ଥମୁନି ବିବାଦ : ଆରବ ଦେଶରେ ଭାରତୀୟ ସାମଗ୍ରୀର ବହିଷ୍କାର

 

ନୂଆଦିଲ୍ଲୀ : ବିଜେପିର ଦୁଇ ମୁଖପାତ୍ରଙ୍କ ଦ୍ବାରା ଇସଲାମ ବିରୋଧୀ ମନ୍ତବ୍ୟ ଧୀରେ ଧୀରେ ଏକ ବଡ଼ ବିବାଦରେ ପରିଣତ ହେବାରେ ଲାଗିଛି । ଅଧିକରୁ ଅଧିକ ଇସଲାମୀୟ ଦେଶ ଏହାକୁ ନିନ୍ଦା କରିବାରେ ଲାଗିଛନ୍ତି । ସୋମବାରଦିନ କୁଏତର ବିଭିନ୍ନ ସୁପରମାର୍କେଟରୁ ଭାରତୀୟ ଉତ୍ପାଦକୁ ହଟାଇ ଦିଆଯାଇଛି । ଗତକାଲି (ରବିବାର) ସାଉଦି ଆରବ ଓ ୟୁଏଇର ସୁପରମାର୍କେଟରେ ବି ଭାରତୀୟ ଉତ୍ପାଦକୁ ବର୍ଜନ କରାଯାଇଥିଲା ।

ଅନ୍ୟପକ୍ଷରେ ଆଜି ୟୁଏଇ, ସାଉଦିଆରବ ଓ ଇଣ୍ଡୋନେସିଆ ପକ୍ଷରୁ ବିଜେପିର ଦୁଇ ମୁଖପାତ୍ରଙ୍କ ଦ୍ବାରା ଇସଲାମ ବିରୋଧୀ ମନ୍ତବ୍ୟକୁ ନିନ୍ଦା କରାଯାଇଛି । ୟୁଏଇ ପକ୍ଷରୁ କୁହାଯାଇଛି ଯେ ସବୁ ଧାର୍ମିକ ସଂକେତର ସମ୍ମାନ କରାଯିବା ଉଚିତ । ଅନ୍ତର୍ଜାତୀୟ ସ୍ତରରେ ସହନଶୀଳତାର ପ୍ରସାର ଉପରେ ଗୁରୁତ୍ବ ଦିଆଯିବା ଉଚିତ ଓ କୌଣସି ଧର୍ମମତର ଲୋକମାନଙ୍କ ଭାବାବେଗକୁ ହାନୀ ପହଞ୍ଚାଯିବା ଉଚିତ ନୁହେଁ ।

ଗତକାଲି କାତାର, କୁଏତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଡକାଇ ଏହି ପ୍ରସଙ୍ଗରେ ଅସନ୍ତୋଷ ପ୍ରକଟ କରାଯାଇଥିଲା । ଆଜି ପାକିସ୍ତାନ, ବାହାରିନ,ଓମାନ ଓ ଆଫଗାନିସ୍ତାନ ପକ୍ଷରୁ ମଧ୍ୟ ଏହାକୁ ନିନ୍ଦା କରାଯାଇଥିଲା ।

ସୂଚନାଯୋଗ୍ୟ ଯେ ରବିବାରଦିନ ଇସଲାମ ବିରୋଧୀ ମନ୍ତବ୍ୟ ପାଇଁ ବିଜେପି ପକ୍ଷରୁ ଦୁଇ ମୁଖପାତ୍ର ନୂପୁର ଶର୍ମା ଓ ନବୀନ ଜିନ୍ଦଲଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ନୂପୁରଙ୍କୁ ନିଲମ୍ବିତ କରାଯିବା ସହ ନବୀନଙ୍କୁ ବହିଷ୍କାର କରାଯାଇଥିଲା ।

ସମ୍ବନ୍ଧିତ ଖବର