ନୂଆଦିଲ୍ଲୀ: ଗୁରୁଗ୍ରାମର ଟେନିସ ଖେଳାଳି ରାଧିକା ଯାଦବଙ୍କୁ ଗୁରୁବାର ତାଙ୍କ ବାପା ଗୁଳିକରି ହତ୍ୟା କରିବା ମାମଲାରେ କେତେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ରାଧିକାଙ୍କ ଶରୀରରେ ପଛପଟୁ ୩ଟି ଗୁଳି ବାଜିଛି ବୋଲି ମାମଲାରେ ରୁଜୁ ହୋଇଥିବା ଏତଲାରେ ଦର୍ଶାଯାଇଛି।
ଏବେ ରାଧିକାଙ୍କୁ ନେଇ ନୂଆ ନୂଆ ତଥ୍ୟ ସବୁ ହସ୍ତଗତ ହେବାରେ ଲାଗିଛି। ଜାଣିବାକୁ ମିଳିଛି ଯେ ରାଧିକା ବିଦେଶ ଯିବାକୁ ଚାହୁଁଥିଲେ। କାରଣ ସେଠି ତାଙ୍କୁ ବିଶେଷ କଟକଣା ମାନିବାକୁ ପଡ଼ିନଥାନ୍ତା। ସେ ତାଙ୍କ କୋଚ୍ଙ୍କ ସହ କରିଥିବା ହ୍ବାଟ୍ସଆପ୍ ଚାଟ୍ରୁ ଏହା ଜଣାପଡ଼ିଛି।
ରାଧିକା ମେସେଜ୍ରେ ଲେଖିଥିଲେ, ‘‘ଏଠାରେ ଖୁବ୍ ବାଧା ରହିଛି। ମୁଁ ମୋ ଜୀବନ ଉପଭୋଗ କରିବାକୁ ଚାହୁଁଛି।’’ ସେ ନିଜ ପରିବାରଠାରୁ ଦୂରକୁ ଯିବାକୁ ଚାହାନ୍ତି ବୋଲି ତାଙ୍କ କୋଚ୍ଙ୍କୁ କହିବାର ମେସେଜ୍ରେ ରହିଛି। ସେ ଦୁବାଇ କିମ୍ବା ଅଷ୍ଟ୍ରେଲିଆ ଯିବାକୁ ଇଚ୍ଛୁକ ଥିଲେ। କାରଣ ଚୀନର ଖାଦ୍ୟ ବେଶି ଭଲ ନଥିବାରୁ ସେ ସେଠାକୁ ଯିବାକୁ ଇଚ୍ଛୁକ ନଥିଲେ।
ରାଧିକାଙ୍କ ଶରୀରରେ ୪ଟି ଗୁଳି ବାଜିଛି ଏବଂ ସମସ୍ତ ଗୁଳି ଛାତିରେ ବାଜିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। ସମସ୍ତ ଗୁଳି କଢ଼ାଯାଇ ଫରେନ୍ସିକ ପରୀକ୍ଷା ପାଇଁ ପଠାଯାଇଛି। ତେବେ ଏହି ମାମଲାରେ ଏବେ ମୁଖ୍ୟ ବିବାଦୀୟ ପ୍ରସଙ୍ଗ ହେଉଛି ଗୁଳି ଚଳାଇଥିବା ବ୍ୟକ୍ତିଙ୍କ ନିଜସ୍ବ ସ୍ବୀକାରୋକ୍ତି। ପୁଲିସ ଏତଲା ଅନୁଯାୟୀ ଅଭିଯୁକ୍ତ ଦୀପକ ଯାଦବ ସ୍ବୀକାର କରିଥିଲେ ଯେ ସେ ନିଜ ଝିଅକୁ ପଛରୁ ଗୁଳି କରିଛନ୍ତି। କିନ୍ତୁ ବ୍ୟବଚ୍ଛେଦ ରିପୋର୍ଟ କହୁଛି ତାଙ୍କୁ ସମ୍ମୁଖରୁ ଗୁଳି କରାଯାଇଛି। ଉଲ୍ଲେଖଯୋଗ୍ୟ, ୨୫ ବର୍ଷୀୟା ଟେନିସ ଖେଳାଳି ରାଧିକାଙ୍କୁ ତାଙ୍କ ବାପା ଗୁରୁବାର ସକାଳେ ଅତି ନିକଟରୁ ଗୁଳିକରି ହତ୍ୟା କରିଥିଲେ।
ମିଳିଥିବା ସୂଚନାନୁଯାୟୀ ରାଧିକାଙ୍କ ବାପା ତାଙ୍କୁ ତାଙ୍କ ପୂରା କ୍ୟାରିୟରରେ ସହଯୋଗ କରିଥିଲେ। ରାଧିକାଙ୍କ ଟେନିସ୍ ଏକାଡେମି ପାଇଁ ସେ ୨ କୋଟି ଟଙ୍କା ବିନିଯୋଗ କରିଛନ୍ତି। କିନ୍ତୁ ସେ ଜଣେ କ୍ଷଣକୋପୀ ବ୍ୟକ୍ତି। ନିଜ ଝିଅ ଏବଂ ପତ୍ନୀଙ୍କୁ ସେ ସାମାନ୍ୟ କାରଣରୁ ବି ସନ୍ଦେହ କରି ଗାଳିଗୁଲଜ କରୁଥିବା ଜଣାପଡ଼ିଛି। ସୂଚନାନୁଯାୟୀ ଦୀପକ ଅଳ୍ପଦିନ ତଳେ ତାଙ୍କ ଗାଁକୁ ଯାଇଥିଲେ । ସେଠାରେ କିଛି ଗ୍ରାମବାସୀ ତାଙ୍କୁ ‘ଗିରା ହୁଆ ବାପ୍’ କହିଥିଲେ। ଏଥିରେ ଦୀପକ ଖୁବ୍ଜୋର୍ ରାଗି ଯାଇଥିଲେ। ଘରକୁ ଫେରିବାପରେ ରାଧିକାଙ୍କ ସହ ତାଙ୍କର ବଚସା ହୋଇଥିଲା। ଦୀପକ ଏହାପରେ ଝିଅ ରାଧିକାଙ୍କୁ ଏକାଡେମି ବନ୍ଦ କରିବାକୁ କହିଥିଲେ। କୁହାଯାଉଛି ଯେ ଦୀପକ ୩ ଦିନ କାଳ ଚିନ୍ତା କରିଥିଲେ ଯେ ଆତ୍ମହତ୍ୟା କରିବେ ନା’ ଝିଅକୁ ମାରିବେ। ଗୁରୁବାର ଦିନ ସେ ନିଜ ଝିଅକୁ ମାରିବାପାଇଁ ନିଷ୍ପତ୍ତି ନେଲେ। ଗୁରୁବାର ରାଧିକା ନିଜ ମା’ଙ୍କ ଜନ୍ମଦିନ ପାଇଁ କିଛି ସ୍ବତନ୍ତ୍ର ଖାଦ୍ୟ ପ୍ରସ୍ତୁତ କରିବାକୁ କିଚେନ୍ ଯିବା ସମୟରେ ଦୀପକ ତାଙ୍କ ଉପରକୁ ୫ ରାଉଣ୍ଡ୍ ଗୁଳି ଚଳାଇଥିଲେ। ଏଥିରୁ ୪ଟି ଗୁଳି ତାଙ୍କ ଛାତିରେ ବାଜିଥିଲା ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।