ଲଣ୍ଡନ: କଥାରେ ଅଛି ମୃତ୍ୟୁ କାହାକୁ ଅପେକ୍ଷା କରେ ନାହିଁ | ଏହା ଏପରି ଏକ ସତ୍ୟ ଯାହାକୁ କେହି ଅସ୍ୱୀକାର କରିପାରିବେ ନାହିଁ | ବ୍ରିଟେନର ଏକ ଲୋକପ୍ରିୟ ରେଡ଼ିଓ ଷ୍ଟେସନର ଜଣେ ରେଡ଼ିଓ ଜକିଙ୍କ ମୃତ୍ୟୁ ଏହି କଥାକୁ ପ୍ରମାଣିତ ମଧ୍ୟ କରିଛି | ପ୍ରଶଂସକମାନେ ବିଶ୍ୱାସ କରିପାରୁନାହାନ୍ତି ଯେ ଗୀତ ବାଜିବା ପରେ ରେଡିଓ ଜକିଙ୍କ ସ୍ୱର ଆଉ ଶୁଣାଯିବ ନାହିଁ | ସୋମବାର ଏହି ଘଟଣା ଘଟିଛି। ଯେତେବେଳେ ରେଡିଓ ଜେନଏକ୍ସର ଉପସ୍ଥାପକ ଟିମ୍ ଗଫ ନିଜର ସକାଳ ସୋ’ କରୁଥିଲେ | ସେ ତାଙ୍କ ସୋ’ରେ ଏକ ଗୀତ ବଜାଇଥିଲେ | ଆଉ ଶ୍ରୋତାମାନେ ଭାବିଥିଲେ ଯେ ଗୀତଟି ସରିଯିବା ପରେ ପୁଣି ତାଙ୍କ ପ୍ରିୟର ଜକିଙ୍କ ସ୍ୱର ଶୁଣିବାକୁ ମିଳିବ | କିନ୍ତୁ ସେତେବେଳେକୁ ସବୁ ସରିଯାଇଥିଲା | ଗୀତ ଚାଲିଥିବା ସମୟରେ ତାଙ୍କର ହୃଦଘାତ ହୋଇଥିଲା ଓ ସେ ଏହି ଦୁନିଆରୁ ବିଦାୟ ନେଇଥିଲେ |
ଜଣେ ଶ୍ରୋତାଙ୍କ କହିବା ମୁତାବକ ଟିମ ନିଜର ଉପସ୍ଥାପନା ଶୈଳୀରେ କହିଥିଲେ ଯେ ଚାଲନ୍ତୁ ଏବେ ଏହି ଗୀତକୁ ଶୁଣିବା ଓ ଦିନଟିକୁ ଆରମ୍ଭ କରିବା, ତେବେ ଏହା ପରେ ଗୀତ ବାଜିଥିଲା | ଗୀତ ସରିବା ପରେ ଯେତେବେଳେ ରେଡ଼ିଓ ଜକିଙ୍କର ସ୍ୱର ଆଉ ଶୁଣିବାକୁ ମିଳିନଥିଲା, ଶ୍ରୋତାମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ଏହାପରେ ରେଡ଼ିଓ ଷ୍ଟେସନ ପକ୍ଷରୁ ସେ ଦୁନିଆରୁ ଚାଲିଯାଇଥିବା ଘୋଷଣା କରାଯାଇଥିଲା | ସୂଚନା ମୁତାବକ ୫୫ ବର୍ଷୀୟ ଟିମ୍ ସକାଳ ସୋ ’କରୁଥିବାବେଳେ ପ୍ରାୟ ୭.୫୫ ରେ ଲାଇଭ୍ ସୋ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ରେଡିଓ ଷ୍ଟେସନର ପରିଚାଳନା ନିର୍ଦ୍ଦେଶକ କହିଛନ୍ତି ଯେ ୮୦ ଦଶକରୁ ଗଫ ରେଡିଓ ସହିତ ଜଡିତ ଥିଲେ। ସେ ବହୁତ ମଜାଳିଆ ଥିଲେ | ମୋ ପରିବାର ମଧ୍ୟ ତାଙ୍କର ପ୍ରଶଂସକ ଥିଲେ। ରେଡିଓ ପ୍ରତି ତାଙ୍କର ଉତ୍ସାହ ଏବଂ ଜ୍ଞାନ ଅତୁଳନୀୟ ଥିଲା |