ନୂଆଦିଲ୍ଲୀ: ସି.ପି. ରାଧାକ୍ରିଷ୍ଣନ୍ ଶୁକ୍ରବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ଭାରତର ୧୫ଶ ଉପରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ସକାଳ ୧୦ଟା ୧୦ରେ ଇଂରାଜୀରେ ଶପଥ ପାଠ କରାଇଥିଲେ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍)ରେ ମୂଳରୁ ଜଡ଼ିତ ଥିବା ତାମିଲନାଡୁର ବରିଷ୍ଠ ବିଜେପି ନେତା ୬୭ ବର୍ଷୀୟ ରାଧାକ୍ରିଷ୍ଣନ୍ ୪୫୨ ଭୋଟ୍ ପାଇ ଉପରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିଲେ। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ବିରୋଧୀ ମେଣ୍ଟ ପ୍ରାର୍ଥୀ ସୁପ୍ରିମ୍କୋର୍ଟର ପୂର୍ବତନ ବିଚାରପତି ବି ସୁଦର୍ଶନ ରେଡ୍ଡୀ ୩୦୦ ଭୋଟ୍ ପାଇଥିଲେ। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜୁଲାଇ ୨୧ରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ହଠାତ୍ ଇସ୍ତଫା ଦେବା ପରେ ଏହି ନିର୍ବାଚନ ହୋଇଥିଲା।
ଏଥିରେ ବିଜୟ ପରେ ଗୁରୁବାର ରାଧାକ୍ରିଷ୍ଣନ୍ ମହାରାଷ୍ଟ୍ର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ମୁର୍ମୁ ଗୁଜୁରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ମହାରାଷ୍ଟ୍ରର ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି। କୋଏମ୍ବାଟୁରରୁ ଦୁଇଥର ସାଂସଦ ତଥା ତାମିଲନାଡୁର ପୂର୍ବତନ ବିଜେପି ମୁଖ୍ୟ ରାଧାକ୍ରିଷ୍ଣନ୍ ବିଜେପିରେ ଯୋଗ ଦେବା ପୂର୍ବରୁ ଜନସଂଘରେ ଏକ ଦଶନ୍ଧି ଧରି କ୍ୟାରିୟର ଆରମ୍ଭ କରିଥିଲେ। ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ଏମ୍ ଭେଙ୍କାୟା ନାଇଡୁ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂହ, ନୀତିନ ଗଡକରୀ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନ ଗୁଜରାଟ ଗସ୍ତରେ ଥିବାରୁ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇ ନ ଥିଲେ। ଧନଖଡ଼ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାର ୫୨ ଦିନ ପରେ ପ୍ରଥମ ଥର ପାଇଁ ଆଜି ତାଙ୍କୁ ସାର୍ବଜନୀନ ଭାବେ ଦେଖିବାକୁ ମିଳିଥିଲା। ଶପଥ ସମାରୋହରେ ସେ ବେଶ୍ ସକ୍ରିୟ ରହିଥିଲେ।