ନୂଆଦିଲ୍ଲୀ: ଫ୍ରାନ୍ସ କମ୍ପାନି ଡାସଲ୍ଟ ଏଭିଏସନକୁ କ୍ରୟ ଆଦେଶ ଦିଆଯିବାର ପ୍ରାୟ ୪ ବର୍ଷ ପରେ ଭାରତକୁ ଏହାର ବହୁ ପ୍ରତୀକ୍ଷିତ ଅତ୍ୟାଧୁନିକ ଲଢ଼ୁଆ ବିମାନ ରାଫେଲ୍ ମିଳିଛି। ଫ୍ରାନ୍ସର ଦକ୍ଷିଣ ଭାଗରେ ଥିବା ମେରିଗ୍ନାକ୍ ବିମାନ ଘାଟିରୁ ୫ଟି ରାଫେଲ ବିମାନ ସୋମବାର ସକାଳେ ଭାରତ ଅଭିମୁଖେ ଉଡ଼ାଣ ଆରମ୍ଭ କରିଛି। ହରିୟାଣାର ଅମ୍ବାଲାସ୍ଥିତ ବାୟୁସେନା ଘାଟିରେ ଏଗୁଡ଼ିକ ଆସନ୍ତା ବୁଧବାର ଅବତରଣ କରିବ। ଦୀର୍ଘ ପ୍ରାୟ ୭୦୦୦ କିମି ପଥ ଅତିକ୍ରମ କରିବା ବେଳେ ଏହି ବିମାନ ଗୁଡ଼ିକ ଥରେ ମାତ୍ର ସଂଯୁକ୍ତ ଆରବ ଏମିରେଟ୍ସରେ ରହିବ। ସେଠାକାର ଅଲ୍ ଧଫାରା ବାୟୁସେନା ଘାଟିରେ ଏହା ଅଟକିବ। ପାଇଲଟମାନଙ୍କୁ ବିଶ୍ରାମ ଦେବା ପାଇଁ ଏହାକୁ ସେଠାରେ କିଛି ସମୟ ରଖାଯିବ ବୋଲି କୁହାଯାଉଛି। ସେଠାରୁ ସିଧା ଭାରତକୁ ଆସିବ। ଆକାଶ ମାର୍ଗରେ ଉକ୍ତ ବିମାନରେ ଇନ୍ଧନ ଭର୍ତ୍ତି କରାଯିବ। ଭାରତୀୟ ବାୟୁସେନାର ପାଇଲଟମାନେ ଏହି ଲଢ଼ୁଆ ବିମାନ ଭାରତକୁ ଉଡ଼ାଣ କରି ଆଣୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ଫ୍ରାନ୍ସର ଡାସଲ୍ଟ କମ୍ପାନି ଭାରତକୁ ୫ଟି ରାଫେଲ ପ୍ରଦାନ କରିଛି। ଫ୍ରାନ୍ସଠାରୁ ୩୬ଟି ରାଫେଲ୍ ବିମାନ କିଣିବା ପାଇଁ ଭାରତ ୨୦୧୬ ସେପ୍ଟେମ୍ବରରେ ଆଦେଶ ଦେଇଥିଲା। ଏହି ବିମାନ କ୍ରୟ ବାବଦରେ ଭାରତକୁ ୫୯ ହଜାର କୋଟି ଟଙ୍କା ବ୍ୟୟ କରିବାକୁ ପଡ଼ିବ। ତେବେ ଭାରତ ସରକାରଙ୍କ ସ୍ବତନ୍ତ୍ର ଅନୁରୋଧକ୍ରମେ ଫ୍ରାନ୍ସ ରାଫେଲ୍ ବିମାନ ହସ୍ତାନ୍ତର ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛି। ୩୬ଟି ରାଫେଲର ହସ୍ତାନ୍ତର କାର୍ଯ୍ୟ ୨୦୨୧ ଶେଷ ସୁଦ୍ଧା ଶେଷହେବ ବୋଲି ଆଶା ରଖାଯାଇଛି।
ଫ୍ରାନ୍ସରେ ରାଫେଲ ଉଡ଼ାଣ ଆରମ୍ଭ ବେଳେ ବିମାନ ବନ୍ଦରରେ ଭାରତର ରାଷ୍ଟ୍ରଦୂତ ଜୱେଦ ଆଶରଫ୍ ଉପସ୍ଥିତ ଥିଲେ। ବିଶ୍ବର ସବୁଠୁ ଆଧୁନିକ ଲଢ଼ୁଆ ବିମାନ ଉଡ଼ାଉଥିବାରୁ ସେମାନଙ୍କୁ ଆଶରଫ୍ ଅଭିନନ୍ଦନ ଜଣାଇଥିଲେ। ଅମ୍ବାଲା ବାୟୁସେନା ଘାଟିରେ ଏହି ବିମାନ ଅବତରଣ କରିବା ପରେ ଗଣମାଧ୍ୟମରେ ଏହାର ପ୍ରସାରଣ ନେଇ କୌଣସି ବ୍ୟବସ୍ଥା କରାଯାଇନାହିଁ। ତେବେ ଆସନ୍ତା ଅଗଷ୍ଟ ଦ୍ବିତୀୟାର୍ଦ୍ଧରେ ବାୟୁସେନାରେ ଚୂଡ଼ାନ୍ତ ସାମିଲ ଉତ୍ସବ ସମୟରେ ଗଣମାଧ୍ୟମକୁ ଏହାର ପ୍ରସାରଣ ସୁଯୋଗ ମିଳିବା ଯୋଜନା ରହିଛି ବୋଲି ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି। ଚୀନ୍ ସହିତ ଭାରତର ସମ୍ପର୍କ ଏବେ ଖରାପ ହୋଇଥିବାରୁ ଭାରତୀୟ ବାୟୁସେନାର ମନୋବଳ ବଢ଼ାଇବାରେ ଏହି ବିମାନ ଯଥେଷ୍ଟ ସହାୟକ ହେବ ବୋଲି ଆଶା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/rafale.jpg)