ନୂଆଦିଲ୍ଲୀ: ଗତ ସପ୍ତାହରେ ଦିଲ୍ଲୀବାସୀ ଦଶହରା ପାଳନ କରୁଥିବାବେଳେ ଏକ ଫଟୋରେ ଦେଖାଯାଉଛି ପୂର୍ବ ଦିଲ୍ଲୀ ଅନ୍ତର୍ଗତ ବିବେକ ବିହାର ଥାନାର ଷ୍ଟେସନ୍ ହାଉସ୍ ଅଫିସର୍ (ଏସ୍ଏଚ୍ଓ) ଅଫିସ୍ରେ କରପତ୍ର ଯୋଡ଼ି ଠିଆ ହୋଇଛନ୍ତି ଏବଂ ତାଙ୍କ ଚେଆର୍ରେ ବସିଛନ୍ତି ସ୍ୱ-ଘୋଷିତ ସାଧ୍ୱୀ ରାଧେ ମା’।
ଷ୍ଟେସନ୍ ହାଉସ୍ ଅଫିସର୍ ସଞ୍ଜୟ ଶର୍ମା ସମ୍ପୃକ୍ତ ଥିବା ଘଟଣାଟି ଘଟିବାର ସପ୍ତାହକ ପରେ ଗୁରୁବାର ଦିନ ଫଟୋଚିତ୍ରଟି ପଦାକୁ ଆସିଛି। ମାମଲା ସଂକ୍ରାନ୍ତରେ ତଦନ୍ତ କରୁଛନ୍ତି ବୋଲି ବରିଷ୍ଠ ଅଧିକାରୀମାନେ କହିବାବେଳେ ସେ ଏସ୍ଏଚ୍ଓ ଏ ଘଟଣାକୁ ନିଶ୍ଚିତ କରିଛନ୍ତି।
ଫୋନ୍ ଯୋଗେ ସେ ଜଣେ ସାମ୍ବାଦିକଙ୍କୁ କହିଛନ୍ତି: ଅତି ସ୍ୱଳ୍ପ ସମୟ ପାଇଁ ସେ ମୋ ଚୌକିରେ ବସିଥିଲେ। ଅଫିସ୍ ଛାଡ଼ି ଚାଲି ଯାଅ ବୋଲି ମୁଁ ହାତ ଯୋଡ଼ି ତାଙ୍କୁ ଅନୁରୋଧ କରିଥିଲି। ସେ ଜଣେ ଧାର୍ମିକ ବ୍ୟକ୍ତିତ୍ୱ।
ଅଫିସର୍ଙ୍କ କହିବା ମତେ, ସେପ୍ଟେମ୍ବର ୨୮ ତାରିଖ ଦିନ ପୂର୍ବାହ୍ନ ପ୍ରାୟ ସାଢ଼େ ଏଗାରଟା ସମୟରେ ସେ ଅଫିସ୍ରେ ଥିବାବେଳେ ରାଧେ ମା’ ଏବଂ ତାଙ୍କ ଅନୁଗାମୀଗଣ ରାମଲୀଳା ଅଞ୍ଚଳକୁ ଯାଉଥିଲେ। ତାଙ୍କ ଅନୁଗାମୀଗଣ କହିଲେ କି, ରାଧେ ମା’ ଓ୍ଵାସ୍ରୁମ୍ ଯିବାକୁ ଚାହୁଁଛନ୍ତି। ତେଣୁ, ମୁଁ ତାଙ୍କୁ ଟଏଲେଟ୍ ବ୍ୟବହାର କରିବାକୁ ଅନୁମତି ଦେଇଥିଲି।
ଟଏଲେଟ୍ ଠିକ୍ ମୋ ଚୌକି ପଛପଟେ ଅବସ୍ଥିତ ହୋଇଥିବାରୁ, ରାଧେ ମା’ ସେଠାରୁ ଫେରି ବିନା ଅନୁମତିରେ ମୋ ଚୌକିରେ ବସି ପଡ଼ିଥିଲେ। ତାଙ୍କ ସହ ୧୫/୨୦ ଜଣ ଅନୁଗାମୀ ଥିଲେ। ସେମାନେ ପାଖରେ ଠିଆ ହୋଇଥିଲେ।
ଫଟୋରେ ଦିଶୁଛି ସହାସ୍ୟ ଏସ୍ଏଚ୍ଓ ରାଧେ ମା’ଙ୍କ ପାଖରେ ଠିଆ ହୋଇଛନ୍ତି। ତାଙ୍କ ବେକରେ ପଡ଼ିଛି ଏକ ଲାଲ୍ ଓଢ଼ଣି ଏବଂ ସେ ହାତ ଯୋଡ଼ିଛନ୍ତି। ଏ ସବୁ କଥା ୫ ମିନିଟ୍ରୁ କମ୍ ସମୟ ମଧ୍ୟରେ ଘଟିଥିବା କଥା କହନ୍ତି ଏସ୍ଏଚ୍ଓ।
ଏହି ଘଟଣା ସମ୍ବନ୍ଧରେ ଦିଲ୍ଲୀ ପୁଲିସ ତଦନ୍ତ ଆରମ୍ଭ କରିଛି। ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ଜାଣିବାକୁ ପଚାରନ୍ତେ ଦିଲ୍ଲୀ ପୁଲିସର ମୁଖ୍ୟ ମୁଖପାତ୍ର ଦେପେନ୍ଦ୍ର ପାଠକ କହନ୍ତି ଯେ ଏ ମାମଲା ଉପରେ ଯାଞ୍ଚ ଚାଲିଛି। ଆମେ ଯାଞ୍ଚ କରି ବିହିତ ପଦକ୍ଷେପ ଗ୍ରହଣ କରିବୁ।
ଶୁଣିବାକୁ ମିଳୁଛି, ସେପ୍ଟେମ୍ବର ୨୮ ତାରିଖ ମହାନବମୀ ଦିନ ଘଟିଥିବା ଘଟଣା ସମୟରେ ନବରାତ୍ରୀ ଚାଲିଥିଲା। ରାଧେ ମା’ ଆସିଥିଲେ ରାମଲୀଳା ଦେଖିବା ପାଇଁ। ସେଠାରେ ପ୍ରବଳ ଜନଗହଳି ହୋଇଥିବା ଯୋଗୁଁ ଏସ୍ଏଚ୍ଓ ଶର୍ମା କୁଆଡ଼େ ତାଙ୍କୁ ଥାନାକୁ ଡାକି ନେଇଥିଲେ।
ରାଧେ ମା’ ବିରାଜିତା ହୋଇଥିବା ସମୟରେ ସମ୍ପୂର୍ଣ୍ଣ ଥାନା ‘ରାଧେ’ ‘ରାଧେ’ ଧ୍ୱନିରେ ମୁଖରିତ ହୋଇ ଉଠିଥିଲା।
ରାଧେ ମା’ ନିଜକୁ ଆଦ୍ୟାଶକ୍ତି ମହାମାୟୀ ଦୁର୍ଗାଙ୍କ ଅବତାର ବୋଲି ଦାବି କରନ୍ତି। ଆତ୍ମଘୋଷିତା ସାଧ୍ୱୀ ରାଧେ ମା’ ଯୌତୁକ ନିର୍ଯାତନା, ଯୌନ ଉତ୍ପୀଡ଼ନ ଏବଂ ଲୋକଙ୍କୁ ଧମକାଣ ଦେବା ଅଭିଯୋଗରେ ଅଭିଯୁକ୍ତା ହୋଇଛନ୍ତି।
ନିକଟ ଅତୀତରେ ସନ୍ଥମାନଙ୍କର ଏକ ସଂସ୍ଥାନ ତାଙ୍କୁ ‘କପଟୀ ସାଧ୍ୱୀ’ ବୋଲି ଘୋଷଣା କରିଛି।