ବଢ଼ିଲା ଭାରତର ଆକାଶ ଶକ୍ତି, ସୁଖୋଇ ଓ ରାଫେଲର ମିଳିତ ଶକ୍ତି ଆଗରେ ତିଷ୍ଠି ପାରିବ ନାହିଁ ପାକ୍ ବାୟୁସେନା

ନୂଆଦିଲ୍ଲୀ : ବର୍ତ୍ତମାନ ଭାରତ ହାତକୁ ରାଫେଲ ବିମାନ ଆସିଛି। ଏହା ଦ୍ବାରା ଭାରତୀୟ ବାୟୁସେନାର ଯୁଦ୍ଧ କ୍ଷମତା ବଢ଼ିଛି। ବିଶେଷ କରି ପଡ଼ୋଶୀ ପାକିସ୍ତାନ ତୁଳନାରେ ଭାରତୀୟ ବାୟୁସେନା ମାରକ କ୍ଷମତା ଅନେକ ଆଗକୁ ଯାଇ ପାରିଛି। କାରଣ ରାଫେଲ ଓ ଭାରତ ପାଖରେ ଏବେ ଥିବା ସୁଖୋଇ-୩୦ଏମକେଆଇର ମିଳିତ ଶକ୍ତି ଯେକୌଣସି ଶତ୍ରୁକୁ ପରାସ୍ତ କରିବାକୁ ସକ୍ଷମ ହେବ। ଏଥିସହ ଭାରତ ହାତରେ ରହିଛି ମିରାଜ-୨୦୦୦ ଯୁଦ୍ଧ ବିମାନ।  ତେଣୁ ରାଫେଲ୍ ସାମିଲ୍ ହେବା ପରେ ଭାରତୀୟ ବାୟୁସେନାର ଶକ୍ତି ଅନେକଗୁଣ ବଢିଯିବା ନିଶ୍ଚିତ ।

ଫ୍ରାନ୍ସରେ ଅନୁଷ୍ଠିତ ହୋଇଥିବା ଭାରତ-ଫ୍ରାନ୍ସ ମିଳିତ ଯୁଦ୍ଧାଭ୍ୟାସ ଅବସରରେ ସୁଖୋଇ ଓ ରାଫେଲର ମିଳିତ ଶକ୍ତିକୁ ପରଖାଯାଇଛି । ଭାରତ ପାଖରେ ଏବେ ୨୦୦ରୁ ଅଧିକ ସୁଖୋଇ-୩୦ଏମକେଆଇ ବିମାନ ଥିବାବେଳେ ଆଜି ରାଫେଲ ବିମାନ ଭାରତ ହାତକୁ ଆସିଛି। ମୋଦୀ ସରକାର ୨୦୧୬ରେ ୩୬ଟି ରାଫେଲ ବିମାନ ଯୋଗାଇବା ପାଇଁ  ଫ୍ରାନ୍ସ ସରକାରଙ୍କ ସହ ୫୯ ହଜାର କୋଟି ଟଙ୍କାର ଏକ ଚୁକ୍ତି କରିଥିଲେ । ଆସନ୍ତା ୨ ବର୍ଷ ମଧ୍ୟରେ ଅବଶିଷ୍ଟ ୩୫ଟି ରାଫେଲ ବିମାନ ଭାରତରେ ପହଞ୍ଚିବ ।

ଗତ ଫେବ୍ରୁଆରି ୨୬ରେ ଭାରତ କରିଥିବା ବାଲାକୋଟ ଏୟାରଷ୍ଟ୍ରାଇକ ପରି ଅପରେସନ ପାକସ୍ତାନ କରିବାକୁ ସାହସ କରିବ କି ବୋଲି ଏକ ପ୍ରଶ୍ନର ଉତ୍ତର ଦେଇ ଏକଦା ବାୟୁସେନା ମୁଖ୍ୟ ଆର.କେ ଭାଦୁରିଆ କହିଥିଲେ ଯେ ଏଭଳି ଦୁଃସାହସ ପାକିସ୍ତାନ କେବେ କରିବ ନାହିଁ । କାରଣ ଏପରି କଲେ ସୁଖୋଇ ଓ ରାଫେଲର ମିଳିତ ଆକ୍ରମଣକୁ ପାକିସ୍ତାନ ବାୟୁସେନା ସମ୍ଭାଳିପାରିବ ନାହିଁ । ଭାରତୀୟ ବାୟୁସେନା ନିଜର ସୁଖୋଇ ଓ ରାଫେଲ ମାଧ୍ୟମରେ ଏପରି ଆକ୍ରମଣ କରିବ ଯେ ପାକିସ୍ତାନ ପ୍ରବଳ କ୍ଷତିର ସମ୍ମୁଖୀନ ହେବ ।

ସମ୍ବନ୍ଧିତ ଖବର