ମନିଲା: ରବିବାର ଦିନ ଫିଲିପ୍ପିନ୍‌ସ୍‌ରେ ଏକ ଷ୍ଟୁଡିଓ ମଧ୍ୟରେ ଜଣେ ରେଡିଓ ଉପସ୍ଥାପକଙ୍କୁ ଗୁଳି ମାରି ହତ୍ୟା କରାଯାଇଥିବା କଥା ପୁଲିସ କହିଛି।

Advertisment

କ୍ୟାଲାମ୍ବା ମୁନିସ୍‌ପାଲିଟି ପୁଲିସ ମୁଖ୍ୟ କ୍ୟାପ୍ଟେନ୍‌ ଡିଓର୍‌ ରେଗୋନିଓ କହିଛନ୍ତି, ଦାକ୍ଷିଣାତ୍ୟ ଦ୍ବୀପ ମିଣ୍ଡାନାଓସ୍ଥିତ ବାସଭବନରେ ଥିବା ଷ୍ଟୁଡିଓ ଭିତରେ ୫୭ ବର୍ଷିୟ ଜୁଆନ୍‌ ଜୁମାଲୋନ୍‌ ଓରଫ୍‌ ‘ଡିଜେ ଜନି ୱାକର୍‌’ ସକାଳ ପ୍ରସାରଣ କରୁଥିବା ବ‌େଳେ ଶ୍ରୋତା ଭାବରେ ଜଣେ ବନ୍ଧୁକଧାରୀ ପ୍ରବେଶ କରି ତାଙ୍କ ମୁଣ୍ଡରେ ଦୁଇଥର ଗୁଳି ମାରିଛନ୍ତି।

ତା’ପରେ ଆକ୍ରମଣକାରୀ ଜୁମାଲୋନ୍‌ଙ୍କ ସୁନାଚେନ୍‌ ଛିଡ଼ାଇ ନେଇ ବାହାରେ ଅପେକ୍ଷା କରିଥିବା ସହଯୋଗୀଙ୍କ ବାଇକ୍‌ରେ ବସି ପଳାଇଯାଇଥିଲେ। ଆକ୍ରମଣକାରୀକୁ ଚିହ୍ନଟ କରିବା ପାଇଁ ଉଦ୍ୟମ ଚାଲିଛି ବୋଲି ପୁଲିସ କହିଛି।

Juan Jumalon Image Courtesy of The Guardian

ଏହି ନିର୍ଲଜ୍ଜ ହତ୍ୟାକାଣ୍ଡକୁ ନିନ୍ଦା କରି ‘ନ୍ୟାସ୍‌ନାଲ୍‌ ୟୁନିୟନ୍‌ ଅଫ୍‌ ଜର୍ଣ୍ଣାଲିଷ୍ଟ୍‌’ କହିଛି ୨୦୨୨ ଜୁନ୍‌ରେ ରାଷ୍ଟ୍ରପତି ଫର୍ଡିନାଣ୍ଡ୍‌ ମାକ୍ରୋସ୍‌ ଜୁନିୟର୍‌ କ୍ଷମତାକୁ ଆସିବା ପରଠାରୁ ଜୁମାଲୋନ୍‌ଙ୍କୁ ମିଶାଇ ୪ଜଣ ସାମ୍ବାଦିକଙ୍କୁ ହତ୍ୟା କରାଗଲାଣି।

ଉଲ୍ଲେଖଯୋଗ୍ୟ, ସାମ୍ବାଦିକମାନଙ୍କ ପାଇଁ ଏହି ଦ୍ବୀପପୁଞ୍ଜ ରାଷ୍ଟ୍ର ବିଶ୍ବରେ ସବୁଠୁ ବିପଜ୍ଜନକ। କାରଣ ସାମ୍ବାଦିକ ହତ୍ୟାକାରୀମାନଙ୍କ ପ୍ରତି ଦଣ୍ଡବିଧାନ କରାଯାଉନାହିଁ। ବିଶେଷକରି, ରାଜଧାନୀ ବାହାରେ ଥିବା ରେଡିଓବ୍ରଡ୍‌କାଷ୍ଟର୍‌ ବା ଉପସ୍ଥାପକମାନଙ୍କୁ ଟାର୍ଗେଟ୍‌ କରାଯାଉଛି।

ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ରାଷ୍ଟ୍ରପତି ମାର୍କୋସ୍‌ କହିଛନ୍ତି, ଆମ ଗଣତନ୍ତ୍ରରେ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ଘଟଣାକୁ ବରଦାସ୍ତ କରାଯିବ ନାହିଁ। ଯେଉଁମାନେ ଗଣମାଧ୍ୟମର ସ୍ବାଧୀନତା ପ୍ରତି ବିପଦ ସୃଷ୍ଟି କରୁଛନ୍ତି, ସେମାନେ ଆପଣା କର୍ମର ପରିଣାମ ଭୋଗିବେ।