ନୂଆଦିଲ୍ଲୀ: ରେବିଜ୍ ବା ଜଳାତଙ୍କ ରୋଗ ଏକ ବିପଦପୂର୍ଣ୍ଣ ଭୂତାଣୁଜନିତ ରୋଗ, ଯାହା ସାଧାରଣତଃ କିଛି ପ୍ରାଣୀ କାମୁଡ଼ିଲେ ବା ରାମ୍ପୁଡ଼ି ଦେଲେ ମଣିଷକୁ ବ୍ୟାପେ। ପ୍ରାୟତଃ ଲୋକମାନେ ଭାବନ୍ତି ଯେ, ଏହା କେବଳ କୁକୁର କାମୁଡ଼ିଲେ ହିଁ ହୋଇଥାଏ। କିନ୍ତୁ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ। କେବଳ କୁକୁର କାମୁଡ଼ିଲେ ଯେ, ଜଳାତଙ୍କ ରୋଗ ହେବ, ତାହା ସମ୍ପୂର୍ଣ୍ଣ ଭୁଲ୍। କୁକୁର ବ୍ୟତୀତ ଏଭଳି ଅନେକ ପ୍ରାଣୀ ଅଛନ୍ତି, ଯେଉଁମାନେ କାମୁଡ଼ିଲେ, ରାମ୍ପୁଡ଼ିଲେ ବା ସେମାନଙ୍କ ଲାଳ ଦେହରେ ଲାଗିଲେ ମଣିଷ ଜଳାତଙ୍କ ରୋଗରେ ଆକ୍ରାନ୍ତ ହୁଏ। ଯଦି ପ୍ରାଣୀଟି ଜଳାତଙ୍କ ରୋଗରେ ଶିକା‌ର ହୋଇଛି ତେବେ ତା’ର ସଂସ୍ପର୍ଶରେ ଆସିଲେ ମଣିଷକୁ ଜଳାତଙ୍କ ହେବ।  ଯଦି ସମୟ ମଧ୍ୟରେ ଏହାର ଚିକିତ୍ସା ନ କରାଯାଏ, ତେବେ ଏହା ଜୀବନ ପାଇଁ ବିପଦ ସୃଷ୍ଟି କରିପାରେ। ଆସନ୍ତୁ ଜାଣିବା କୁକୁର ବ୍ୟତୀତ ଅନ୍ୟ କେଉଁ ପ୍ରାଣୀ କାମୁଡ଼ିଲେ ଜଳାତଙ୍କ ହୋଇପାରେ ଏବଂ ଏହାର ପ୍ରାରମ୍ଭିକ ଲକ୍ଷଣ ଏବଂ ଚିକିତ୍ସା କ’ଣ?

ଜଳାନ୍ତକ କିପରି ବ୍ୟାପିଥାଏ?

Advertisment

ରେବିଜ୍ ଭୂତାଣୁ ପ୍ରାଣୀଙ୍କ ଲାଳ ମାଧ୍ୟମରେ ମଣିଷ ଶରୀରକୁ ପ୍ରବେଶ କରେ। ଯେତେବେଳେ ଏକ ରେବିଜ୍ ସଂକ୍ରମିତ ପ୍ରାଣୀ କାହାକୁ କାମୁଡ଼ିଥାଏ କିମ୍ବା ରାମ୍ପୁଡ଼ିଥାଏ, ସେତେବେଳେ ଭୂତାଣୁ ରକ୍ତରେ ପ୍ରବେଶ କରେ। କେବଳ କାମୁଡ଼ିବା ଦ୍ବାରା ନୁହେଁ, ମଣିଷ ଶରୀରରେ ଆଘାତ ଲାଗିଥିବା କୌଣସି ସ୍ଥାନରେ ସଂକ୍ରମିତ ପ୍ରାଣୀର ଲାଳ ଲାଗିବା ଦ୍ବାରା ମଧ୍ୟ ଜଳାତଙ୍କ  ହୋଇପାରେ। 

କେବଳ କୁକୁର ନୁହେଁ, ଏହି ପ୍ରାଣୀମାନଙ୍କଠୁ ବି ବ୍ୟାପିପାରେ ରେବିଜ୍

ରେବିଜ୍ ବା ଜଳାତଙ୍କ ରୋଗର ବିପଦ କେବଳ ବୁଲା କୁକୁର ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ବିଲେଇ, ମାଙ୍କଡ଼, ବାଦୁଡ଼ି, ଘୋଡା, ଗଧ ଏବଂ କୋକିଶିଆଳୀ ଭଳି ପ୍ରାଣୀ ମଧ୍ୟ ଏହାର ଉତ୍ସ ହୋଇପାରନ୍ତି। ଅନେକ ସମୟରେ ଲୋକମାନେ ଭାବନ୍ତି ଯେ କେବଳ କାମୁଡ଼ିବା ଦ୍ୱାରା ସଂକ୍ରମଣ ହୁଏ। କିନ୍ତୁ ବାସ୍ତବତା ହେଉଛି, ସଂକ୍ରମିତ ପ୍ରାଣୀ ଚାଟିବା କିମ୍ବା ଲାଳ ସଂସ୍ପର୍ଶରେ ଆସିବା ମଧ୍ୟ ସମାନ ଭାବରେ ବିପଦଜନକ ହୋଇପାରେ।

ରେବିଜ୍‌ର ପ୍ରାରମ୍ଭିକ ଲକ୍ଷଣଗୁଡ଼ିକ କ’ଣ?

ପ୍ରାରମ୍ଭିକ ଲକ୍ଷଣଗୁଡ଼ିକ ହେଲା ଆପଣଙ୍କୁ ଲଗାତାର ଜ୍ୱର ହେବା ସହ ଶରୀର ଥରିବା ଆରମ୍ଭ ହେବ। ଏହା ବ୍ୟତୀତ, କୁକୁର କାମୁଡ଼ିଥିବା ସ୍ଥାନରେ ଜଳାପୋଡ଼ା କିମ୍ବା ପ୍ରବଳ ଯନ୍ତ୍ରଣା ମଧ୍ୟ ହୋଇପାରେ। ଆପଣଙ୍କ ପାଟିରୁ ଲାଳ ବାହାରିବା ସହ ପାଣିକୁ ଆପଣ ଡରିବା ଆରମ୍ଭ କରିବେ। ମୁଣ୍ଡ ବିନ୍ଧିବା ସହ ଖାଦ୍ୟ ଢ଼ୋକିବାରେ ସମସ୍ୟା ହେବା। ଏହି ଲକ୍ଷଣଗୁଡ଼ିକ ଦେଖାଦେବା ପରେ, ରୋଗର ଚିକିତ୍ସା ପ୍ରାୟ ଅସମ୍ଭବ ହୋଇଯାଏ। ସେଥିପାଇଁ କୁକୁର କାମୁଡ଼ିବା ପରେ ପ୍ରଥମରୁ ହିଁ ସତର୍କ ହୋଇ ଟୀକା ନେବା ଜରୁରୀ। 

ଚିକିତ୍ସା

ରେବିଜ୍‌ର କୌଣସି ପ୍ରତିକାର ନାହିଁ। କିନ୍ତୁ ଏହାକୁ ରୋକାଯାଇପାରିବ। ରେବିଜ୍ ସଂକ୍ରମିତ କରିପାରୁଥିବା କୌଣସି ପ୍ରାଣୀ କାମୁଡ଼ିବା କିମ୍ବା ରାମ୍ପୁଡ଼ିବା ପରେ ତୁରନ୍ତ କ୍ଷତକୁ ସାବୁନ ଏବଂ ପାଣିରେ ୧୫ ମିନିଟ୍ ପର୍ଯ୍ୟନ୍ତ ଭଲ କରି ଧୋଇ ନିଅନ୍ତୁ। ଏହା ବ୍ୟତୀତ କାମୁଡ଼ିବାର ୨୪ ଘଣ୍ଟା ମଧ୍ୟରେ ଆଣ୍ଟି-ରେବିଜ୍‌ ଟିକା ନିଅନ୍ତୁ। ଟିଟାନସ୍‌ ଇଞ୍ଜେକ୍ସନ୍ ନେବା ମଧ୍ୟ ଆବଶ୍ୟକ। ଆପଣଙ୍କୁ ମାସକ ମଧ୍ୟରେ ପ୍ରାୟ ୪-୫ଟି ଆଣ୍ଟି-ରେବିଜ୍‌ ଟିକା ନେବାକୁ ହେବ।