ମୁଁ ସ୍ବାସ୍ଥ୍ୟଗତ ସମସ୍ୟା ଦେଇ ଗତି କଲା ବେଳେ ରାଧିକା ପଥର ପରି ମୋ ସହ ଛିଡ଼ା ହୋଇଛନ୍ତି: ଅନନ୍ତ ଅମ୍ବାନୀ

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଆଗାମୀ ଭବିଷ୍ୟତରେ ବିବାହ କରିବାକୁ ଯାଉଛନ୍ତି। ତାଙ୍କ ମଙ୍ଗେତର ରାଧିକା ମର୍ଚାଣ୍ଟଙ୍କର ସେ ଏହି ଅବସରରେ ଖୁବ୍‌ ପ୍ରଶଂସା କରିଛନ୍ତି। ତାଙ୍କ ଜୀବନରେ ଏକ କଠନ ସମୟ (ସ୍ବାସ୍ଥ୍ୟଗତ ସମସ୍ୟା) ଦେଇ ଗତି କରୁଥିବା ବେଳେ ରାଧିକା ତାଙ୍କୁ କିପରି ସମର୍ଥନ ଦେଇଛନ୍ତି ତାହା ଉଲ୍ଲେଖ କରିଛନ୍ତି ଅନନ୍ତ। ସେ କହିଛନ୍ତି ଯେ ‘‘ମୋ ଅସମୟରେ ରାଧିକା ଏକ ପଥର ପରି ଦୃଢ଼ ହୋଇ ମୋ ସହ ଛିଡ଼ା ହୋଇଛନ୍ତି।’’

ଗୁଜୁରାଟର ଜାମନଗରରେ ଚାଲିଥିବା ରିଲାଏନ୍ସ ଗ୍ରିନ୍ସ କମ୍ପ୍ଲେକ୍ସରେ ତାଙ୍କର ଏବଂ ରାଧିକା ମର୍ଚାଣ୍ଟଙ୍କର ତିନି ଦିନିଆ ପ୍ରି-ୱେଡିଂ ଉତ୍ସବ ଆୟୋଜିତ ହୋଇଛି। ଏହି ଅବସରରେ ଅନନ୍ତ ଇଣ୍ଡିଆ ଟୁଡେ ନ୍ୟୁଜ୍ ନିର୍ଦ୍ଦେଶକ ରାହୁଲ କାନୱାଲଙ୍କ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସେ ଏହି ମନ୍ତବ୍ୟ ଦେଇଛନ୍ତି।

ଏହି ଉତ୍ସବରେ ବହୁ ଭାରତୀୟ ତଥା ଆନ୍ତର୍ଜାତୀୟ କଳାକାର, ପପ୍-ଆଇକନ୍ ରିହାନା, ଅରିଜିତ୍ ସିଂ ଏବଂ ଦିଲଜିତ୍ ଦୋସାଞ୍ଜ ପ୍ରଦର୍ଶନ କରିବାକୁ ଯାଉଛନ୍ତି। ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍ ଗେଟ୍ସ ଏବଂ ମେଟା ସିଇଓ ମାର୍କ ଜୁକରବର୍ଗ ମଧ୍ୟ ଉପସ୍ଥିତ ରହିବେ ବୋଲି କୁହାଯାଉଛି।

ଅନନ୍ତ ଅମ୍ବାନୀ ଇଣ୍ଡିଆ ଟୁଡେକୁ କହିଛନ୍ତି, “ତାଙ୍କୁ ପାଇ ମୁଁ ଭାଗ୍ୟବାନ ଅଟେ। ସେ ମୋର ସ୍ୱପ୍ନର ନାୟିକା। ପିଲାଦିନରୁ, ମୁଁ ଭାବିଥିଲି ଯେ ମୁଁ କେବେବି ବିବାହ କରିବି ନାହିଁ। କାରଣ ମୁଁ ସର୍ବଦା ପଶୁମାନଙ୍କର ଯତ୍ନ ନେବା ପାଇଁ ଉତ୍ସର୍ଗୀକୃତ ଥିଲି। କିନ୍ତୁ ଯେତେବେଳେ ମୁଁ ରାଧିକାଙ୍କୁ ଭେଟିଲି, ମୁଁ ଦେଖିଲି ସେ ଏକଦମ ମୋ ଭଳି। ପଶୁମାନଙ୍କ ପ୍ରତି ମୋ ପରି ତାଙ୍କର ମଧ୍ୟ ସହାନୁଭୂତି ରହିଛି। ତା’ପରେ ଧୀରେ ଧୀରେ ସେ ମୋତେ ଭଲଲାଗିଲେ।’’

ସମ୍ବନ୍ଧିତ ଖବର