ଦୂରେଇ ରହିଲେ ୩ ଦଳ
ନୂଆଦିଲ୍ଲୀ: ମଙ୍ଗଳବାର ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ହୋଇଥିଲା। ଏଥିରେ ବିଜେପି ନେତୃତ୍ୱାଧୀନ ଶାସକ ମେଣ୍ଟର ପ୍ରାର୍ଥୀ ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ ବିରୋଧୀ ଇଣ୍ଡି-ମେଣ୍ଟର ପ୍ରାର୍ଥୀ ତଥା ପୂର୍ବତନ ସୁପ୍ରିମ୍କୋର୍ଟ ବିଚାରପତି ଜଷ୍ଟିସ୍ ବି ସୁଦର୍ଶନ ରେଡ୍ଡୀଙ୍କୁ ପରାସ୍ତ କରିଛନ୍ତି। ଏହି ନିର୍ବାଚନରେ ବିଜୁ ଜନତା ଦଳ (ବିଜେଡି), ଭାରତ ରାଷ୍ଟ୍ର ସମିତି (ବିଆର୍ଏସ୍) ଏବଂ ଶିରୋମଣି ଅକାଳୀ ଦଳ (ଏସ୍ଏଡି) ଦୂରେଇ ରହିଥିଲେ। ଏହି ୩ ଦଳ ପାଖରେ ମୋଟ ୧୨ ଜଣ ସାଂସଦଙ୍କ ସମର୍ଥନ ରହିଛି।
ବିଜୁ ଜନତା ଦଳ
ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ସାଂସଦମାନେ ଭୋଟଦାନରୁ ଦୂରେଇ ରହିବେ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ଘୋଷଣା କରିଥିଲା। ଜାତୀୟ ସ୍ତରରେ ଉଭୟ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ଓ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି-ମେଣ୍ଟଠାରୁ ସମାନ ଦୂରତା ବଜାୟ ରଖିବା ନୀତିର ଏକ ଅଂଶ ଭାବରେ ଦଳ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି। ରାଜ୍ୟସଭାରେ ବିଜେଡିର ସାତ ଜଣ ସାଂସଦ ଅଛନ୍ତି- ନିରଞ୍ଜନ ବିଶି, ସୁଲତା ଦେଓ, ମୁଜିବୁଲ୍ଲା ଖାନ, ଶୁଭାଶିଷ ଖୁଣ୍ଟିଆ, ମାନସ ରଞ୍ଜନ ମଙ୍ଗରାଜ, ସସ୍ମିତ ପାତ୍ର ଓ ଦେବାଶିଷ ସାମନ୍ତରାୟ। ଲୋକସଭାରେ ସେମାନଙ୍କର କୌଣସି ସାଂସଦ ନାହାନ୍ତି।
ଭାରତ ରାଷ୍ଟ୍ର ସମିତି (ବିଆର୍ଏସ୍)
ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱରେ ଭାରତ ରାଷ୍ଟ୍ର ସମିତି (ବିଆର୍ଏସ୍) ମଧ୍ୟ ୟୁରିଆ ଅଭାବ ହେତୁ ରାଜ୍ୟର କୃଷକମାନେ ଅନୁଭବ କରୁଥିବା ଯନ୍ତ୍ରଣା ଦର୍ଶାଇ ନିର୍ବାଚନକୁ ବୟକଟ୍ କରିଛି। ଗତ ୨୦ ଦିନ ଧରି ବିଆର୍ଏସ୍ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ୟୁରିଆ ଅଭାବ ନେଇ ଚେତାବନୀ ଦେଇଆସୁଛି। ତଥାପି ସେମାନେ ପ୍ରତିକ୍ରିୟା ଦେବାରେ ବିଫଳ ହୋଇଛନ୍ତି। ଏହାର ପ୍ରତିବାଦ ସ୍ୱରୂପ ବିଆର୍ଏସ୍ ଉପରାଷ୍ଟ୍ରପତି ନିର୍ବାଚନରେ ଅଂଶଗ୍ରହଣ ନ କରିବାକୁ ନିଷ୍ପତ୍ତି ନେଇଥିଲା। ଯଦି ‘ନୋଟା’ ଏକ ବିକଳ୍ପ ହୋଇଥାନ୍ତା, ତେବେ ଆମେ ଏହାକୁ ବାଛିଥାନ୍ତୁ ବୋଲି ଦଳର କାର୍ଯ୍ୟକାରୀ ସଭାପତି କେଟି ରାମାରାଓ କହିଛନ୍ତି। ରାଜ୍ୟସଭାରେ ବିଆର୍ଏସ୍ର ଚାରିଜଣ ସାଂସଦ ଅଛନ୍ତି। ସେମାନେ ହେଲେ ଦାମୋଦର ରାଓ ଦିବାକୋଣ୍ଡା ରେଡ୍ଡୀ, ବି ପାର୍ଥସାରଥି ରେଡ୍ଡୀ, କେଆର୍ ସୁରେଶ ରେଡ୍ଡୀ ଓ ରବିଚନ୍ଦ୍ର ବଦ୍ଦିରାଜୁ।
ଶିରୋମଣି ଅକାଳୀ ଦଳ
ଶିରୋମଣି ଅକାଳୀ ଦଳ (ଏସ୍ଏଡି) ମଧ୍ୟ ଉପରାଷ୍ଟ୍ରପତି ନିର୍ବାଚନରୁ ଦୂରେଇ ରହି କହିଛି ଯେ ରାଜ୍ୟରେ ବନ୍ୟା ମୁକାବିଲା ପାଇଁ କେନ୍ଦ୍ର ଓ ପଞ୍ଜାବରେ କ୍ଷମତାରେ ଥିବା ଆମ୍ ଆଦମୀ ପାର୍ଟି (ଏଏପି)ରୁ ସହାୟତା ମିଳିନାହିଁ। ରାଜ୍ୟର ପ୍ରାୟ ଏକ ତୃତୀୟାଂଶ ପାଣିରେ ବୁଡ଼ି ରହିଛି ଏବଂ ଘର ଓ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ରାଜ୍ୟ କିମ୍ବା କେନ୍ଦ୍ର ସରକାର ପଞ୍ଜାବୀମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିନାହାନ୍ତି। ତେଣୁ ଏହାର ପ୍ରତିବାଦରେ ସେମାନେ ଭୋଟ୍ ବର୍ଜନ କରିଛନ୍ତି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ହରସିମ୍ରତ କୌର ବାଦଲ ହେଉଛନ୍ତି ଏକମାତ୍ର ଏସ୍ଏଡି ସାଂସଦ। ଲୋକସଭାରେ ଏନ୍ଡିଏର ୨୯୩ ଜଣ ଓ ରାଜ୍ୟସଭାରେ ୧୨୯ ଜଣ ସାଂସଦ ଥିବାବେଳେ ବିରୋଧୀ ମେଣ୍ଟରେ ମୋଟ ପ୍ରାୟ ୩୨୫ ଜଣ ସାଂସଦ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/10/fhshfhxbbv-2025-09-10-02-31-29.jpg)