଭାଗବତଙ୍କ ସହ ଆଲୋଚନା କଥା କହିଲେ କ୍ୟୁରେଶି: ମୁସଲମାନଙ୍କ ବିନା ହିନ୍ଦୁରାଷ୍ଟ୍ରର ପରିକଳ୍ପନା ହୋଇପାରିବନି

ନୂଆଦିଲ୍ଲୀ, ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ନିକଟରେ ମୁସଲିମ ସଂପ୍ରଦାୟର ୫ ଜଣ ନେତାଙ୍କୁ ଭେଟିଥିଲେ। ସେମାନଙ୍କ ମଧ୍ୟରେ ଥିଲେ ଭାରତର ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ଏସ୍‌ୱାଇ କ୍ୟୁରେଶି। ଭାଗବତଙ୍କ ସହିତ ସେମାନଙ୍କର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଭାଗବତଙ୍କୁ ଭେଟିଥିବା ମୁସଲମାନ ନେତୃବୃନ୍ଦଙ୍କ ମଧ୍ୟରେ କ୍ୟୁରେଶିଙ୍କ ବ୍ୟତୀତ ଦିଲ୍ଲୀର ପୂର୍ବତନ ଉପରାଜ୍ୟପାଳ ନଜିବ ଜଙ୍ଗ, ଆଲିଗଡ଼ ମୁସଲିମ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଲେପ୍ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ଜମିର ଉଦ୍ଦିନ ଶାହ, ଆରଏଲ୍‌ଡି ନେତା ଶହୀଦ ସିଦ୍ଦିକି ଏବଂ ବ୍ୟବସାୟୀ ଏସ୍‌ ସର୍‌ବାନି। କ୍ୟୁରେଶି କହିଛନ୍ତି ଗତ ବର୍ଷେ ହେଲା ମୁସଲମାନମାନଙ୍କ ମନରେ ଅସୁରକ୍ଷା ଭାବ ବଢ଼ୁଛି। କିଛି ନା କିଛି ଅଘଟଣ ପ୍ରତିଦିନ ଘଟୁଛି। ତାହାକୁ ନେଇ ଆମେ ଚିନ୍ତିତ। ତେଣୁ ଆମେ ଆରଏସଏସ ମୁଖ୍ୟଙ୍କୁ ଭେଟିବାକୁ ନିଷ୍ପତ୍ତି ନେଇଥିଲୁ। ଏହା ଚିନ୍ତା କରି ଆମେ ଭାଗବତଙ୍କ ଦିଲ୍ଲୀ ଗସ୍ତ ବେଳେ ତାଙ୍କୁ ଭେଟିବୁ ବୋଲି ଜଣାଇ ତାଙ୍କ ନିକଟକୁ ଇ-ମେଲ୍ ପଠାଇଥିଲୁ। ଅଗଷ୍ଟ ୨୨ରେ ଆମେ ତାଙ୍କୁ ଭେଟିଥିଲୁ। ତାଙ୍କ ସହିତ ଆମର ‌ଅତି ସୁନ୍ଦର ବୈଠକ ୧ ଘଣ୍ଟାରୁ ଅଧିକ ସମୟ ପାଇଁ ହୋଇଥିଲା।

ବୈଠକରୁ ତାଙ୍କ ସଂପର୍କରେ ଆମ ମନରେ ଏକ ଅତି ଉତ୍ତମ ଧାରଣା ସୃଷ୍ଟି ହୋଇଥିଲା। ପ୍ରଥମ କଥା ହେଲା ତାଙ୍କର ସରଳତା। ଏତେ ପ୍ରଭାବଶାଳୀ ବ୍ୟକ୍ତି। ତାଙ୍କୁ ୨୦୧୪-୧୫ରେ ରାଷ୍ଟ୍ରପତି କରିବା ନେଇ ଏକପ୍ରକାର ଚର୍ଚ୍ଚା ହେଉଥିଲା। କିନ୍ତୁ ସେ ଆମକୁ ଏକ ଛୋଟ ଘରେ ଭେଟିଥିଲେ। ସେ ଅତ୍ୟନ୍ତ ସଂଯମ ଜୀବନଯାପନ କରନ୍ତି। ଧୈର୍ଯ୍ୟର ସହିତ ସେ ଆମକଥା ଶୁଣିଥିଲେ। ଆଲୋଚନା ବିଷୟରେ କ୍ୟୁରେଶି କହିଥିଲେ ମୁସଲମାନଙ୍କ ମନରେ ଅସୁରକ୍ଷିତ ଭାବନା ଦେଖାଦେବା ମୁଖ୍ୟ ଚିନ୍ତାର ବିଷୟ ବୋଲି ସେ ଆମମାନଙ୍କ ସହ ଏକମତ ହୋଇଥିଲେ। ଯେଉଁମାନେ ଚିନ୍ତାବ୍ୟକ୍ତ କରୁଛନ୍ତି ସେମାନଙ୍କ ଉଦ୍ଦେଶ୍ୟରେ ସେ କହିଥିଲେ, ହିନ୍ଦୁତ୍ବକୁ ନେଇ ମୁସଲମାନ ଓ ଖ୍ରୀଷ୍ଟିୟାନମାନେ ଭୟଭୀତ ହେବା ଅନାବଶ୍ୟକ। କାରଣ ସନାତନ ଧର୍ମରେ ନିୟୁତ ନିୟୁତ ଦେବତା ଅଛନ୍ତି। ପ୍ରତ୍ୟେକ ବ୍ୟକ୍ତି ତାଙ୍କର ବିଶ୍ବାସ ଅନୁଯାୟୀ ଉପାସନା କରୁଛି। ଆପଣମାନେ ନମାଜ, ରୋଜା, ହଜ୍‌ କରନ୍ତି। ସେଥିରେ ଆମର କୌଣସି ସମସ୍ୟା ନାହିଁ। କିନ୍ତୁ ସେତେବେଳେ ସମସ୍ୟା ଉପୁଜେ ଯେତେବେଳେ ଆପଣ ହିନ୍ଦୁମାନଙ୍କୁ ‘କାଫିର’ କୁହନ୍ତି। ଏହା ଯଦି କାହାରିକୁ ଆଘାତ ଦେଇଛି ତାହେଲେ ଆମେ ତାହାକୁ ଛାଡ଼ି ଦେବୁ ବୋଲି ତାଙ୍କୁ କହିଥିଲୁ। ଖୁବ କମ୍‌ କ୍ଷେତ୍ରରେ ଏହାର ବ୍ୟବହାର ହୋଇଥାଏ ବୋଲି କହିଥିଲୁ।

ଏହାପରେ ଭାଗବତ ଗୋହତ୍ୟା ସଂପର୍କରେ ହିନ୍ଦୁମାନଙ୍କର ସମ୍ବେଦନଶୀଳତା ପ୍ରସଙ୍ଗ ଉଠାଇଥିଲେ। ଆମେ କହିଥିଲୁ ଅଧିକାଂଶ ଦେଶରେ ଏହାକୁ ନିଷିଦ୍ଧ କରାଯାଇଛି ଏବଂ ଉଲ୍ଲଂଘନକାରୀଙ୍କୁ ଆଇନ ଅନୁସାରେ କଡ଼ା ଶାସ୍ତି ଦେବାପାଇଁ ଆମେ କହିଥିଲୁ। ସମ୍ବିଧାନ ପିରସରରେ ଆମକୁ କାମ କରିବାକୁ ହେବ ବୋଲି ସେ ବାରମ୍ବାର ଆମକୁ କହିଥିଲେ। ଏହା ଆମ ମନକୁ ଛୁଇଁଥିଲା। କାରଣ ସାଧାରଣରେ ଗୁଜବ ହେଉଥିଲା ଯେ ସମ୍ବିଧାନରେ ପରିବର୍ତ୍ତନ ହେବ। ସେ କିନ୍ତୁ କହିଥିଲେ ସବୁକିଛି ସମ୍ବିଧାନରେ ଅଛି ଏବଂ ତାହା ପବିତ୍ର। ମୁସଲମାନଙ୍କ ବିନା ହିନ୍ଦୁରାଷ୍ଟ୍ରର ପରିକଳ୍ପନା କରାଯାଇ ପାରିବ ନାହିଁ। ଏହା ସହିତ ସେ ଏହା ମଧ୍ୟ କହିଥିଲେ ଆମେ ଯାହା କହୁ ଲୋକମାନେ ସେସବୁକୁ ମାନି ନିଅନ୍ତି ନାହିଁ। ଲୋକମାନେ ଆମ ଉପରକୁ ମଧ୍ୟ ଆଙ୍ଗୁଠି ଉଠାନ୍ତି। ଆଉ ସେହି ସମୟରେ ଆାମେ ଆପଣଙ୍କ ସଂପ୍ରଦାୟରୁ ସମର୍ଥନ ପାଇ ନଥାଉ। ଉଦାହରଣ ସ୍ବରୂପ ପ୍ରତ୍ୟେକ ମସଜିଦରେ ଶିବଲିଙ୍ଗ ଖୋଜିବା ବନ୍ଦ କରିବାକୁ ସେ କହିଥିଲେ। କୌଣସି ମୁସଲମାନ କାହିଁକି ତାଙ୍କର ସେହି ବିବୃତିକୁ ସମର୍ଥନ କରି ନଥିଲେ ବୋଲି ଭାଗବତ ଆମମାନଙ୍କୁ ପଚାରିଥିଲେ। ଆମପକ୍ଷରୁ ଏହାକୁ ଅଣଦେଖା କରାଯାଇଥିବା ଆମେ ମାନିଥିଲୁ। ଏହାପରେ ଆମେ ତାଙ୍କୁ କହିଥିଲୁ ଆପଣଙ୍କ ସହିତ ଏକା ଆଲୋଚନା ହେବା ଉଚିତ ନୁହେଁ। ଆପଣ ଜଣେ ବ୍ୟସ୍ତ ଲୋକ। ତେଣୁ ସଂଗଠନରେ ଆଉ କେଉଁମାନେ ଅଛନ୍ତି କି ଯେଉଁମାନଙ୍କ ସହିତ ଆମେ ଆଲୋଚନା କରିପାରିବୁ? ଏହାପରେ ସେ ଆମକୁ ୪ ଜଣଙ୍କ ନାଁ କହିଥିଲେ। ତାହା ଏକ ସକାରାତ୍ମକ ସଂକେତ ବୋଲି ଆମେ ଅନୁଭବ କରିଥିଲୁ।

ଏହାପରେ‌ ମୋ ଦ୍ବାରା ଲିଖିତ ପୁସ୍ତକ ‘ଦ ପପୁଲେସନ ମିଥ୍‌: ଇସଲାମ, ଫ୍ୟାମିଲି ପ୍ଲାନିଂ ଆଣ୍ଡ୍‌ ପଲିଟିକ୍ସ ଇନ୍‌ ଇଣ୍ଡିଆ’ ‌ତାଙ୍କୁ ଦେଇଥିଲି। ରାଜନୈତିକ କ୍ଷମତା ଦଖଲ ଜରିଆରେ ଦିନେ ଦେଶରେ ମୁସଲମାନ ଲୋକଙ୍କ ସଂଖ୍ୟା ହିନ୍ଦୁଙ୍କ ସଂଖ୍ୟାକୁ ଟପିଯିବ ବୋଲି ଯେଉଁ ଧାରଣା ସୃଷ୍ଟି କରାଯାଉଛି ତାହା ଠିକ୍‌ ନୁହେଁ। ପରିବାର ନିୟୋଜନ ଯୋଜନାକୁ କେବଳ ହିନ୍ଦୁମାନେ ନୁହନ୍ତି, ମୁସଲମାନମାନେ ମଧ୍ୟ ଅଧିକ ମାତ୍ରାରେ ଗ୍ରହଣ କରୁଛନ୍ତି। ଏଥିସହିତ ଦିଲ୍ଲୀ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଦିନେଶ ସିଂହଙ୍କ ଗାଣିତିକ ‌ମଡେଲ ସଂପର୍କରେ ସେ ଉଲ୍ଲେଖ କରିଥିଲେ। ଏଥିରେ ଦର୍ଶାଯାଇଛି ଭାରତରେ ୧୦୦୦ ବର୍ଷ ପର୍ଯ୍ୟନ୍ତ ମୁସଲମାନମାନେ ସଂଖ୍ୟାଗରିଷ୍ଠ ହୋଇପାରିବେ ନାହିଁ। ମୁସଲମାନମାନଙ୍କର ୪ଟି ପତ୍ନୀ ଏବଂ ୨୪ଟି ପିଲା… ଆଦି ସଂପର୍କରେ ମିଥ୍ୟା ପ୍ରଚାର ହେଉଛି ତାହା ସମ୍ଭବ ନୁହେଁ। କାରଣ ଭାରତରେ ଲିଙ୍ଗଗତ ଅନୁପାତ ଯାହା ସେଥିରେ ଜଣେ ପୁରୁଷ ଏକାଧିକ ମହିଳାଙ୍କୁ ବିବାହ ସମ୍ଭବ ନୁହେଁ। ଗତ ଜନଗଣନା ରିପୋର୍ଟରେ ପ୍ରତି ୧୦୦୦ ପୁଅରେ ୯୪୦ ଝିଅ ଥିଲେ। ତେଣୁ ୧୦୦୦ ପୁରୁଷରେ ୬୦ ଜଣଙ୍କର ପତ୍ନୀ ନାହାନ୍ତି। ତେଣୁ ୪ଟି ପତ୍ନୀ କଥା କିଭଳି କହିବା। ଏହା ଶୁଣି ସେ ହସିଥିଲେ। ଅର୍ଥାତ୍ ଏହି କଥାକୁ ସେ ଗୁରୁତ୍ବ ଦେଇଥିଲେ ବୋଲି କୁହାଯାଇ ପାରିବ।

ସମ୍ବନ୍ଧିତ ଖବର